ମୁଖ୍ୟ ଖବର
ଭୁବନେଶ୍ୱର : ଧିରେଧିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସ ନେତାମାନେ ମେଳି ବାନ୍ଧିବା ଆରମ୍ଭ କରିଦେଲେଣି । ସମ୍ପ୍ରତି ଚାଲିଥିବା ନିରଞ୍ଜନ ହଟାଅ ଅଭିଯାନରେ ବାପି ସର୍ଖେଲ ଓ ମହମ୍ମଦ ମୁକିମଙ୍କ ଭଳି ନେତାମାନେ ପଦାକୁ ଆସିଥିବାବେଳେ ଅନେକ ବରିଷ୍ଠ ନେତା ନୀରବତା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । ବିଧାୟକ ସୁର ରାଉତରାୟ ଓ ତାରା ପ୍ରସାଦ ବାହିନୀପତିଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ଏନେଇ ମନଖୋଲା କଥା ବି କହୁନଥିବା ଦେଖିବାକୁ ମିଳିଛି । ଏମିତିକି ନିରଞ୍ଜନଙ୍କ କେତେକ ସମର୍ଥକ ବି ନିରଞ୍ଜନଙ୍କ ବିରୋଧରେ ଗୋଟି ଚଳାଉଥିବା ନେଇ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି ।
ମିଳିଥିବା ସୂଚନାନୁଯାୟୀ, ନଭେମ୍ବର ୨ରେ ଭଦ୍ରକରେ କଂଗ୍ରେସ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା । ବୈଠକରେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, ସୁରେଶ ମହାପାତ୍ର, କାଙ୍ଗାଳି ଚରଣ ପଣ୍ଡା, ନରେନ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବୈଠକର ନିର୍ଯ୍ୟାସ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ସୂଚନା ମିଳିନଥିଲେ ମଧ୍ୟ ପିସିସି ପରିବର୍ତନ ନେଇ ଚର୍ଚ୍ଚା ହୋଇଥିବା କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି । ଏମିତିକି ପୁଣି ଏଇ ବରିଷ୍ଠ ନେତାମାନେ ଆସନ୍ତା ସପ୍ତାହରେ ବୈଠକ କରିବାକୁ ନିଷ୍ପତି ନେଇଥିବା ଜାଣିବାକୁ ମିଳିଛି । ଏଠାରେ ସୂଚାଇ ଦିଆଯାଇପାରେଯେ, ଅନନ୍ତ ଓ ନରେନଙ୍କ ମଧ୍ୟରେ ବହୁ ବର୍ଷ ଧରି ତିକ୍ତତା ଲାଗି ରହିଛି । ଉଭୟ ଉଭୟଙ୍କ ବୈଠକରେ ଯୋଗ ମଧ୍ୟ ଦେଇନଥା’ନ୍ତି । ତେବେ ଅନନ୍ତଙ୍କ ଘରେ ସେଦିନ ନରେନଙ୍କୁ ମଧ୍ୟ ଦେଖିବାକୁ ମିଳିବା ଘଟଣା ଭଦ୍ରକ ରାଜନୀତିରେ ଚର୍ଚ୍ଚା ସୃଷ୍ଟିକରିଛି ।
ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ ପୁଣି ଥରେ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି କରାଯାଇପାରେ ବୋଲି କୁହାଯାଉଛି । ପୂର୍ବଥର ବି ରେସରେ ନଥିବା ପ୍ରସାଦଙ୍କୁ ହାଇକମାଣ୍ଡ ଏହି ଗୁରୁ ଦାୟିତ୍ୱ ଅର୍ପଣ କରିଥିଲେ । ଏବେ ପ୍ରସାଦଙ୍କ ନାମକୁ ନେଇ ଚର୍ଚ୍ଚା ହେଉନଥିଲେ ବି ପୂର୍ବ ଭଳି ପୁଣି ଥରେ ହାଇକମାଣ୍ଡ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରନ୍ତି । ଦିଲ୍ଲୀ ଅଳିନ୍ଦର ଏଭଳି ସୂଚନା ପ୍ରସାଦ ବିରୋଧୀଙ୍କ ମନରେ ଛନକା ପୂରେଇ ଦେଇଛି । ଯେଉଁଥିପାଇଁ ମହମ୍ମଦ ମୋକିମଙ୍କୁ ନେଇ ନାଟକ ରଚାଯାଉଛି ବୋଲି ପ୍ରସାଦଙ୍କ ଜଣେ ସମର୍ଥକ ମତପ୍ରକାଶ କରିଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେଯେ, ଦୀପାବଳି ପରେ ରାଜ୍ୟ କଂଗ୍ରେସର ନବକଳେବର ହେବ । ପିସିସି ପୁନର୍ଗଠିତ ହେବ । ଏକଥା ଆମେ ନୁହଁ, ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ । କିନ୍ତୁ ଦୀପାବଳି ପରେପରେ ଖୋଦ ନିରଞ୍ଜନଙ୍କୁ ହଟାଇବା ପାଇଁ ମଧ୍ୟ କଂଗ୍ରେସ ନେତା ଲାଗି ପଡ଼ିଛନ୍ତି । ଅବଶ୍ୟ କଂଗ୍ରେସରେ ଏହା ନୂଆ କଥା ନୁହେଁ । ତେବେ ବ୍ୟତିକ୍ରମଟି ହେଉଛି, ପୂର୍ବରୁ ପିସିସି ସଭାପତି ହଟାଇବାକୁ ବରିଷ୍ଠ ନେତାମାନେ ମେଳି କରୁଥିବାବେଳେ ଏବେ କନିଷ୍ଠ ନେତାମାନେ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ବରିଷ୍ଠ ନେତାମାନଙ୍କ ବିନା ସହଯୋଗରେ ନିରଞ୍ଜନଙ୍କୁ ହଟାଇବା ପାଇଁ କନିଷ୍ଠ ନେତାମାନେ ମେଳି କରିବା ଘଟଣାକୁ କଂଗ୍ରେସ ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଏଯାବତ ହେମାନନ୍ଦ ବିଶ୍ୱାଳଙ୍କ ବ୍ୟତୀତ ଅନ୍ୟ କେହି ବରିଷ୍ଠ ନେତା ଖୁଲମଖୁଲା ଅସନ୍ତୋଷ ପ୍ରକାଶ କରିନାହାନ୍ତି ।
Comments ସମସ୍ତ ମତାମତ