ମୁଖ୍ୟ ଖବର
ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବିରେ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଲିଖିତ ଏହି ସ୍ମାରକପତ୍ରରେ ଶ୍ରୀ ନୱାଜ କହିଛନ୍ତି ଯେ ଅର୍ଣ୍ଣବ ଗୋସ୍ୱାମୀ ତାଙ୍କ କାର୍ଯ୍ୟକଳାପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଦଳର ଗେହ୍ଲାପୁଅ ଭାବେ ପରିଚିତ । ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି ଅର୍ଣ୍ଣବ ଜଣେ ଦେଶଦ୍ରୋହୀ ବୋଲି ସାରା ଦେଶ ଜାଣି ସାରିଲାଣି । ମାତ୍ର ଆନେ୍ଦାଳନରତ କୃଷକଙ୍କୁ ଦେଶଦ୍ରୋହୀ କହୁଥିବା ପ୍ରଧାନମନ୍ତ୍ରୀ ଓ ବିଜେପି ଅର୍ଣ୍ଣବଙ୍କୁ ଦେଶ ଦ୍ରୋହୀ କହିବାକୁ ଅମଙ୍ଗ । ଅର୍ଣ୍ଣବ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଦେଶବାସୀ ଚାହିଁ ବସିଛନ୍ତି । ଅର୍ଣ୍ଣବ ଓ ରିପବ୍ଲିକ ଟିଭି ବିଜେପିର ମୁଖପାତ୍ର ଭାବେ କାର୍ଯ୍ୟ କରୁଛି । ବାଲାକୋଟ ଆକ୍ରମଣର ତିନି ଦିନ ପୂର୍ବରୁ ଏ ସଂପର୍କରେ ଅର୍ଣ୍ଣବ କେମିତି ଜାଣିଲେ ଏବଂ ଜାଣିବା ପରେ ପ୍ରକଟ କଲେ? ଏ ଦେଶର ପ୍ରତିରକ୍ଷା ବିଭାଗ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଅର୍ଣ୍ଣବ ଗୋସ୍ୱାମୀଙ୍କର ପ୍ରଭାବ ରହିଛି । ଅର୍ଣ୍ଣବଙ୍କୁ ଏ ତଥ୍ୟ ଯୋଗାଇ ଦିଆଯାଇଛି ନା ସେ ତଥ୍ୟ ଚୋରି କରିଛନ୍ତି ଏ ସଂପର୍କରେ ଦେଶବାସୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ଶ୍ରୀ ନୱାଜ କହିଛନ୍ତି ।
ଅର୍ଣ୍ଣବ ଓ ବି.ଏ.ଆର.ସି.ର ସିଇଓ ପାର୍ଥ ଦାଶଗୁପ୍ତା ମଧ୍ୟରେ ବାଲାକୋଟ ଆକ୍ରମଣର ତିନିଦିନ ପୂର୍ବରୁ ହ୍ୱାଟ୍ସଆପ୍ ମାଧ୍ୟମରେ ଯେଉଁ କଥାବାର୍ତା ହୋଇଥିଲା ସେଥିରେ କୁହାଯାଇଥିଲା ଯେ ପାକିସ୍ତାନ ଉପରେ ବଡ ଧରଣର ଆକ୍ରମଣ ହେବ । ଏଥିରେ ଜଣେ ବଡ ଲୋକ ଉପକୃତ ହେବେ । ଦେଶର ଲୋକ ଉଲ୍ଲସିତ ହେବେ ଓ ଆଗାମୀ ନିର୍ବାଚନରେ ପୋଛି ନେବେ । ଏହାର ଉଦେ୍ଧଶ୍ୟ କଣ ତାହା ସାଧାରଣ ଜନତା ଏଥିରୁ ବୁଝି ପାରୁଛନ୍ତି । ଅନ୍ୟ ପକ୍ଷରେ ପୁଲୱାମାରେ ୪୦ ଜଣ ଭାରତୀୟ ସହିଦ ହେବା ଘଟଣାକୁ ଅର୍ଣ୍ଣବ ଅତି ଆନନ୍ଦର ସହ ପାଳନ କଲେ । ଏ ଘଟଣାରେ ତାଙ୍କର ଟିଆରପି ବୃଦ୍ଧିକୁ ନେଇ ସେ ଆନନ୍ଦରେ ଅଧିର ହୋଇଗଲେ । ଭାରତୀୟ ସୈନିକଙ୍କ ମର୍ମନ୍ତୁଦ ମୃତୁ୍ୟର ସେ ମଜା ନେଉଥିଲେ । ସୁତରାଂ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଆଖିରେ ଦେଶଦ୍ରୋହର ସଂଜ୍ଞା କଣ? ଦେଶର ନିରାପତା ବ୍ୟବସ୍ଥା ବିପଦଗସ୍ତ । ଅର୍ଣ୍ଣବ ଗୋସ୍ୱାମୀ ପ୍ରତିରକ୍ଷା ବିଭାଗର ସବୁଠାରୁ ଗୁପ୍ତ ନିଷ୍ପତି ସଂପର୍କରେ ଜାଣି ପାରିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଅର୍ଣ୍ଣବ ଗୋସ୍ୱାମୀ ଏବଂ ଅନ୍ୟ ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ସେମାନଙ୍କୁ ଦେଶଦ୍ରୋହ ଅପରାଧରେ ଦଣ୍ଡିତ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି । ରିପବ୍ଲିକ୍ ଟିଭିକୁ ସଂପୂର୍ଣ୍ଣ ଅସିଦ୍ଧ ଘୋଷଣା କରିବାକୁ ମଧ୍ୟ ଦାବି କରୁଛି ।
ଏହି କାର୍ଯ୍ୟକ୍ରମରେ ନିହାର ରଞ୍ଜନ ବେହେରା, ବାବୁ ଜେନା, କାର୍ତିକ କାଣ୍ଡି, ବିପ୍ଳବ ପରିଡା, ଅବିନାଶ ନନ୍ଦ, ରେହମଜ ଖାନ୍, ଯୁବରାଜ ମହାନ୍ତି, ବିଶ୍ୱଭୂଷଣ ମହାପାତ୍ର, ସୌମ୍ୟରଞ୍ଜନ ବରାଳ, ଆର୍ଯ୍ୟନ ସାମଲ, ରଶ୍ମିରଂଜନ ବେହେରା, ଅଭିଳାଶ ସାମନ୍ତରାୟ, ସୂର୍ଯ୍ୟକାନ୍ତ ସାହୁ, ମହମ୍ମଦ ଗୁଲଫାମ, ଦେବପ୍ରସାଦ ନାୟକ, ଆଶିଷ କୁମାର ଦାସ, ହରପ୍ରସାଦ ବେହେରା, ସୌମ୍ୟରଂଜନ ମିଶ୍ର, ଅସିତ୍ ମିଶ୍ର, ସ୍ୱଦେଶ ରଂଜନ ପରିଡା, ନିଆଜୁଲ ଇସ୍ଲାମ, ସିବାନ ମୁଶରଫ, ନିତେଶ ବେହେରା ପ୍ରମୁଖ ବହୁ ଛାତ୍ର କଂଗ୍ରେସ ନେତା ଯୋଗ ଦେଇଥିଲେ ।
Comments ସମସ୍ତ ମତାମତ