Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟ ରେଡକ୍ରସ ବିରୋଧରେ ଅଭିଯୋଗ, ଜାଣନ୍ତୁ କଣ

    Share on :
    ajab-Image
    Date: May 21, 2020    Views: 3674

    ଭୁବନେଶ୍ୱର: ଆହତ ଓ ଅସହାୟମାନଙ୍କୁ ସେବା ଯୋଗାଇବା ହେଉଛି ରେଡକ୍ରସ ସୋସାଇଟିର ମୂଳ ଉଦେ୍ଧଶ୍ୟ । କିନ୍ତୁ ମହାମାରୀ କୋଭିଡ-୧୯ ଭଳି ଜାତୀୟ ମହାବିପତ୍ତିବେଳେ ରାଜ୍ୟ ରେଡକ୍ରସ ନିଜର ମୂଳ ଲକ୍ଷ୍ୟରୁ ବିଚୁ୍ୟତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ସୁରକ୍ଷା ସମିତିର ଆବାହକ ଦିଲ୍ଲୀପ ଦାଶ ଶର୍ମା । ଏକ ବିବୃତି ଦେଇ କହିଛନ୍ତି ଯେ ରେଡକ୍ରସ ଏହାର ମୁଖ୍ୟ ୭ଟି ମୌଳିକ ନୀତି ମଧ୍ୟରୁ ପ୍ରଥମ ନୀତି ‘ମାନବିକତା’ ଭୁଲି ଯାଇଛି । ରାଜ୍ୟ ରେଡକ୍ରସ ସଭାପତି ତଥା ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ସମିତି ପକ୍ଷରୁ ଏକ ଅଭିଯୋଗ ପତ୍ର ଦିଆଯାଇଛି ।
    ଶ୍ରୀ ଦିଲ୍ଲୀପ ଦାଶଶର୍ମାଙ୍କ ଅଭିଯୋଗ ଅନୁସାରେ ମହାମାରୀ କରୋନା ପାଇଁ ଘରମୁହାଁ ହୋଇଥିବା ପ୍ରବାସୀ ଦାଦନ ଶ୍ରମିକମାନେ ରାଜରାସ୍ତାରେ ଅକଥନୀୟ ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତି । କିଏ ଚାଲୁ ଚାଲୁ ପ୍ରାଣ ହରାଇଲେଣି ତ କିଏ ଚାଲୁ ଚାଲୁ ରାସ୍ତାଘାଟ ନବଜାତ ଶିଶୁ ଜନ୍ମ ଦେଲେଣି । ସେହିଭଳି ରେଳଧାରଣାରେ ହେଉ କି ଜାତୀୟ ରାଜପଥରେ ହେଉ ଅନେକ ଦୁର୍ଘଟଣାରେ ପ୍ରାଣ ହରାଇଲେଣି ଓ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଗରିବ ଅସହାୟ ଲୋକଙ୍କ ଏଭଳି ଦାରୁଣ ଦୁଃଖ ସମୟରେ ରେଡକ୍ରସ ଚୁପ ବସିଛି । ପ୍ରବାସୀ ଶ୍ରମିକମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବାରେ ଓ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଫେରାଇ ନେବାରେ ରେଡକ୍ରସ ମୁଖ୍ୟ ଦାୟିତ୍ୱ ବହନ କରିବା କଥା । ସେହିଭଳି ରାଜ୍ୟ ସୀମାରେ ରେଡକ୍ରସ ଶିବିର ପ୍ରତିଷ୍ଠା କରି ପ୍ରବାସୀ ଶ୍ରମିକମାନଙ୍କ ଆବଶ୍ୟକ ଚିକିତ୍ସା ଓ ସହାୟତା ଯୋଗାଇବା କଥା । କରୋନା ଯୁଦ୍ଧ ଅନ୍ୟ କୌଣସି ଯୁଦ୍ଧ ଠାରୁ କମ୍‍ ନୁହେଁ । କେବଳ ଏଥିପାଇଁ ହିଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ରେଡକ୍ରସକୁ ୪୪.୫ କୋଟି ଟଙ୍କା ଅନୁଦାନ ମିଳିଛି । କିନ୍ତୁ ପରିତାପର କଥା ସେ ରେଡକ୍ରସ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।
    ରାଜ୍ୟ ରେଡକ୍ରସ ନିଜର ମୌଳିକ ନୀତି ମାନବିକତା ଭୁଲି ନ ଯାଇ ପ୍ରବାସୀଙ୍କୁ ସହାୟତା କରିବା ଲାଗି ଆଗେଇ ଆସୁ ବୋଲି ସୁରକ୍ଷା ସମିତି ଦାବି କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook