ମୁଖ୍ୟ ଖବର
ଭୁବନେଶ୍ୱର: ପ୍ରବାସୀଙ୍କୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବିଡିଓଙ୍କ କଟୁ ମନ୍ତବ୍ୟ ଭିଡିଓ ଭାଇରାଲ ଘଟଣାରେ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଡିଓଙ୍କ ବ୍ୟବହାର ଠିକ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଏ ସମ୍ପର୍କରେ ସେ ଅବଗତ ଥିବା କହିବା ସହ ଏନେଇ ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ସୂଚନା ମୁତାବକ, ବୁଧବାର ସକାଳେ ଗୁଜୁରାଟର ସୁରେନ୍ଦ୍ରନଗରରୁ ଟ୍ରେନ୍ ଯୋଗେ ବାଲେଶ୍ୱର ଆସି ସେଠାରୁ ବସରେ ବାଲିଆପାଳ ବ୍ଲକକୁ ଆସିଥିଲେ କିଛି ପ୍ରବାସୀ ଶ୍ରମିକ। ବ୍ଳକ ପକ୍ଷରୁ ସେଠାରେ ସମସ୍ତଙ୍କର ନାମ ପଞ୍ଜୀକରଣ ସହ ନିଜ ନିଜ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ଲାଗି ବ୍ୟବସ୍ଥା ହୋଇଥିଲା।
ଏଥିପାଇଁ ଆନୁସଙ୍ଗିକ କାଗଜପତ୍ର କାମ ପାଇଁ ଅପେକ୍ଷା କରିବାକୁ କୁହାଯିବା ପରେ ଶ୍ରମିକମାନେ ମଧ୍ୟାହ୍ନ ସାଢେ ଗୋଟାଏରୁ ବ୍ଳକ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଅପେକ୍ଷା କରିଥିଲେ। ତେବେ ବହୁ ସମୟ ପରେ ମଧ୍ୟ କେହି ନ ଆସିବାରୁ ଭୋକଶୋଷରେ ଛିଡ଼ା ହୋଇଥିବା ଶ୍ରମିକମାନଙ୍କର ଧୈର୍ୟ୍ୟଚ୍ୟୁତି ଘଟିଥିଲା। ଆଉ କେତେ ସମୟ ଖରାରେ ଠିଆ ହେବୁ ବୋଲି ପଚାରିବାରୁ ଚିହିଁକି ଉଠିଥିଲେ ବାଲିଆପାଳ ବିଡିଓ ଛବିରାଣୀ ସାହୁ ।
ସେମାନଙ୍କୁ ଗାଳିଗୁଲଜ କରିବା ସହ ମୁଁ ଜଣେ ଓଏଏସ୍ ଅଫିସର। ତମ ଭଳି ଦାଦନ ଶ୍ରମିକ ନୁହଁ। ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ। ଚୁପଟ୍ଟ ପୂରା ଚୁପ୍ ।। ତମ ଚଉଦ ପୁରଷ ଏଠାରେ ଛିଡା ହେବେ ବୋଲି କହିଥିଲେ। ଦୁଇ ଦିନ ହେଲା ଟ୍ରେନରେ କିଛି ଖାଇନଥିବା ଓ ପ୍ରବଳ ଖରାରେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଏହି ଶ୍ରମିକମାନେ ମୁଣ୍ଡକାନ ଆଉଁସି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ।
Comments ସମସ୍ତ ମତାମତ