ମୁଖ୍ୟ ଖବର
ନୂଆଦିଲ୍ଲୀ: ରାଜସ୍ଥାନର କଂଗ୍ରେସ ରାଜନୀତିରେ ସମ୍ପ୍ରତି ଅପ୍ରତ୍ୟାଶିତ ବିଦ୍ରୋହର ନିଅାଁ ଲଗାଇଥିବା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ମାର୍ଗାରେଟ ଆଲଭା କଟୁ ସମାଲୋଚନା କରିଛନ୍ତି । ଦଳ ଛାଡ଼ିବା ପାଇଁ ତୁମେ ଏପରି କାହିଁକି ବ୍ୟସ୍ତ ବିବ୍ରତ ହୋଇପଡ଼ିଲ ବୋଲି ଆଲଭା ପ୍ରଶ୍ନ କରିବା ସହ ଏପରି ବିଜେପିରେ ମିଶି କ’ଣ ୪୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଯିବ କି ବୋଲି ସେ ସଚିନଙ୍କ ଉଦେ୍ଧଶ୍ୟରେ କଟାକ୍ଷ କରିଛନ୍ତି । ସେହିପରି ସଚିନଙ୍କ ବିଦ୍ରୋହ କାଳକୁ ନେଇ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି । ସୀମାରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷ ଏବଂ ଦେଶ ଭିତରେ ମହାମାରୀ କୋଭିଡ ସହ ସଂଘର୍ଷ ପାଇଁ ଦେଶବାସୀଙ୍କ ଫୁରସତ ମିଳୁନଥିବା ବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଡ଼ିବସିବା ପରିତାପର ବିଷୟ ବୋଲି ସେ ଟିପ୍ପଣୀ କରିଛନ୍ତି । ସଚିନ ମାତ୍ର ୨୬ ବର୍ଷ ବୟସରେ କଂଗ୍ରେସ ଟିକେଟରେ ଲୋକସଭା ସାଂସଦ ଓ ପରେ କେନ୍ଦ୍ର ମନ୍ତ୍ରୀ ହେବା ସହ ଏବେ ରାଜସ୍ଥାନ ପ୍ରଦେଶ କମିଟି ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି । ତେଣୁ ବୟସକୁ ଦେଖିଲେ ଆଉ କେତେ ଶୀର୍ଷରେ ପହଞ୍ଚିବା ଲାଗି ସେ ଏତେ ତରବର ହୋଇପଡ଼ନ୍ତି ବୋଲି ରାଜସ୍ଥାନର ପ୍ରାକ୍ତନ ରାଜ୍ୟପାଳ ଆଲଭା ପ୍ରଶ୍ନ କରିଛନ୍ତି । ବିଜେପିରେ ମିଶିଗଲେ କ’ଣ ୪୩ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ଆଉ ୪୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଯିବେ ବୋଲି ୪୨ ବର୍ଷୀୟ ସଚିନଙ୍କୁ ସେ କଟାକ୍ଷ କରିଛନ୍ତି ।
Comments ସମସ୍ତ ମତାମତ