ମୁଖ୍ୟ ଖବର
ଲକ୍ଷ୍ନୌ : ଆମ ଆଦମୀ ପାର୍ଟ (ଆପ) ବିଧାୟକ ସୋମନାଥ ଭାରତୀଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି । ସୋମନାଥଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଏହାର ଶୁଣାଣି ପାଇଁ ଅଦାଲତ ଦିନ ଧାର୍ଯ୍ୟ କରିଛି । ଦିଲ୍ଲୀ ସରକାରଙ୍କ ପୂର୍ବତନ ଆଇନ ମନ୍ତ୍ରୀ ସୋମନାଥ ଉତ୍ତରପ୍ରଦେଶର ହସ୍ପିଟାଲ ଗୁଡ଼ିକରେ ଜନ୍ମ ଗ୍ରହଣ କରୁଥିବା ଶିଶୁକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଉତ୍ତରପ୍ରଦେଶ ହସ୍ପିଟାଲ ଗୁଡିକରେ କୁକୁରଙ୍କ ପିଲା ଜନ୍ମ ନିଅନ୍ତି ।’ ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତାଙ୍କ ବିରୋଧରେ ଜଗଦୀଶପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ସୋମବାର ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମାର୍ଚ୍ଚ ୧୫ ରୁ ୩୦ ତାରିଖ ମଧ୍ୟରେ ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ସୋମନାଥ ରାୟବରେଲୀରେ ପହଞ୍ଚିଥିଲେ । ସକାଳେ ରାୟବରେଲୀରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହିତ ଅନେକ କାର୍ଯ୍ୟକ୍ରମରେ ସେ ଯୋଗଦେବାର ଥିଲା । ସକାଳେ ସେ ଗେଷ୍ଟ ହାଉସରୁ କାର୍ଯ୍ୟକ୍ରମକୁ ଯିବା ଲାଗି ବାହାରୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ଏହାକୁ ନେଇ ପୁଲିସ ସହିତ ସୋମନାଥଙ୍କ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଜଣେ ଯୁବକ ତାଙ୍କ ଉପରକୁ କାଳି ଫିଙ୍ଗିଥିଲେ । ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିବା ସହ ସୋମନାଥଙ୍କୁ ବି ଗିରଫ କରିଛି ।
Comments ସମସ୍ତ ମତାମତ