Share on :
0
Date: Jan 14, 2021 Views: 3923
ପଟ୍ଟାମୁଣ୍ଡାଇ: ରାଜନଗର ବ୍ଲକ ଘଡିଆମାଳ ଗ୍ରାମରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭୟ ରାଉତ ନାମକ ଯୁବକକୁ ମାଡ଼ମାରି ଅପହରଣ କରି ନେଇ ଯାଇଥିଲେ ୫ଜଣ ଯୁବକ । ଚାନ୍ଦବାଲି ଥାନା ନେଢୁଆଳି ଗ୍ରାମର ଅଭୟ ଘଡିଆମାଳରେ ରହି ଚିଙ୍ଗୁଡି ଦାନା ସପ୍ଲାୟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ ନେଇ ପାଞ୍ଚଜଣ ବ୍ୟକ୍ତି ତାକୁ ମାଡ଼ମାରି ଜୋର ଜବରଦସ୍ତ ବୋଲେରୋ ଗାଡିରେ ପୁରାଇ ନେଇଯାଇଥିବା ଅଭୟଙ୍କ ବଂଧୁ ସରସ୍ଵତୀ ମାଝୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗକୁ ଭିତ୍ତିକରି ରାଜନଗର ଆଇଆଇସି ତପନ କୁମାର ନାୟକ ପଟ୍ଟାମୁଣ୍ଡାଇ,ଆଳି,ନିକିରେଇ ଓ ଚାନ୍ଦବାଲି ଥାନାକୁ ଫୋନ୍ ମାଧ୍ୟମରେ ଜଣାଇବା ସହ ଅପହୃତ ବ୍ୟକ୍ତିଙ୍କ ମୋବାଇଲଟିକୁ ଟ୍ରାକିଂକରି ଜାଣିବାକୁ ପାଇଥିଲେ ଯେ, ମୋବଇଲଟିର ଲୋକେସନ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖାଉଛି । ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ସହଯୋଗରେ ପଟ୍ଟାମୁଣ୍ଡାଇ-ଆଳି ମୁଖ୍ୟ ରାସ୍ତାର ବନ୍ୟା ଢ଼ାବା ନିକଟରୁ ଏକ ବୋଲେରୋରେ ଥିବା ପାଞ୍ଚଜଣ ଅପହରଣକାରୀଙ୍କ ସମେତ ଅପହୃତ ଅଭୟଙ୍କୁ ଉଦ୍ଧାର କରିଛି ପୋଲିସ । ଆଜି ରାଜନଗର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍.ଡି.ପି.ଓ ରଂଜନ କୁମାର ଦେଓ ଅପହରଣକାରୀ ବସନ୍ତ ସାମଲ,ପ୍ରଦୀପ ସେଠୀ, ସୁଶାନ୍ତ ସେଠୀ , ଶରତ ସାମଲ ଓ ଜଗନ୍ନାଥ ବିଶ୍ୱାଳ ସମସ୍ତେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ବୋଲି କହିଥିଲେ l ଏହି ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିବା ସହିତ ସେମାନଙ୍କଠାରୁ ବୋଲେରୋ ଗାଡି(OD05F0449),ସାତଟି ମୋବାଇଲ ଫୋନ ଏବଂ ୧ହଜାର ଟଙ୍କା ଜବତ କରିବା ସହ କେସ୍ ନମ୍ବର ୧୨/ ୧୨-୧-୨୧ ରେ ଆଇ.ପି.ସି ଧାରା 294/364/506/34 ରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି l
(ରିପୋର୍ଟ :- ସୌମ୍ୟରଞ୍ଜନ ଗିରି)
Comments ସମସ୍ତ ମତାମତ