ମୁଖ୍ୟ ଖବର
ଭୁବନେଶ୍ୱର: ପଛୁଆବର୍ଗ (ଓବିସି) କମିଶନ ଗଠନ କରିଛନ୍ତି ରାଜ୍ୟ ସରକାର । ଓବିସି କମିଶନ ଅଧ୍ୟକ୍ଷ ଭାବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିଛି । କମିଶନରେ ୩ ଜଣ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ନିଯୁକ୍ତ ହୋଇଛନ୍ତି । ଏ ନେଇ ବିଧିବଦ୍ଧ ଭାବେ ବୁଧବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପଛୁଆବର୍ଗ କମିଶନର ସଦସ୍ୟ ଭାବେ ପ୍ରଫେସର ଡ.ନବନୀତା ରଥ, ଡ.ମିତଲାୀ ଚିନାରୀ ଓ ଡ.ପ୍ରସନ୍ନ କୁମାର ପାତ୍ରଙ୍କୁ ସରକାରୀ ନିଯୁକ୍ତି ଦେଇଛନ୍ତି । ଆଇଏଏସ ବୀର ବିକ୍ରମ ଯାଦବ କମିଶନଙ୍କ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇବେ ।
ସମ୍ବିଧାନର ଧାରା ୧୫ (୪) ଓ ୧୬ (୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି । ଏହାକୁ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ଏହି ସୁବିଧା ସମ୍ପୃକ୍ତ ପଛୁଆବର୍ଗ ପାଉଛନ୍ତି ନା ନାହିଁ ତାହା ତଦାରଖ କରିବା ସହ ଏ ନେଇ ଆପତ୍ତି ଅଭିଯୋଗର ବିଚାର କରିବାକୁ ଓବିସି କମିଶନ ଗଠନର ବ୍ୟବସ୍ଥା ରହିଛି । ରାଜ୍ୟରେ ୧୯୯୩ ମସିହାର ‘ଓଡ଼ିଶା ଟେଷ୍ଟ କମିଶନ ଫର ବ୍ୟାକୱାର୍ଡ କ୍ଲାସେସ ଆକ୍ଟ’ ପାସ ହୋଇ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ମାତ୍ର ଏଯାଏ ଏହା କାର୍ଯ୍ୟକାରୀ ହୋଇନଥିଲା ବେଳେ ରାଜ୍ୟ ସରକାର କମିଶନ ଗଠନ ସହ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଦେଇଛନ୍ତି ।
କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱାଳ ଓଡ଼ିଶା ହାଇକୋର୍ଟରୁ ବିଚାରପତି ଭାବେ ଅବସର ଗ୍ରହଣ ପରେ ରାଜ୍ୟ ଖାଉଟି ଅଭିଯୋଗ ଶୁଣାଣି କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ତୁଲାଇଥିଲେ । ୨୦୧୨ ରୁ ୨୦୧୭ ଯାଏଁ ସେ ଏହି ଦାୟିତ୍ୱ ତୁଲାଇଥିଲେ । ପ୍ରଫେସର ରଥ ଜଣେ ସମାଜବିଜ୍ଞାନୀ ଭାବେ ପରିଚିତ । ସେ ପଛୁଆବର୍ଗଙ୍କ ଉପରେ ଗଭୀର ଅନୁଧ୍ୟାନ କରିଛନ୍ତି । ସେହିଭଳି ପ୍ରଫେସର ଡ.ଚିନାରା ଅର୍ଥନୀତି ପ୍ରଫେସର । ଆପ୍ଲାଏଡ ଓ ଆନାଲିଟିକାଲ ଇକୋନୋମିକସରେ ତାଙ୍କର ବେଶ ଦକ୍ଷିତା ରହିଛି । ଡ.ପାତ୍ର ଜଣେ ଖାତ୍ୟନାମା ନୃତତ୍ତ୍ୱବିଜ୍ଞାନୀ ଭାବେ ପରିଚିତ । ସେ ସାମାଜିକ-ସାଂସ୍କୃତିକ ଓ ମାନବ ବିଜ୍ଞାନ ଉପରେ ଗବେଷଣା କରିଛନ୍ତି ।
Comments ସମସ୍ତ ମତାମତ