ମୁଖ୍ୟ ଖବର
ଭୁବନେଶ୍ୱର: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବୁଧବାର ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ବିଜେଡି ସାମିଲ ହୋଇନଥିବା ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି । ସେ କହିଛନ୍ତି ଯେ, ଲୋକଙ୍କ ବିଭିନ୍ନ ଦାବି ସବୁବେଳେ ରହିବ । ତେବେ ଦାବି ପୂରଣ ପାଇଁ ବନ୍ଦ କରି ଜୀବନ ଯାତ୍ରା ଠପ ସପକ୍ଷରେ ମୁଁ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ସେହିପରି ଆଜିର ବନ୍ଦ ପ୍ରଭାବ ବାଟରେ ଆସିଲା ବେଳେ କିଛି ଅନୁଭବ କଲି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଅନ୍ୟପକ୍ଷରେ ବନ୍ଦ ପାଳନ ସଫଳ ହୋଇଛି ବୋଲି ବାମପନ୍ଥୀ ନେତା ଜନାର୍ଦ୍ଧନ ପତି ଓ ରାମକୃଷ୍ଣ ପଣ୍ଡା କହିଛନ୍ତି । ଏଥିସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନେ୍ଦାଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ବୁଧବାର ସର୍ବଭାରତୀୟ ୨୪ଘଣ୍ଟିଆ ଧର୍ମଘଟ ଡକରା ଦିଆଯାଇଛି। ଏହାକୁ କଂଗ୍ରେସ ସମେତ ବାମଦଳ ଗୁଡିକ ସମର୍ଥନ ଜଣାଇଛନ୍ତି । ଓଡ଼ିଶାରେ ଭାରତ ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରତିନିଧିମାନେ ମଙ୍ଗଳବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ, ଗୃହମନ୍ତ୍ରୀ, କ୍ୟାପଟେନ୍ ଦିବ୍ୟସିଂହ ମିଶ୍ର ଓ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କୁ ସଚିବାଳୟରେ ସାକ୍ଷାତ କରି ସମର୍ଥନ ଲୋଡିଥିଲେ ।
Comments ସମସ୍ତ ମତାମତ