Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କ୍ୟାବିନେଟରେ ନିଆଗଲା କି ନିଷ୍ପତି, ଜାଣନ୍ତୁ

    Share on :
    ajab-Image
    Date: Feb 7, 2020    Views: 3941

    କେବଳ ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପା ନିଯୁକ୍ତି
    ଖାଲି ପଡ଼ିଥିବା ମୂଳ ପଦବୀରେ ୫୦% ପର୍ଯ୍ୟନ୍ତ ଅନୁକମ୍ପା ନିଯୁକ୍ତି 
    ପାନୀୟ ଜଳ ପ୍ରକଳ୍ପ : ଭୋଲଟାସ କମ୍ପାନୀର ଟେଣ୍ଡରକୁ ମଂଜୁରୀ
    ଏସଟିପିଆଇ କେନ୍ଦ୍ର ପାଇଁ ବିନା ପ୍ରିମିୟମରେ ମିଳିବ ୩ ଏକର ପର୍ଯ୍ୟନ୍ତ ଜମି
    ଜାତୀୟ ଇ-ନିଲାମୀ ପ୍ରକ୍ରି୍ରୟାରେ ଭାଗ ନେଇପାରିବେନି କ୍ରୋମ ଖଣି ମାଲିକ

    ଭୁବନେଶ୍ୱର : ଏଣିକି କେବଳ ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ । ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଖାଲି ପଡ଼ିଥିବା ମୂଳ ପଦବୀରେ ୫୦% ପର୍ଯ୍ୟନ୍ତ ସଂରକ୍ଷଣ ବି ରହିବ  । ସେହିପରି କ୍ରୋମ ଖଣି ମାଲିକମାନେ ଆଉ ଜାତୀୟ ଇ-ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ  । ଏଭଳି ଅନେକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି  । ଅପରପକ୍ଷରେ ଏସଟିପିଆଇ କେନ୍ଦ୍ର ନିମନ୍ତେ ବିନା ପ୍ରିମିୟମରେ ୩ ଏକର ପର୍ଯ୍ୟନ୍ତ ଜମି ଯୋଗାଣ ସହ ସୁନ୍ଦରଗଡ଼ରେ ପାନୀୟ ଜଳ ପ୍ରକଳ୍ପ ପାଇଁ ଭୋଲଟାସ କମ୍ପାନୀକୁ କାର୍ଯ୍ୟାଦେଶ ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ବି କ୍ୟାବିନେଟର ମୋହର ଲାଗିଛି  ।

    ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା  । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରିବା ପରେ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  । 

    କ୍ୟାବିନେଟରେ ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ ୨୦୨୦ ପ୍ରଣୟନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା  । ସରକାରୀ ଚାକିରୀରେ ଥାଇ ମୃତୁ୍ୟବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରର ପ୍ରତିପୋଷଣ ପାଇଁ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯାଉଛି । ତେବେ ସମ୍ପ୍ରତି ମୂଳ ପଦବୀରେ ଖାଲି ଥିବା ୧୦% ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ବ୍ୟବସ୍ଥା ଥିବାବେଳେ ଏହାକୁ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛନ୍ତି  । ଅପରପକ୍ଷରେ ପୂର୍ବରୁ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ମିଳୁଥିବାବେଳେ ଏବେ କେବଳ ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ଏତଦବ୍ୟତୀତ ଓଡ଼ିଶା ବେସାମରିକ ସେବା ଆଇନ ୨୦୦୩ରେ ମଧ୍ୟ ସଂଶୋଧନ ନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟର ମଂଜୁରୀ ମିଳିଛି  ।

    ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ସୁନ୍ଦରଗଡ଼ରେ ପାନୀୟ ଜଳ ପ୍ରକଳ୍ପ ପାଇଁ ଆହୂତ ଟେଣ୍ଡରକୁ ମଂଜୁରୀ ମିଳିଛି  । ଜିଲ୍ଲାର ୩ ବ୍ଲକର ୨୫ ପଂଚାୟତକୁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ସରକାର ଟେଣ୍ଡର ଆହ୍ୱାନ କରିଥିଲେ  । ଥାନେର ଭୋଲଟାସ କମ୍ପାନୀ ସର୍ବନିମ୍ନ ୩୨୦ କୋଟି ୧୧ ଲକ୍ଷ ୨୦ ହଜାର ଟଙ୍କାର ବିଡ଼ ଦାଖଲ କରିଥିବାବେଳେ ଉକ୍ତ କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ  । କମ୍ପାନୀ ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବ । ଏହି ପ୍ରକଳ୍ପ ଦ୍ୱାରା ଗୁରୁଣ୍ଡିଆ ବ୍ଲକର ୧୧ ପଂଚାୟତ, କୋଇରା ବ୍ଲକର ୭ ପଂଚାୟତ ଓ ଲହୁଣୀପଡ଼ା ବ୍ଲକର ୭ ପଂଚାୟତବାସୀ ଉପକୃତ ହେବେ  । ଏହାଛଡ଼ା ଭୋଲଟାସ କମ୍ପାନୀ କୁଅାଁରମୁଣ୍ଡା ବ୍ଲକର ୧୮ ପଂଚାୟତ ଓ ନୂଆଗାଁ ବ୍ଲକର ୨୦ ପଂଚାୟତରେ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପ ପାଇଁ ସର୍ବନିମ୍ନ ୩୪୦ କୋଟି ୩୯ ଲକ୍ଷ ଟଙ୍କାର ବିଡ଼ ଦାଖଲ କରିଥିଲା  । ଏହି ପ୍ରକଳ୍ପ କାର୍ଯ୍ୟ ଉକ୍ତ କମ୍ପାନୀକୁ ମିଳିବାର ଥିବାବେଳେ ୨୪ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି  ।

    ରାଜ୍ୟରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ (ଏସଟିପିଆଇ)ର କେନ୍ଦ୍ର ସ୍ଥାପନ ନିମନ୍ତେ ସରକାର ବିନା ପ୍ରିମିୟମ ଓ ବିନା ଇନସିଡେଂଟାଲ ଚାର୍ଜରେ ୩ ଏକର ପର୍ଯ୍ୟନ୍ତ ଜମି ପ୍ରଦାନ କରିବେ  । ଲିଜରେ ପ୍ରଦାନ କରାଯିବାକୁ ଥିବା ଏହି ଜମି ପାଇଁ ଏସଟିପିଆଇକୁ ବଜାର ଦର ହିସାବରେ ବାର୍ଷିକ ୧% ଖଜଣା ଓ ବାର୍ଷିକ ଖଜଣାର ୭୫% ହିସାବରେ ସେସ ଦେବାକୁ ପଡ଼ିବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି  ।

    ସେହିପରି ଓଡ଼ିଶା ଖଣିଜ ଯୋଗାଣ ନୀତିରେ କେତେକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଓଡ଼ିଶା ଖଣି ନିଗମ ସହ ଦୀର୍ଘମିଆଦୀ ସଂଯୋଗରେ ଥିବା କ୍ରେତାମାନେ ଯଦି ଯାନ୍ତ୍ରିକ ଖଣିଜ ଉତୋଳନ ପାଇଁ ପୁଞ୍ଜି ନିବେଶ କରିବେ ତେବେ ସେମାନଙ୍କୁ ହିଁ ୫ ବର୍ଷରୁ ଉଦ୍ଧ୍ୱର୍ ଦୀର୍ଘ ମିଆଦୀ ଖଣିଜ ଯୋଗାଣ ଚୁକ୍ତି ପାଇଁ ଯୋଗ୍ୟ ବିବେଚିତ କରାଯିବ  । ଏହାଦ୍ୱାରା ଅଧିକ ଖଣିଜ ଉତୋଳନ ପାଇଁ ଓଏମସି ଲକ୍ଷ୍ୟ ରଖିଛି । ଏହାଛଡ଼ା ଯେଉଁ ଖଣି ପଟ୍ଟାଧାରୀମାନଙ୍କର କ୍ରୋମ ଖଣି ପଟ୍ଟା ଅଛି ସେମାନଙ୍କୁ ଜାତୀୟ ଇ- ଖଣି ନିଲାମରେ ଭାଗ ନେବା ପାଇଁ ଅନୁମତି ମିଳିବ ନାହିଁ  । ଏହି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ଦେଇଛନ୍ତି  ।

    Loading...

     

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook