ମୁଖ୍ୟ ଖବର
ଏକଦା ନନ୍ଦୀଗ୍ରାମର ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀ ଥିଲେ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ଓ ବିଶ୍ୱସ୍ତ ସହଯୋଗୀ । ତେବେ ଇତିମଧ୍ୟରେ ତୃଣମୂଳ କଂଗ୍ରେସକୁ ବାଏବାଏ କରି ଶୁଭେନ୍ଦୁ ବିଜେପିରେ ସାମିଲ ହୋଇଛନ୍ତି । ଗୋଟିଏ ପଟେ ଜିଦରେ ମମତା ନନ୍ଦୀଗ୍ରାମରୁ ପ୍ରାର୍ଥୀ ହୋଇଥିବାବେଳେ ଶୁଭେନ୍ଦୁଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ କରିଛି । ଶୁଭେନ୍ଦୁ ଏବେ ନନ୍ଦିଗ୍ରାମର ବିଧାୟକ ଥିବାବେଳେ ସେ ମମତାଙ୍କୁ ହରାଇବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
ମମତାଙ୍କ ସମ୍ପର୍କରେ ଶୁଭେନ୍ଦୁ କହିଛନ୍ତିଯେ, ଏବେ ନନ୍ଦିଗ୍ରାମରେ ‘ଗାଁ ବନାମ କୋଲକାତା’ର ଲଢେ଼ଇ ହେବ । ଦକ୍ଷିଣ କୋଲକାତାର କିଛି ଲୋକ ରାଜ୍ୟ ଚଳାଉଛନ୍ତି । ଏହାକୁ ଆମେ ଗ୍ରହଣ କରିପାରିବା ନାହିଁ । ଗାଁ ଓ ଦକ୍ଷିଣ କୋଲକାତା ବିରୋଧରେ ଲଢେ଼ଇ ହେବ, ଆମେ କ’ଣ ତାଙ୍କୁ ଦେଖାଇଦେବା ବୋଲି ଶୁଭେନ୍ଦୁ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ୧୯୯୫ରେ ଶୁଭେନ୍ଦୁ କଂଟାଇ ମୁନିସପାଲିଟିର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୨୦୦୬ରେ ସେ କାନ୍ତି ଦକ୍ଷିଣରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ତୃଣମୂଳ କଂଗ୍ରେସରେ ହିଁ ଥିଲେ । ୨୦୦୯ ଲୋକସଭା ନିର୍ବାଚନ ବେଳେ ସେ ତାମଲୁକ ଆସନରୁ ସାଂସଦ ଭାବେ ବିଜୟୀ ହୋଇଥିଲେ । ୨୦୧୪ରେ ମଧ୍ୟ ସେ ତାମଲୁକରୁ ଦ୍ୱିତୀୟ ଥର ସାଂସଦ ହୋଇପାରିଥିଲେ । ୨୦୧୬ରେ ସେ ପୁଣି ଥରେ ନନ୍ଦିଗ୍ରାମରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତୃଣମୂଳ କଂଗ୍ରେସର ନେତା ଭାବେ ସେ ବହୁବାର ଜିତିଥିଲେବି ଏବେ ବିଜେପି ପ୍ରେମରେ ପଡ଼ିଯାଇଛନ୍ତି ।
Comments ସମସ୍ତ ମତାମତ