ମୁଖ୍ୟ ଖବର
ଚଣ୍ଡିଗଡ଼: କୌଣସି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅବଧି ପୂର୍ବରୁ କ୍ଷମତାଚୁ୍ୟତ କରିବା ପାଇଁ ପ୍ରଥମ ରାଜ୍ୟ ଭାବେ ଆଇନ ଆଣିଛି ହରିୟାଣା । ଶନିବାର ରାଜ୍ୟ ବିଧାନସଭାରେ କୌଣସି ସରପଞ୍ଚଙ୍କୁ କାର୍ଯ୍ୟକାଳ ଶେଷ ପୂର୍ବରୁ ହଟାଇବା ପାଇଁ ଲୋକଙ୍କୁ ଅଧିକାର ପ୍ରଦାନ ବା ‘ରାଇଟ ଟୁ ରି କଲ’ ସମ୍ପର୍କିତ ଐତିହାସିକ ବିଧେୟକ ଗୃହୀତ ହୋଇଛି । ଏଥିପାଇଁ ସରକାର ରାଜ୍ୟ ପଞ୍ଚାୟତି ରାଜ ଆଇନରେ ସଂଶୋଧନ ଆଣିଛନ୍ତି । ଜନନାୟକ ଜନତା ପାର୍ଟି (ଜେଜେପି) ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ବିଧାନସଭାରେ ଏହି ବିଧେୟକ ଆଗତ କରିବା ପରେ ଏହା ବହୁମତରେ ଗୃହୀତ ହୋଇଛି । ସରପଞ୍ଚ ଉପରେ ପଞ୍ଚାୟତବାସୀ ଅସୁଖୀ ଥିଲେ । ଗ୍ରାମର ୩୩ ପ୍ରତିଶତ ମତଦାତାଙ୍କ ଦସ୍ତଖତକ୍ରମେ ସରପଞ୍ଚଙ୍କୁ ପଦରୁ ହଟାଇବା ପାଇଁ ନୋଟିସ ଦିଆଯାଇପାରିବ ବୋଲି ବିଧେୟକରେ ବ୍ୟବସ୍ଥା ରହିଛି । ଲୋକସଭା ଓ ବିଧାନସଭା ସଦସ୍ୟଙ୍କ କ୍ଷେତ୍ରରେ ଏଭଳି ‘ରାଇଟ ଟୁ ରି କଲ’ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ଦେଶରେ ଦୀର୍ଘ କାଳ ଧରି ଦାବି ହୋଇ ଆସୁଥିଲା ବେଳେ ହରିଆଣା ସରକାର ଏ ଦିଗରେ ପଥ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଗଣତନ୍ତ୍ର ତଥା ପଞ୍ଚାୟତି ରାଜ ବ୍ୟବସ୍ଥାରେ ଏକ ବୈପ୍ଲବିକ ପଦକ୍ଷେପ ବୋଲି ଚୌଟାଲା କହିଛନ୍ତି । ‘ରାଇଟ ଟୁ ରି-କଲ’ ଆଇନଅନୁସାରେ ପଞ୍ଚାୟତର ୩୩ ପ୍ରତିଶତ ମତଦାତାଙ୍କ ଦସ୍ତଖତ କ୍ରମେ ଏକ ପ୍ରସ୍ତାବ ସ୍ଥାନୀୟ ବିଡିଓ, ପଞ୍ଚାୟତ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯିବ । ପରେ ଗ୍ରାମସଭା ଆହ୍ୱାନ କରାଯାଇ ପ୍ରସ୍ତାବ ଉପରେ ବିଚାର ବିମର୍ଶ କରାଯିବ । ଏହି ଆଲୋଚନା ପରେ ତୁରନ୍ତ ମତଦାତା ଗୁପ୍ତ ଭୋଟ ଜରିଆରେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ । ସରପଞ୍ଚଙ୍କ ବିରୋଧରେ ଯଦି ୬୭ ପ୍ରତିଶତରୁ ଅଧିକ ଭୋଟ ପଡେ଼ ତେବେ ସେ ପଦଚୁ୍ୟତ ହେବେ । ଏତଦ ବ୍ୟତୀତ ଏହି ଆଇନ ଅନୁସାରେ ସରପଞ୍ଚ ଯଦି ଗୋଟିଏ ବର୍ଷର କାର୍ଯ୍ୟକାଳ ପୂରା କରି ସାରିଥିବେ ତେବେ ତାଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟରେ ପଦରୁ ହଟାଇ ଦିଆଯାଇପାରିବ । ଦୁଇ ତୃତୀୟାଂଶ ଭୋଟରେ ଏହି ପ୍ରସ୍ତାବ ସରପଞ୍ଚଙ୍କ ବିରୋଧରେ ଗୃହୀତ ହେବା ଆବଶ୍ୟକ ।
Comments ସମସ୍ତ ମତାମତ