Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଗୁରୁ ହିଁ ଈଶ୍ୱର

    Share on :
    ajab-Image
    Date: Sep 3, 2020    Views: 2344

    ବ୍ୟକ୍ତି ନିର୍ମାଣ ଓ ଚରିତ୍ର ଗଠନ ଦିଗରେ ଶିକ୍ଷାର ବିଶେଷ ଭୂମିକା ରହିଛି  । ଶିକ୍ଷା ପରି ଏକ ପବିତ୍ର ଦାନ ସମ୍ଭବତଃ ଦୁନିଆରେ ଆଉ କିଛି ନାହିଁ  । ଏହିପରି ଏକ ପବିତ୍ର ବୃତ୍ତିକୁ ଆପଣେଇ ଶିଷ୍ୟ ମନରୁ ଅଜ୍ଞାନ ଅନ୍ଧକାରକୁ ଦୂରେଇ ଦେଇ ପାରୁଥିବା ମହାନ ବ୍ୟକ୍ତିବିଶେଷଙ୍କୁ ସମାଜ ‘ଗୁରୁ’ ଭାବରେ ଗ୍ରହଣ କରିଥାଏ  । ପିତାମାତାଙ୍କ ପରେ ସେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇଥାନ୍ତି  । ବିନା ଗୁରୁରେ ଜ୍ଞାନ ଲାଭ କରିବା ଅସମ୍ଭବ  । ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି  ।
    ପିତାମାତା ହେଉଛନ୍ତି ଶିଶୁର ଆଦ୍ୟଗୁରୁ  । ସେମାନଙ୍କ ସଂଯମ, ଆଚରଣ, ଉଚ୍ଚାରଣ, ସଂସ୍କାରର ପ୍ରତିଫଳନ ଘଟେ ଶିଶୁ ଉପରେ  । ପରବର୍ତ୍ତୀ ସମୟରେ ସେ ବିଦ୍ୟାଶିକ୍ଷା ପାଇଁ ଗୁରୁଙ୍କ ଶରଣାପନ୍ନ ହୋଇଥାଏ  । ଏ ଶିକ୍ଷାର କିନ୍ତୁ ଶେଷ ନଥାଏ  । କାରଣ ଏଠି ଜୀବନଟା ହେଉଛି ଶିକ୍ଷାର ଏକ ପ୍ରୟୋଶାଳା  । ଗୁରୁଙ୍କ ଦିଗ ଦର୍ଶନ କାରଣରୁ ସମୟଠାରୁ ସେ ବହୁତ କିଛି ଶିଖିଥାଏ  । ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନପାରେ  । ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି  । ଗୁରୁ ଓ ରାସ୍ତା ଏକାପରି  । ସେମାନେ ଗୋଟିଏ ଜାଗାରେ ଥିବେ କିନ୍ତୁ ଅନ୍ୟକୁ ଆଗକୁ ବଢ଼ାଇବାକୁ ପ୍ରୋତ୍ସାହିତ କରିବେ  । ଏହା ହିଁ ତ ଗୁରୁଙ୍କ ମହାନତା  । ଛାତ୍ରଛାତ୍ରୀଙ୍କ ଏକ ସୁନ୍ଦର ଭବିଷ୍ୟତ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ  । କଞ୍ଚାମାଟିର ପିତୁଳାରୁ ସେ ଦେବତା ଭାବରେ ଗଢ଼ିବାକୁ ନିରନ୍ତର ପ୍ରୟାସ ଜାରି ରଖନ୍ତି  । ବିନା ଗୁରୁରେ କେହି କେବେ ଜ୍ଞାନୀ ପଦବାଚ୍ୟ ହୋଇପାରି ନଥାଏ  । 
    ଗୁରୁ ହିଁ ପ୍ରେରଣାର ଉତ୍ସ  । ଯିଏକି ଜ୍ଞାନ ପ୍ରଦାନ କରିବା ସହିତ ଶିଷ୍ୟ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରିଥାନ୍ତି  । ତା’ ଭିତରେ ଥିବା ସୃଜନଶୀଳତାର ବିକାଶ ପାଇଁ ଦିଅନ୍ତି ପ୍ରେରଣା  । ଶିକ୍ଷକଙ୍କ ପ୍ରେରଣା ହିଁ ଶିଷ୍ୟ ମନରେ ଆଶା ସଞ୍ଚାର କରେ  । କଳ୍ପନା ଉଦ୍ରେକ କରିଦିଏ  । ଶିକ୍ଷାକୁ ମହତ୍ତର ସୋପାନ ଆଡକୁ ବାଟ କଢ଼ାଇନିଏ  । ପ୍ରାଚୀନ ଗୁରୁ-ଶିଷ୍ୟର ମହାନ ପରମ୍ପରା ଅତୀତ ଗହ୍ୱର ମଧ୍ୟରେ ହଜିଯାଇଥିଲେ ମଧ୍ୟ ସେମାନଙ୍କ ପଦାଙ୍କ ଅନୁସରଣ କରିବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ  । ଗୁରୁ ତାଙ୍କର ମହନୀୟ ବ୍ୟକ୍ତିତ୍ୱକୁ ବଜାୟ ରଖିବା ସହିତ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ପ୍ରତି ଯଥେଷ୍ଟ ସମ୍ମାନବୋଧ ରଖିଲେ ଯାଇ ଏ ପରମ୍ପରାକୁ ବଜାୟ ରଖି ହେବ  ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook