ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ(ଡିମଡ ୟୁନିଭର୍ରିଟି) ପରିଚାଳିତ ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ସମ ହସ୍ପିଟାଲରେ ଏଣ୍ଡୋସ୍କୋପିକ ବେଲୁନ ୟୁଷ୍ଟେସାନ ଟୁ୍ୟବୋପ୍ଲାଷ୍ଟି ପ୍ରକ୍ରିୟାରେ କର୍ଣ୍ଣନଳୀରେ ଉପୁଜୁଥିବା ବ୍ୟାଧିର ଚିକିତ୍ସା କରାଯାଇଛି । କର୍ଣ୍ଣ, ନାସା ଓ ଗଳା ଏବଂ ସ୍କଲ ବେସ ସର୍ଜରୀ ବିଶେଷଜ୍ଞ ଡଃ ରାଧାମୋହନ ସାହୁ ସଫଳତାର ସହ ଏଭଳି ୬ଟି ପ୍ରକ୍ରିୟାରେ ଚିକିତ୍ସା କରିଥିବା ସୋଆ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଯାଇଛି । କର୍ଣ୍ଣନଳୀ ଯାହାକି କାନର ମଝି ଭାଗକୁ ରୋଗରୁ ରକ୍ଷା କରିଥାଏ, ନାକ ଏବଂ କାନର ଭଝି ଭାଗକୁ ସଂଯୋଗ କରିଥାଏ । ଯୁବପିଢିଙ୍କ ମଧ୍ୟରେ ୫ ପ୍ରତିଶତଙ୍କ ଠାରେ ଏହି ଇଟିଡି ବ୍ୟାଧି ଦେଖାଯାଇଥାଏ । ଏହା ଦ୍ୱାରା କର୍ଣ୍ଣନଳୀ ଠିକଭାବେ କାର୍ଯ୍ୟ କରିନଥାଏ । ଏହା ପ୍ରାୟତଃ ବନ୍ଦ ଥାଏ କିନ୍ତୁ ମଣିଷ ଖାଇବା ସମୟରେ କିମ୍ବା ଚୋବାଇବା ସମୟରେ ଖୋଲିଯାଇଥାଏ ।
ଏହି ବ୍ୟାଧିକର ଲକ୍ଷଣ ହେଲା କାନର ଯନ୍ତ୍ରଣା, ଠିକଭାବେ ଶୁଭାଯାଉନଥିବା, କାନ ତାବଦା ହୋଇଯିବା ଇତ୍ୟାଦି । ଏହା ଦ୍ୱାରା କାନର ପରଦା ଫାଟିଯାଇଥାଏ । କାନର ମଧ୍ୟ ଭାଗ ନଷ୍ଟ ହୋଇଯାଇଥାଏ ଏବଂ କାନକୁ ଶୁଭିବା କମି ଯାଇଥାଏ । ବେଲୁନ ୟୁଷ୍ଟେସାନ ଟୁ୍ୟବୋପ୍ଲାଷ୍ଟି ପ୍ରକ୍ରିୟା ଏକ ନୂତନ ପ୍ରକ୍ରିୟା ଯାହାକି ଖୁବ କମ ଖର୍ଚ୍ଚରେ ଏବଂ କମ ସମୟରେ ରୋଗୀଙ୍କୁ ଏଭଳି ବ୍ୟାଧିରୁ ମୁକ୍ତି ଦେଇଥାଏ ।
ଏହି ବେଲୁନ ୟୁଷ୍ଟେସାନ ଟୁ୍ୟବୋପ୍ଲାଷ୍ଟି ପ୍ରକ୍ରିୟାରେ ଏକ ବେଲୁନକୁ ଟୁ୍ୟବ ସହ ସଂଯୋଗ କରି ନାକ ବାଟ ଦେଇ ଏଣ୍ଡୋସ୍କୋପିକ ପଦ୍ଧତିରେ କର୍ଣ୍ଣନଳୀ ମଧ୍ୟକୁ ପ୍ରବେଶ କରାଯାଇଥାଏ । ଏହି ପ୍ରକ୍ରିୟାରେ କୌଣସି ଟିଷୁ ବାହାର କରାଯାଇ ନଥାଏ କିମ୍ବା ଇଞ୍ଜେକ୍ସନ ମଧ୍ୟ ଦିଆଯାଇନଥାଏ । ବେଲୁନ ୟୁଷ୍ଟେସାନ ଟୁ୍ୟବୋପ୍ଲାଷ୍ଟି ପ୍ରକ୍ରିୟା ଆମେରିକା ଓ ୟୁରୋପରେ ଏବେ ବହୁଳଭାବେ ପ୍ରୟୋଗ କରାଯାଉଛି ।
Comments ସମସ୍ତ ମତାମତ