Share on :
0
Date: Sep 5, 2020 Views: 3737
ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପି କେତେକ ରାଜନୈତିକ ସଂକଳ୍ପ ଗ୍ରହଣ କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଏହି ସଂକଳ୍ପ ଗ୍ରହଣ କରାଯାଇଛି ।
ଓଡିଶା ସରକାରଙ୍କ ବିଚାର ବିହୀନ, ଅସମ୍ବେଦନଶୀଳ ଏବଂ ଭ୍ରଷ୍ଟାଚାର ଶାସନ ଓଡିଶାର ବିକାଶକୁ ନିମ୍ନଗାମୀ କରିଛି । ବିଜେଡି ଶାସନରେ ଓଡିଆ ଜାତିର ସ୍ୱାଭିମାନ ଭୁଲୁଣ୍ଠିତ ହେବା ସହ ରାଜ୍ୟରେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ମେରୁଦଣ୍ଡ ଭୁଷୁଡି ପଡିଛି ।
କୋଭିଡ୍-୧୯ ମହାମାରୀରେ ସମଗ୍ର ବିଶ୍ୱ ଆତଙ୍କିତ ଥିବାବେଳେ ଦେଶର ସମସ୍ତ ରାଜ୍ୟ ସରକାର ନିଜର ସବୁ ଶକ୍ତି ଖଟାଇ ଯୁଝୁଥିବା ସମୟରେ ଓଡିଶା ସରକାର କୋଭିଡ୍ ପରିଚାଳନାରେ ନିଜର ଅକ୍ଷମତାର ଚରମ ନିଦର୍ଶନ ଦେଖାଇ ବ୍ୟାପକ ର୍ଦୁନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛନ୍ତି । ପ୍ରବାସୀ ଶ୍ରମିକଙ୍କ ରାଜ୍ୟକୁ ଫେରିବା ଠାରୁ ଆରମ୍ଭ କରି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ମାସ୍କ୍ କ୍ରୟ, ମେଡିସିନ୍, ଆମ୍ବୁଲାନ୍ସ, ପିପିଇ କିଟ୍ , ଗ୍ଲୋବସ୍, ଅକ୍ସିଜେନ୍ ସିଲିଣ୍ଡର, ଭେଂଟିଲେଟର ପ୍ରଭୃତି କରୋନା ପରୀକ୍ଷାର ସମସ୍ତ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ବାରି ହେଉଛି ।
• ମାର୍ଚ୍ଚ ପରଠାରୁ କେନ୍ଦ୍ର ସରକାର ବିଭିନ୍ନ ସହାୟତା ଆକାରରେ ୧୭୯୪.୨୪ କୋଟି ଟଙ୍କା ରାଜ୍ୟକୁ ଯୋଗାଇ ଦେଇଥିବାବେଳେ କୋଭିଡ୍ ଦୁର୍ବିପାକ ସମୟରେ ଏହାର ବିନିଯୋଗ କ'ଣ ହୋଇଛି ?
• ବିଭିନ୍ନ ପିଏସୟୁ ମାନଙ୍କଠାରୁ ରାଜ୍ୟ ସରକାର କେତେ ସହାୟତା ପାଇଛନ୍ତି ?
• ରାଜ୍ୟର ବେସରକାରୀ ହସ୍ପିଟାଲମାନଙ୍କ ସହ କରିଥିବା ତ୍ରିପାକ୍ଷିକ ଚୁକ୍ତିନାମାରେ ଭୟଙ୍କର ତୃଟିଯୁକ୍ତ ଏବଂ ଏଥିରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି ।
• ଗତ ଅଗଷ୍ଟ ୧୪ ତାରିଖରେ ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲର ଓ କୋଭିଡ୍ କେୟାର ସେଂଟର ମାନଙ୍କ ପାଇଁ ଏକ ଦର ନିର୍ଦ୍ଧାରଣ କରିଲେ । ଏହା ପୂର୍ବରୁ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଏହି ହସ୍ପିଟାଲ ଓ ସେଂଟରମାନଙ୍କୁ ସରକାର କେଉଁ ଦରରେ ପ୍ରାପ୍ୟ ପ୍ରଦାନ କରୁଥିଲେ ଏବଂ ସେହି ବିଲ୍ ଗୁଡିକୁ କିଏ ସାର୍ଟିଫାଏଡ୍ କରୁଥିଲା ?
• କୋଭିଡ୍ କେୟାର ସେଂଟର, କୋଭିଡ୍ ହସ୍ପିଟାଲ ଗୁଡିକରେ ବ୍ୟାପକ ପରିଚାଳନାଗତ ତୃଟିର ଅଭିଯୋଗ ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି ।
• ନିର୍ମାଣ ଶ୍ରମିକମାନଙ୍କୁ କୋଭିଡ୍ ସମୟରେ ୩୧୫ କୋଟି ଟଙ୍କା ବାଂଟିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ସୁଦ୍ଧା ରାଜ୍ୟରେ ଏହା ଦଳୀୟ ଆଧାରରେ ବଂଟାଗଲା । ଏପରିକି ଅନେକ ଯୋଗ୍ୟ ଶ୍ରମିକ କାର୍ଡ ହିତାଧିକାରୀ ଆଜି ସୁଦ୍ଧା ବି ସହାୟତା ପାଇନାହାନ୍ତି ।
• କେନ୍ଦ୍ର ସରକାର ୮ମାସ କାଳ ମାଗଣା ଚାଉଳ, ଡାଲି, ରାସନ କାର୍ଡଧାରୀ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ଦେଇଥିଲେ ସୁଦ୍ଧା ରାଜ୍ୟ ସରକାର ପହଂଚାଇବାରେ ବିଫଳ ହୋଇଛନ୍ତି । ହରଡ ଡାଲି ବଦଳରେ ଚଣା ଡାଲି ବାଂଟିଛନ୍ତି ।
• ପ୍ରବାସୀ ଶ୍ରମିକଙ୍କ ପାଇଁ ଆସିଥିବା "ଆତ୍ମନିର୍ଭର ଭାରତ' ଯୋଜନାର ଚାଉଳକୁ ବ୍ୟାପକ କଳାବଜାରୀ କରି ଗରିବ ଲୋକଙ୍କ ପେଟକୁ ଲାତ ମାରିଛନ୍ତି ରାଜ୍ୟ ସରକାର ।
• ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ଏହି ସମୟରେ ଦଳୀୟ ଭିତିରେ ସରକାର ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଡି ବହୁ ଯୋଗ୍ୟ ଗରିବ ପରିବାରଙ୍କ ପ୍ରତି ଅନ୍ୟାୟ କରିଛନ୍ତି ।
• ଏମଜିଏନ୍ଆରଇଜିଏ ଯୋଜନାରେ ମେସିନ୍ ଦ୍ୱାରା କାର୍ଯ୍ୟକରାଇ ଲକ୍ଷ ଲକ୍ଷ ଜବ୍କାର୍ଡ ଧାରୀଙ୍କୁ ତଥା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ଘୋର ପ୍ରତାରଣା କରିଛନ୍ତି । ଓଡିଶାରେ ମନରେଗା ଯୋଜନା ଶାସକ ଦଳ ନେତାଙ୍କ ଅର୍ଥ ରୋଜଗାରର ଏକ ସହଜ ପନ୍ଥା ପାଲଟିଛି ।
• ଏତଦବ୍ୟତୀତ ବେରାଜଗାରୀ ପ୍ରସଙ୍ଗ, ବଗଲା ଧର୍ମଶାଳା, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ବି ରାଜ୍ୟ ସରକାରଙ୍କୁ ବିଜେପି ସମାଲୋଚନା କରିଛି ।
Comments ସମସ୍ତ ମତାମତ