Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଶାକ୍ତ ପୀଠ ମା’ ତାରାତାରିଣୀରେ ଦୁର୍ଗା ପୂଜା

    Share on :
    ajab-Image
    Date: Oct 9, 2020    Views: 3657

    ଦକ୍ଷିଣ ଓଡ଼ିଶାରେ ପୂଜା ପାଉଥିବା ଶକ୍ତିପୀଠ ଗୁଡ଼ିକର ବିଶେଷତ୍ୱ ରହିଛି  । ସେହି ପୀଠ ଗୁଡ଼ିକ ହେଲା ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ, ମା’ ଖମ୍ବେଶ୍ୱରୀ, ତାରାତାରିଣୀ, ମା’ ଭୈରବୀ, ନାରାୟଣୀ, ସିଂହାସିନୀ, ବାଗଦେବୀ ଇତ୍ୟାଦି  । ଏହି ଶକ୍ତିମାନଙ୍କ ମଧ୍ୟରେ ପୁଣ୍ୟତୋୟା ଋଷିକୂଲ୍ୟା ନଦୀ ତଟରେ ଥିବା ରତ୍ନଗିରି ପାହାଡ଼ର ଶିଖରରେ ଅଧିଷ୍ଠିତ ମା’ ତାରାତାରିଣୀ ପୀଠ ଅନ୍ୟତମ  ।  

    ପର୍ବତବାସିନୀ ମା’ ଦେବୀ ତାରାତାରିଣୀଙ୍କ ଆବିର୍ଭାବ ସମ୍ପର୍କରେ ବିଭିନ୍ନ ପୁରାଣଶାସ୍ତ୍ରରେ ଭିନ୍ନ ଭିନ୍ନ କିମ୍ବଦନ୍ତୀମାନ ଲିପିବଦ୍ଧ ହୋଇଛି  । ଏଥିସହିତ ଲୋକମୁଖରେ ମଧ୍ୟ କିଛି କିମ୍ବଦନ୍ତୀମାନ ସ୍ୱୀକୃତି ଲାଭ କରିଛି  । ତ୍ରେତେୟାଯୁଗରେ ରାମ ଓ ଲକ୍ଷ୍ମଣ ଦୁଇ ଭାଇ ମହାପ୍ରତାପୀ ରାବଣ ଦ୍ୱାରା ବନ୍ଦୀ ହୋଇ କାଳୀଙ୍କ ପାଖରେ ବଳି ପନିବା ଅବସ୍ଥାରେ ସତୀ ସୀତାଙ୍କର ଦୁଇଟୋପା ଲୁହରୁ ଜାତ ପ୍ରତିମୂର୍ତ୍ତି କଳି ଯୁଗରେ ତାରାତାରିଣୀ ରୂପରେ ପୂଜିତା  । ଦ୍ୱାପର ଯୁଗରେ ରାଧାକୃଷ୍ଣଙ୍କ ମିଳନ ପାଇଁ କାର୍ଯ୍ୟ କରିଥିବା ଦୁଇ ସଖୀ ହିଁ କଳିଯୁଗରେ ତାରା ଓ ତାରିଣୀ ଦୁଇ ଭଉଣୀ ରୂପେ ପୂଜିତା  ।

    ଆଶ୍ୱିନ ମାସର ଦୁର୍ଗାପୂଜା ପର୍ବ ମା’ ଦେବୀଙ୍କର ବଡ଼ ପର୍ବ  । ମହାଷ୍ଟମୀ ପୂର୍ବ ୧୬ ଦିନ ଏଠାରେ ଚଣ୍ଡୀପାଠ, ହୋମ ଓ ସ୍ୱତନ୍ତ୍ର ରୂପେ ପୂଜା ଅର୍ଚ୍ଚନା ହୋଇଥାଏ  । ଦୋଳ ପୂର୍ଣ୍ଣିମାରେ ଏଠାରେ ମହାଆଡମ୍ବରରେ ପୂଜାପାଠ ହେବା ସହ ରାତିରେ ନୂତନ ପାଞ୍ଜି ପାଠ ହୋଇ ସୁଖଶାନ୍ତିରେ ନୂତନ ବର୍ଷଟି ଅତିବାହିତ ହେବା ପାଇଁ ଭକ୍ତମାନେ ଦେବୀଙ୍କୁ ପ୍ରାର୍ଥନା କରିଥାନ୍ତି  । ବସନ୍ତ ଋତୁରେ ଫାଲଗୁନ ଶୁକ୍ଳପକ୍ଷ ପ୍ରତିପଦାଠାରୁ ୯ ଦିନ ଧରି ବାସନ୍ତିକ ଉତ୍ସବ ମହାସମାରୋହରେ ପାଳନ ହୋଇଥାଏ  । ଏହି ୯ ଦିନ ଧରି ଦିନ ରାତି ଅହରହ ଏଠାରେ ଲକ୍ଷାଧିକ ଭକ୍ତ ସମାବେଶ ହୋଇଥାନ୍ତି  । ବୈଦିକ ନୀତିରେ ମା’ ଦେବୀଙ୍କ ପାଖରେ ପୂଜା ଅର୍ଚ୍ଚନା ହେବା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ  । କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଶ୍ୟାମାକାଳୀ ପୂଜା ମହାସମାରୋହରେ ପାଳନ ହୋଇଥାଏ  । ଦୈନିକ ଏଠାରେ ତିନିଥର ଭୋଗ ଲାଗି ହୋଇଥାଏ  । ସକାଳ ଧୂପରେ ଶୁଖିଲା ଭୋଗ ଯଥା କୋରା, ଖଇ ଫେଣି, ନଡ଼ିଆ, କଦଳୀ ଇତ୍ୟାଦି ଅର୍ପଣ ହେବା ସହ ମଧ୍ୟାହ୍ନ ଓ ରାତ୍ର ଧୂପରେ ଅନ୍ନ, ଡାଲମା, ଖଟା, ଖିରି, ସାଧା ତରକାରି ଇତ୍ୟାଦି ଭୋଗ ହୋଇଥାଏ  ।

    ବିଶ୍ୱବାସିନୀ ତଥା ଅଭୟଦାୟିନୀ ମା’ ଦେବୀ ତାରାତାରିଣୀ ଗଞ୍ଜାମ ଜିଲାବାସୀଙ୍କର ଇଷ୍ଟଦେବୀ ରୂପେ ପୂଜା ପାଉଛନ୍ତି  । ଜଗଜ୍ଜନନୀ, ବିପଦହାରିଣୀ, ପୂର୍ଣ୍ଣରତ୍ନଗିରି ପୀଠବାସିନୀ ମା’ ତାରାତାରିଣୀଙ୍କ ମହିମା ଅନନ୍ତ, ଅସୀମ ଓ ଅବ୍ୟକ୍ତ  । କେତେ ପାପୀ, ତାପି, ନିଃସନ୍ତାନ ଦମ୍ପତି ଓ ରୋଗୀ ଏହି ପୀଠରେ ସେମାନଙ୍କର ମନସ୍କାମନା ପୂରଣ କରିଛନ୍ତି  । ସର୍ବୋପରି ଦକ୍ଷିଣ ଓଡ଼ିଶାର ପ୍ରଧାନ ଶକ୍ତିନୀଠ ରୂପେ ମା’ ତାରାତାରିଣୀ ପ୍ରସିଦ୍ଧିଲାଭ କରିଛନ୍ତି ତାହା ନୁହେଁ, ଓଡ଼ିଶାର ଅନ୍ୟାନ୍ୟ ଶକ୍ତିପୀଠ ପରି ସମଗ୍ର ଭାରତରେ ଏହି ପୀଠ ପ୍ରସିଦ୍ଧିଲାଭ କରିପାରିଛି  ।

    Maximum 500 characters

    ସଂସ୍କୃତି View all

    Find Us on Facebook