ମୁଖ୍ୟ ଖବର
ନୂଆଦିଲ୍ଲୀ: କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ (ଏମଏସଏମଇ) ଜରୁରୀକାଳୀନ ଋଣ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ୩ ଲକ୍ଷ କୋଟି ଟଙ୍କାର ଏକ କ୍ରେଡିଟ ଗ୍ୟାରେଣ୍ଟ ସ୍କିମ ଘୋଷଣା କରିଛନ୍ତି । ଏହି ସ୍କିମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଲାଗି ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି । କୌଣସି ବ୍ୟାଙ୍କ ଏମଏସଏମଇ ସଂସ୍ଥାକୁ ଜରୁରୀକାଳୀନ ଋଣ ଦେବାକୁ ମନା କରିପାରିବେ ନାହିଁ । ଯଦି କୌଣସି ବ୍ୟାଙ୍କ ସେଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାର ସୂଚନା ଦେବାକୁ ପଡ଼ିବ । ମୁଁ ତାହାର ବିଚାର କରିବି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଚଳିତ ମାସ ୨୩ ସୁଦ୍ଧା ୧୦୦ ପ୍ରତିଶତ ଜରୁରୀକାଳୀନ କ୍ରେଡିଟ ଗ୍ୟାରେଣ୍ଟି ସ୍କିମରେ ବ୍ୟାଙ୍କ ଗୁଡ଼ିକ ୧,୩୦,୪୯୧ କୋଟି ଟଙ୍କାର ଋଣ ମଞ୍ଜୁର କରିଥିବା ବେଳେ ସେଥିରୁ ୮୨,୦୬୫ କୋଟି ଟଙ୍କାର ଆବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜର ଏହି ସ୍କିମ ଏକ ଅଂଶ । ଏଥିରେ ବିନା ବନ୍ଧକରେ ଋଣ ଦିଆଯାଉଛି । କେନ୍ଦ୍ର ସରକାର ଋଣ ଉପରେ ୧୦୦ ପ୍ରତିଶତ ଗ୍ୟାରେଣ୍ଟି ଦେଉଛନ୍ତି । ଋଣ ଉପରେ ଯେଉଁ ମୋରାଟୋରିଅମ ସୁବିଧା ଘୋଷଣା କରାଯାଇଥିଲା ତାହାର ଅବଧି ବଢ଼ାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ଜାରି ରହିଛି ବୋଲି ନିର୍ମଳା ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ