ମୁଖ୍ୟ ଖବର
ଭୁବନେଶ୍ୱର: ଗୋଟିଏ ଦିନ ପରେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ । ପରିବାରରେ ଥିଲା ଖୁସିର ମାହୋଲ । କିନ୍ତୁ କ୍ଷଣିକରେ ସବୁ ଖୁସି ପାଣିଫୋଟକା ଭଳି ମିଳେଇଗଲା । ଓଢ଼ଣୀରେ ଝୁଲି ଆତ୍ମହତ୍ୟା କରିଦେଲେ ଓଏଫଏସ (ଓଡ଼ିଶା ଫାଇନାନ୍ସ ସର୍ଭିସ) ଅଫିସର । ମୃତକ ହେଲେ ବଲାଙ୍ଗୀର ଟିଟିଲାଗଡ଼ର ଅଭିଳାଷ ସ୍ୱରୂପ ମହାପାତ୍ର ।
ରାଜଧାନୀର ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୪ ରେ ସପରିବାର ରହନ୍ତି । ପୁଲିସ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । କିନ୍ତୁ କେଉଁ କାରଣରୁ ଅଭିଳାଷ ଏପରି ଚରମ ନିଷ୍ପତ୍ତି ନେଲେ, ତାହା ଅସ୍ପଷ୍ଟ ରହିଛି । ଖଣ୍ଡଗିରି ଥାନା ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ପୁଲିସ ସୂଚନାନୁସାରେ ଅଭିଳାଷ ପୂର୍ବରୁ ବ୍ୟାଙ୍କରେ ଚାକିରି କରିଥିଲେ । କିଛି ମାସ ତଳେ ଓଏଫଏସ ପାଇଥିଲେ । ଓଡ଼ିଶା ଫାଇନାନ୍ସ ସର୍ଭିସରେ କୃତକାର୍ଯ୍ୟ ହୋଇଥିଲେ । ସୋମବାର ଟ୍ରେଜେରି ଅଫିସରେ ଓଏଫଏସ ଭାବେ ଯୋଗଦାନ କରିବାର ଥିଲା । କିନ୍ତୁ ସନ୍ଧ୍ୟାରେ ସବୁ ଓଲଟପାଲଟ ହୋଥଗଲା । ଘରେ ପରିବାରଲୋକେ ଥିଲେ ହେଁ ଅଭିଳାଷ ଗୋଟିଏ ରୁମକୁ ଯାଇ ଭିତରୁ କବାଟ ବନ୍ଦ କରିଦେଇଥିଲେ । କିଛି ସମୟ ପରେ ତାଙ୍କ ପତ୍ନୀ କବାଟ ବାଡେ଼ଇ ଡାକିଥିଲେ ହେଁ ଅଭିଳାଷ ଶୁଣି ନଥିଲେ । ସନେ୍ଦହ ହେବାରୁ ପଡେ଼ାଶୀଙ୍କ ସହାୟତାରେ ପତ୍ନୀ କବାଟ ଭାଙ୍ଗିବା ପରେ ଅଭିଳାଷଙ୍କୁ ଝୁଲନ୍ତା ଅବସ୍ଥା ଦେଖିବାକୁ ପାଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିବା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଳାଷ କାହିଁକି ଆତ୍ମହତ୍ୟା କଲେ? ସୋମବାର କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ କାହିଁକି ଏଭଳି ନିଷ୍ପତ୍ତି ନେଲେ? କ’ଣ ରହିଥାଇପାରେ କାରଣ? କୌଣସି ଘଟଣାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ କି? ତାଙ୍କର କାହା ସହ କିଝି ବିବାଦ ରହିଥିଲା କି? ଏସବୁ ଏବେ ପୁଲିସ ପାଇଁ ଅସମାହିତ ହୋଇ ରହିଛି । ଖବର ପାଇ ଅଭିଳାଷ ଓ ତାଙ୍କ ପତ୍ନୀଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ । ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପୁରୀରେ ଅଭିଳାଷଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।
Comments ସମସ୍ତ ମତାମତ