ମୁଖ୍ୟ ଖବର
ଭୁବନେଶ୍ୱର: କରୋନା ମହାମାରୀ ସାରା ଦେଶ ଓ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଅନେକ ରାଜ୍ୟର ବିତ୍ତୀୟ ନିଅଣ୍ଟ ବେଲଗାମ ହୋଇ ପଡ଼ିଥିବା ବେଳେ ଦେଶର ୧୪ଟି ବଡ଼ ରାଜ୍ୟ ମଧ୍ୟରୁ ମାତ୍ର ଚାରିଟି ରାଜ୍ୟ ବିତ୍ତୀୟ ବଳକା ରହିଛନ୍ତି । ସେଥିରେ ଓଡ଼ିଶାର ନାମ ରହିଛି । ଆର୍ଥିକ ବଳକା ଥିବା ଅନ୍ୟ ତିନି ରାଜ୍ୟ ହେଉଛନ୍ତି ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ । ମୋତିଲାଲ ଓସ୍ୱାଲର ଇକୋସ୍କୋପ ରିପୋର୍ଟରେ ଏହା କୁହାଯାଇଛି ।
ଓଡ଼ିଶା ୬ ପ୍ରତିଶତ ଆର୍ଥିକ ବଳକା ରହିଛି । ଚଳିତ ବର୍ଷ ଏପି୍ରଲ-ଜୁନ ମାସରେ ଓଡ଼ିଶାର ଆୟରେ ମାତ୍ର ୦.୪ ପ୍ରତିଶତ ଓ ମୋଟ ବ୍ୟୟରେ ୮.୬ ପ୍ରତିଶତ ହ୍ରାସ ପାଇଛି । ଗତ ବର୍ଷ ଏହି ସମୟରେ ରାଜ୍ୟର ମୋଟ ଆୟ ୯.୩ ପ୍ରତିଶତ ଓ ମୋଟ ବ୍ୟୟ ୮.୬ ପ୍ରତିଶତ ବୃଦ୍ଧି ହୋଇଥିଲା । ଏହି ରିପୋର୍ଟ ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପି୍ରଲ-ଜୁନ) ମଧ୍ୟରେ ଦେଶର ୧୪ଟି ବଡ଼ ରାଜ୍ୟର ମୋଟ ଆୟ ୧୮.୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ମୋଟ ବ୍ୟୟରେ ୨.୭ ପ୍ରତିଶତ ବୃଦ୍ଧି ହୋଇଛି । ରାଜ୍ୟଗୁଡ଼ିକର ରାଜସ୍ୱ ଆୟ ଏହି ସମୟରେ ୩୨.୧ ପ୍ରତିଶତ ହ୍ରାସ ପାଇବା ବେଳେ ଅଣ ରାଜସ୍ୱ ଆୟରେ ୨୭ ପ୍ରତିଶତ ହ୍ରାସ ଘଟିଛି । ଦେଶର ୧୪ଟି ରାଜ୍ୟର ହାରାହାରି ବିତ୍ତୀୟ ନିଅଣ୍ଟ ବଜେଟରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୩୭ ପ୍ରତିଶତକୁ ଅଧିକ ହୋଇଯାଇଛି ଗତ ବର୍ଷ ତୁଳନାରେ ଦୁଇ ଗୁଣା ଅଧିକ । ଗତ ବର୍ଷ ଏପି୍ରଲ ଜୁନ ଅବଧିରେ ରାଜ୍ୟଗୁଡ଼ିକର ହାରାହାରି ବିତ୍ତୀୟ ନିଅଣ୍ଟ ୧୬ ପ୍ରତିଶତ ଥିଲା । ଯଦି ରାଜ୍ୟଗୁଡ଼ିକ ବ୍ୟୟ କରିପାରିବେ ନାହିଁ ତେବେ ଅର୍ଥନୀତିରେ ଆଶାନୁରୂପ ସୁଧାର ହୋଇପାରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।
Comments ସମସ୍ତ ମତାମତ