Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀ ଦଳିତଙ୍କୁ ଭୂଆଁ ନ ବୁଲାନ୍ତୁ - ନିରଞ୍ଜନ ପଟ୍ଟନାୟକ

    Share on :
    ajab-Image
    Date: Jan 5, 2021    Views: 4783

    ଭୁବନେଶ୍ୱର- :-ଗତ ୨୪-୧୨-୨୦୨୦ ରିଖ ଦିନ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୧-୨୨ ବର୍ଷରୁ ଦଳିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବୃତ୍ତି ପ୍ରଦାନ ପାଇଁ ନିଷ୍ପତି ହୋଇଛି । ୨୩ ଡିସେମ୍ବର ଅନୁଷ୍ଠିତ କ୍ୟାବିନେଟ୍ ନିଷ୍ପତି ବାବଦରେ ଗଣମାଧ୍ୟମରେ ପ୍ରମୁଖ ଭାବରେ ଏ ବାବଦରେ ଖବର ପ୍ରସାରିତ ଓ ପ୍ରକାଶିତ ହୋଇଛି । ମାତ୍ର ବାସ୍ତବରେ ମୋଦି ସରକାରଙ୍କର ଦଳିତ ଛାତ୍ରବୃତ୍ତି ପରିମାଣ “ପର୍ବତର ମୂଷିକ ପ୍ରସବ” ଏବଂ ସରଳ ଦଳିତ ଛାତ୍ରଛାତ୍ରୀଙ୍କ ଦାରିଦ୍ର୍ୟ ପ୍ରତି ଉପହାସ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଗଣମାଧ୍ୟମର ଶୀର୍ଷକ କିମ୍ବା ହେଡ୍ଲାଇନ୍ରୁ ଯେ କେହି ଠକିଯିବେ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବେ । କିନ୍ତୁ ତାହା ଭିତରକୁ ଗଲେ, ପ୍ରଧାନମନ୍ତ୍ରୀ ଓ ବିଜେପି ସରକାରଙ୍କର ଦଳିତ ବିରୋଧୀ ଅସଲ ଚେହେରା ପ୍ରକାଶ ପାଉଛି । କେନ୍ଦ୍ରୀୟ ନିଷ୍ପତି ଅନୁସାରେ ଜଣେ ଦଳିତ ଛାତ୍ର ଦୈନିକ ମାତ୍ର ଟ୪. ୯୩ପଇସା (ଚାରି ଟଙ୍କା ତେଇଆନବେ ପଇସା) ଅର୍ଥାତ୍ ଚାହା କପ୍ ଟିଏ କିମ୍ବା ଆଳୁଚପ୍ ଟିଏର ଦାମ୍ ପାଂଚ ଟଙ୍କାରୁ କମ୍ ପାଇବ । କେନ୍ଦ୍ର କ୍ୟାବିନେଟ୍ ନିଷ୍ପତି ଅନୁସାରେ ପାଂଚ ବର୍ଷରେ ୫୯ ହଜାର କୋଟି ଟଙ୍କା ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ବୃତ୍ତି ବାବଦରେ ଖର୍ଚ୍ଚ ହେବ । ଏହା କେନ୍ଦ୍ର ଓ ରାଜ୍ୟ ୬୦ ପ୍ରତିଶତ ଏବଂ ୪୦ ପ୍ରତିଶତ ହିସାବରେ ଧାର୍ୟ୍ୟ ହୋଇଛି । ଅର୍ଥାତ୍ କେନ୍ଦ୍ରର ମୋଦି ସରକାର ୫ ବର୍ଷରେ ୪ କୋଟି ଛାତ୍ରଛାତ୍ରୀଙ୍କୁ ୩୫,୫୩୪ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରିବେ । ଏହାକୁ ହିସାବ କଲେ ବାର୍ଷିକ ୭,୧୦୬ କୋଟି ଅର୍ଥାତ୍ ଜଣେ ଦଳିତ ଛାତ୍ର ବା ଛାତ୍ରୀ ବାବଦରେ ବାର୍ଷିକ ୧୭୭୭ (ଏକ ହଜାର ସାତ ଶହ ସତସ୍ତରୀ) ଟଙ୍କା ପାଇବେ । ଅର୍ଥାତ୍ ମାସିକ ୧୪୮ ଟଙ୍କା ବା ଦୈନିକ ଟ୪.୯୩ ପଇସା ପାଇବେ । ଏହା ଭାରତ ବର୍ଷର ସମସ୍ତ ଦଳିତଙ୍କ ପ୍ରତି ଚରମ ଉପହାସ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆହୁରି ମଧ୍ୟ କେନ୍ଦ୍ର ସରକାର ୬୦ ଓ ୪୦ କେନ୍ଦ୍ର ରାଜ୍ୟ ଭାଗୀଦାରୀ ପ୍ରହସନ ବନ୍ଦ କରନ୍ତୁ । ତୁରନ୍ତ ପ୍ରତ୍ୟେକ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କା ହିସାବରେ ବାର୍ଷିକ ବାର ହଜାର ଟଙ୍କା ନିଜସ୍ୱ ଭାବରେ କେନ୍ଦ୍ର ସରକାର ପ୍ରଦାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି । କେବଳ ଦଳିତ ଛାତ୍ର ବୃତ୍ତି ନୁହେଁ, ମୋଦି ସରକାର ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ଗରୀବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବୃତି ସର୍ବନିମ୍ନ ମାସିକ ଏକ ହଜାର ଟଙ୍କା ହିସାବରେ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook