ମୁଖ୍ୟ ଖବର
ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ କଂଗ୍ରେସ ନେତା ତାରା ବାହିନୀପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଭୁଲ ପାଇଁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ଶ୍ରୀ ବାହିନୀପତି କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, ପ୍ରଥମରୁ ଖୋଲା ଛାଡ଼ିଦେଲେ, ଯେଉଁଥି ପାଇଁ ଗଞ୍ଜାମରେ ସଂକ୍ରମଣ ବଢିଲା । ଟ୍ରେନ ଚଳାଚଳ ନେଇ ନିର୍ଦ୍ଧିଷ୍ଟ ରୋଡ ମ୍ୟାପ ହେଉ, ନହେଲେ ଅଧିକ ବଢିବ । ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ବନ୍ଦ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଘରୋଇ ହସ୍ପିଟାଲ ଖୋଲିବାକୁ କେନ୍ଦ୍ର ଅନୁମତି ଅଛି, ସରକାର ଖୋଲୁନାହାନ୍ତି । ତୁରନ୍ତ ଏ ସବୁ ଖୋଲାଯାଉ, ଚିକିତ୍ସା ନପାଇ ରୋଗୀ ମୃତୁ୍ୟ ନହେଉ ବୋଲି ତାରା ବାହିନୀପତି କହିଛନ୍ତି ।
ପ୍ରକାଶ ଯେ, କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । ତେବେ ରାଜ୍ୟ ବାହାରୁ ଆସୁଥିବା ବିଶେଷ କରି ସୁରଟ ଫେରାନ୍ତାଙ୍କ ମଧ୍ୟରେ ଅଧିକାଂଶ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ସୁରଟ ଫେରନ୍ତା ।
Comments ସମସ୍ତ ମତାମତ