ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ୫-ଟି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଦୁର୍ନୀତିଖୋର କର୍ମଚାରୀଙ୍କୁ ଏବେ ଭୂତ ହୋଇ ଗୋଡ଼ାଉଛି । ଲାଞ୍ଚ ନେଇ ଆରାମରେ ଜୀବନଯାପନ କରୁଥିବା ଲାଞ୍ଚୁଆ କର୍ମଚାରୀଙ୍କ ଆଖିରୁ ନିଦ ହଜାଇ ଦେଇଛି ଏହି ୫-ଟି କାର୍ଯ୍ୟକ୍ରମ । ଏହା ସତ୍ୱେ ବିରୋଧୀ କଂଗ୍ରେସ ବିଜେପି ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଥମରୁ ହିଁ ସମାଲୋଚନା କରି ଆସୁଛନ୍ତି । ଆଜି ସମ୍ପୃକ୍ତ ସମାଲୋଚକଙ୍କ ଭିତରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ସେ ୫-ଟିକୁ କଟାକ୍ଷ କରିଛନ୍ତି । ‘ଟି ନା ଚା’ ବୋଲି କଟାକ୍ଷ କରିଛନ୍ତି ।
ସେ କହିଛନ୍ତି ଯେ, ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ପଡ଼ିଛନ୍ତି । ଏହା ପ୍ରତି କାହାର ନଜର ପଡ଼ୁନାହିଁ । ହସ୍ପିଟାଲରେ ବେଡ ନାହିଁ । ରୋଗୀ ତଳେ ଗଡ଼ୁଛନ୍ତି । ଆଗ ରାଜଧାନୀର ଅବସ୍ଥା ଦେଖ । ଏଠାରେ ମନ୍ତ୍ରୀଙ୍କ ମର୍ଯ୍ୟାଦାହାନୀ ହେଉଛି । ମନ୍ତ୍ରୀ ପ୍ରଚାରରେ ଥିଲେ, ସିଡିଏମଓଙ୍କୁ ସସପେଣ୍ଡ କରାଗଲା । ମନ୍ତ୍ରୀ ଭୋଟ କାଉଣ୍ଟିଂରେ ଅଛନ୍ତି, ସସପେଣ୍ଡ ଉଠିଗଲା । କ’ଣ ଚାଲିଛି ଏଠି । ଏ କି ପାଗଳାମୀ ଶାସନ । ଏଠି ଅଫିସରଙ୍କ ଜରିଆରେ ସବୁ ହେଉଛି ବୋଲି ସୁର ରାଉତରାୟ କହିଛନ୍ତି ।
ଏହା ପୂର୍ବରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରିଥିଲେ ।
ରାଜ୍ୟରେ ସୁଶାସନ ଆଣିବାକୁ ରାଜ୍ୟ ସରକାର ଆଣିଥିବା ‘୫-ଟି’ ଫର୍ମୁଲା ଉପରେ ପ୍ରଶ୍ନ ଉଠାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦୀର୍ଘ ୨୦ ବର୍ଷ ଶାସନରେ କ’ଣ ‘୫-ଟି’ ସରକାରରେ ନଥିଲା କି ? ଶାସନର ୨୦ ବର୍ଷ ପରେ କାହିଁକି ୫-ଟି ଅଣାଗଲା ବୋଲି ସେ ପ୍ରଶ୍ନ କରିଥିଲେ । ଏହା ମନ୍ତ୍ରୀ ଓ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ଉଠାଉଥିବା ଅପରାଜିତା କହିଥିଲେ ।
ଆଜି ରେଳବାଇ ଷ୍ଟାଡିୟମ୍ରେ ଆୟୋଜିତ ‘ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରରେ ଯୋଗ ଦେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ୫-ଟି ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ଏହା ଏକ ଅଭିନବ ପଦକ୍ଷେପ ନୁହେଁ । ଏହି ପଦକ୍ଷେପ ବହୁତ ପୁରୁଣା କଥା ଅଟେ । ଶାସନର ୨୦ ବର୍ଷ ପରେ କାହିଁକି ୫-ଟି ଅଣାଗଲା? ଏହି ୨୦ ବର୍ଷ ଶାସନରେ କ’ଣ ୫-ଟି ସରକାରରେ ନଥିଲା କି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ଅଲଗା ବିଭାଗ କରି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ଠିକ୍ ନୁହେଁ । ଏହା ଦ୍ୱାରା ଅନ୍ୟ ବିଭାଗଗୁଡ଼ିକ ଦୁର୍ବଳ ହୋଇଯିବ । ଆଇଏଏସ୍ ପ୍ରଶିକ୍ଷଣ ସମୟରେ ୫-ଟି ସମ୍ପର୍କରେ ପାଠ ପଢ଼ାଯାଇ ଥାଏ । ତେଣୁ ଏହାକ ସୁଶାସନ ନୁହେଁ ବରଂ ଏହା ମନ୍ତ୍ରୀ ଓ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ବୋଲି ସେ କହିଥିଲେ । ରାଜ୍ୟ ସରକାରଙ୍କ ଏହି ଯୋଜନା ସୁଶାସନ ଆଣିପାରିବ ବୋଲି ସେ ଭାବୁ ନାହାଁନ୍ତି ।
Comments ସମସ୍ତ ମତାମତ