ମୁଖ୍ୟ ଖବର
ଭୁବନେଶ୍ୱର: ଗୁଜରାଟ ପରେ ଓଡ଼ିଶା ପିସିସିରେ ପରିବର୍ତ୍ତନ ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ଭିତରେ ପିସିସି ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ମତ ରଖିଛନ୍ତି କଂଗ୍ରେସ ନେତା ଶରତ ରାଉତ ।
ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିକୁ ଦେଖି ପିସିସି ପରିବର୍ତ୍ତନର ଆବଶ୍ୟକତା ରହିଛି । ନିର୍ବାଚନ ପୂର୍ବରୁ ଆର୍ଥିକ ସ୍ଥିତି ଓ ଅଭିଜ୍ଞତାକୁ ଦେଖି ନେତୃତ୍ୱ ବଦଳାଯାଉଥିଲା । ବିରୋଧୀ ଦଳଭାବେ ଭଲ ମୁକାବିଲା କରିବାକୁ ଜଣେ ଦକ୍ଷ ନେତା ଆବଶ୍ୟକ । ସଂଗଠନକୁ ଆଗକୁ ନେବା ଭଳି ଜଣେ ଦକ୍ଷ ନେତାଙ୍କ ଆବଶ୍ୟକତା ରହିଛି ବୋଲି ଶ୍ରୀ ରାଉତ କହିଛନ୍ତି ।
ଏହା ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନ ନେଇ ଆଶା ବ୍ୟକ୍ତ କରିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପିସିସି ସଭାପତି ଦୌଡ଼ରେ ୧୩ ଜଣ ଥିବା ଶ୍ରୀ ରାଉତରାୟ କହିଥିଲେ ।
ସେ କହିଥିଲେ ଯେ, ପିସିସି ସଭାପତି ଦୌଡ଼ରେ ଥିବା ୧୩ ଜଣଙ୍କ ମଧ୍ୟରୁ ଶରତ ପଟ୍ଟନାୟକ, ଶରତ ରାଉତ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ଦାବିଦାର ଅଛନ୍ତି । ଏହାଛଡ଼ା ଚିରଞ୍ଜୀବୀ ବିଶ୍ୱାଳ ଓ ଜୟଦେବ ଜେନା ମଧ୍ୟ ରେସରେ ଅଛନ୍ତି ବୋଲି ସେ କହିଛନ୍ତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦେଶବ୍ୟାପୀ ପିସିସି ପରିବର୍ତ୍ତନ ନେଇ ବିଚାର କରୁଛନ୍ତି । ଯୁବଗୋଷ୍ଠୀଙ୍କୁ ଦାୟିତ୍ୱ ଦେବା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ସୁର ରାଉତରାୟ କହିଥିଲେ ।
Comments ସମସ୍ତ ମତାମତ