ମୁଖ୍ୟ ଖବର
ଭୁବନେଶ୍ୱର : ସମସ୍ତ ରାଜନୈତିକ କଳ୍ପନା ଜଳ୍ପନାର ଅବସାନ ଘଟିଛି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ରାଜ୍ୟ ବିଜେପିର ମଙ୍ଗ ଧରିବାକୁ ଯାଉଛନ୍ତି । ଏନେଇ ବିଧିବଦ୍ଧ ଭାବେ ଆସନ୍ତାକାଲି ଘୋଷଣା କରାଯିବ । ଆଜି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଥିଲା । ତେବେ ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ସଭାପତି ହେବା ସ୍ପଷ୍ଟ ହୋଇଯାଇଛି । ଅପରପକ୍ଷରେ ସଭାପତି ହେବାକୁ ଆଶା ବାନ୍ଧିଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଅନ୍ୟ ଆଶାୟୀମାନଙ୍କୁ ନିରାଶ ହେବାକୁ ପଡ଼ିଛି । ସମୀର ସଭାପତି ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ରାଜ୍ୟ ବିଜେପିର ସବୁଠୁ ଟାଣୁଆ ନେତା ବୋଲି ପ୍ରମାଣିତ ହୋଇଯାଇଛି । ଗତ ସଭାପତି ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ପାଇଁ ବସନ୍ତ ପଣ୍ଡା ସଭାପତି ହୋଇଥିବା କୁହାଯାଉଥିଲା ।
ଗତବର୍ଷ ଜାନୁଆରୀରୁ ସଭାପତି ବସନ୍ତ ପଣ୍ଡାଙ୍କ ତିନିବର୍ଷିଆ କାର୍ଯ୍ୟକାଳ ଶେଷ ହୋଇଥିଲା । ତେବେ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ଶ୍ରୀ ପଣ୍ଡା ସେଇ ଦାୟିତ୍ୱରେ ରହିଥିଲେ । ଗତ ଲୋକସଭା ନିର୍ବାଚନରେ ସେ କଳାହାଣ୍ଡିରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ପଣ୍ଡାଙ୍କ ପରେ ରାଜ୍ୟ ବିଜେପିର ମଙ୍ଗ କିଏ ଧରିବ ତାହାକୁ ନେଇ ବିଜେପି ଅଳିନ୍ଦରେ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା । ଦଳର ଦାୟିତ୍ୱ ନେବାକୁ ଅନେକ ନେତା ଆଗ୍ରହ ପ୍ରକାଶ କରିଥିଲେ । ପୂର୍ବତନ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ସମୀର ଦେ’ଙ୍କ ନାମକୁ ନେଇ ବି ଚର୍ଚ୍ଚା ହେଉଥିଲା । ଖାଲି ସେତିକିନୁହେଁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ରେସରେ ରହିଥିଲେ । ସେମାନଙ୍କର ସମର୍ଥକମାନେ ସୋସିଆଲ ମିଡ଼ିଆରେ କ୍ୟାମ୍ପେନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ବହୁ ପୂର୍ବରୁ ସମୀରଙ୍କୁ ସଭାପତି କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ମନସ୍ଥିର କରିସାରିଥିଲେ । ଫଳରେ ସମୀର ହିଁ ସଭାପତି ହେବେବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଶେଷ ମୁହୂର୍ତରେ ସମୀରଙ୍କୁ ନେଇ କେତେକ ନେତାଙ୍କ ମନରେ କେଁ ରହିଥିଲା । ଯେଉଁଥିପାଇଁ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁ ବି ଚର୍ଚ୍ଚାର ପରିସରକୁ ଆସିଯାଇଥିଲା । ପରେ ଏନେଇ ବରିଷ୍ଠ ନେତାମାନଙ୍କର ଏକ ବୈଠକ ବସିଥିଲା । ବୈଠକରେ ଏନେଇ ବିଚାରବିମର୍ଷ କରାଯିବା ପରେ ସମୀର ହିଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ନିଷ୍ପତି ନିଆଯାଇଥିଲା ।
Comments ସମସ୍ତ ମତାମତ