ମୁଖ୍ୟ ଖବର
ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ପି.ନୂଆଗାଁ ସଙ୍ଗରୋଧ କେନ୍ଦ୍ରରେ ଜଣେ ଅନ୍ତେବାସୀ ସୋମବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ପ୍ରକାରେ ପୋଲସରା ବ୍ଲକର ମଧୁପଲି ପଞ୍ଚାୟତ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ଅମର ଜେନା ଓ ତାଙ୍କ ସ୍ତ୍ରୀ ଉଭୟ ଗୁଜୁରାଟର ସୁରତ ସହରରେ ରହୁଥିଲେ । କରୋନା ଆତଙ୍କ ଯୋଗୁଁ ସୁରତର ସମସ୍ତ ସୁତାକଳ ବନ୍ଦ ହୋଇଯିବାର ଅମର ଓ ତାଙ୍କ ସ୍ତ୍ରୀ ଚଳିତ ମାସ ୭ ତାରିଖ ଦିନ ଏଠାକୁ ଫେରି ଆସିଥିଲେ । ଫଳରେ ତାଙ୍କୁ ପୋଲସରା ବ୍ଲକର ବଡ଼ ପଙ୍କଜବାଡ଼ି ଅନ୍ତର୍ଗତ ପି ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସୋମବାର ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଅମର ବିଷାକ୍ତ କନିଅର ଫଳ ତୋଳି ଖାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଅନ୍ତେବାସୀ ଏହା ଦେଖି ସେଥିରୁ ତାଙ୍କୁ ନିବୃତ କରିଥିଲେ । ଏ ସମ୍ପର୍କରେ ଖବର ପାଇ ବଡ଼ପଙ୍କଳବାଡ଼ି ସରପଞ୍ଚ ରଞ୍ଜୟ ପାଣିଗ୍ରାହୀ ଏବଂ ସମିତି ସରସ୍ୱତୀ ପ୍ରଧାନ ବିଦ୍ୟାଳୟକୁ ଯାଇ ବୁଝାସୁଝା କରିବା ପରେ ଅମର ଶାନ୍ତ ହୋଇଥିଲା । ସ୍ତ୍ରୀ ସହିତ ଝଗଡ଼ା କାରଣରୁ ଅମର ଏମିତି ପଦକ୍ଷେପ ନେଉଥିଲା ବୋଲି କିଛି ଅନ୍ତେବାସୀ କହିଛନ୍ତି ।
Comments ସମସ୍ତ ମତାମତ