ମୁଖ୍ୟ ଖବର
କୋରାପୁଟ: ସୀମା ଟପିଛି ଅମାନବିକତା । ଜଣେ ୪ ବର୍ଷର ଶିଶୁକନ୍ୟା ସହ ହୋଇଛି ଦୁଷ୍କର୍ମ । ନାବାଳିକାଙ୍କୁ ନୀଳଗିରି ଜଙ୍ଗଲକୁ ଡାକି ନେଇ ଜଣେ ଯୁବକ କରିଛି ପାଶବିକ ଅତ୍ୟାଚାର । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଅଞ୍ଚଳରେ ହୋଇଥିବା ଏହି ଘଟଣାରେ ପୀଡ଼ିତାଙ୍କ ଅବସ୍ଥା ଅତି ଗୁରୁତର ହୋଇ ପଡ଼ିଛି । ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି । ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି ।
ଯୁବକ ଜଣକ ଟ୍ରାକ୍ଟରରେ ଶ୍ରମିକ ଭାବେ ନିୟମିତ ଏହି ଗାଁକୁ ଯାଉଥିବାରୁ ତାକୁ କେହି ସନେ୍ଦହ କରି ନଥିଲେ । ଆଉ ଏହାର ଫାଇଦା ନେଇ ଜଙ୍ଗଲରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ଶିଶୁ କନ୍ୟାଟି ଅଚେତ ହୋଇପଡ଼ିବାରୁ ସେଠାରୁ ତାକୁ ସେମିତି ପକାଇ ଦେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ ଯୁବକ । ଏବଟେ ଝିଅକୁ ଗାଁ ଦାଣ୍ଡରେ ନ ପାଇ ପରିବାର ଲୋକ ସମସ୍ତଙ୍କୁ ପଚରା ପଚରି କରିଥିଲେ । ଖୋଜାଖୋଜି କରିବାରୁ ଗ୍ରାମ ନିକଟସ୍ଥ ନୀଳଗିରି ଜଙ୍ଗଲରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଉଦ୍ଧାର କରିଥିଲେ । ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ଜାକିରି ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବା ହେତୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଏଠାରେ ଶିଶୁ କନ୍ୟାର ଚିକିତ୍ସା ଚାଲିଛି । ଏବେ ଅବସ୍ଥା ସ୍ଥିର ରହିଛି । ଅପରପକ୍ଷରେ ଶିଶୁର ସମ୍ପର୍କୀୟ ଜାକିରି ଗୁମ୍ମା ଥାନାରେ ଦୁଷ୍କର୍ମ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ଜାକିରିଗୁମ୍ମା ଥାନାରେ ମାମଲା ରୁଜୁ ହୋଇଛି । ଜାକିରିଗୁମ୍ମା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ଘଟଣାର ତଦନ୍ତ କରୁଥିଲା ବେଳେ ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନୀ କୁମାର ନାୟକ ଓ ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରୀ ସାହୁ କୋରାପୁଟ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳକୁ ଯାଇ ଛାନଭିନ କରିଛନ୍ତି । ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖାଯାଇଛି । ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି ।
Comments ସମସ୍ତ ମତାମତ