ମୁଖ୍ୟ ଖବର
ନବରାତ୍ରୀ ଆରମ୍ଭ ହେବାକୁ ଆଉ କିଛି ଦିନ ରହିଲା । ନବରାତ୍ରୀରେ ମା’ ଦୁର୍ଗାଙ୍କ ପୂଜା ଆରଧନା କରାଯିବା ସହିତ ଉପବାସ ମଧ୍ୟ କରାଯାଇଥାଏ । ନବରାତ୍ରୀରେ ଯେପରି ମା’ଙ୍କର ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଇଥାଏ । ସେହିପରି ଏହି ୯ ଦିନରେ ମା’ଙ୍କ ଠାରେ ଭିନ୍ନ ଭିନ୍ନ ଭୋଗ ଲଗାଯାଇଥାଏ । ଧାର୍ମିକ ମତ ଅନୁସାରେ ପ୍ରତ୍ୟେକ ଦିନ ଅନୁସାରେ ଭୋଗ ଲଗାଇଲେ ମା’ଙ୍କର କୃପା ଦୃଷ୍ଟି ରହିଥାଏ । ଫଳରେ ସମସ୍ତ ସମସ୍ୟା ଦୂର ହୁଏ । ତେବେ ଜାଣିବା ମା’ଙ୍କ ପାଖରେ କେଉଁ ଦିନ କ’ଣ ଭୋଗ ଲାଗିଥାଏ ।
ଦେଶୀ ଘିଅ : ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀ ରୂପ ଧାରଣ କରିଥାନ୍ତି । ଏହି ଦିନ ମା’ଙ୍କ ପାଖରେ ଦେଶୀ ଗାଈ ଘିଅ ଭୋଗ ଆକାରରେ ଲଗାଯାଇଥାଏ । ମା’ଙ୍କୁ ଘିଅ ଭୋଗ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହାକୁ ଭୋଗ କଲେ ମା’ ପ୍ରସନ୍ନ ହୋଇଥାନ୍ତି ।
ଚିନି ଭୋଗ : ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀ ରୂପ ଧାରଣ କରିଥାନ୍ତି । ଏହି ଦିନ ମା’ଙ୍କ ଠାରେ ଚିନି ଭୋଗ ଲଗାଯାଇଥାଏ । ଚିନି ଭୋଗ ମା’ଙ୍କୁ ଲଗାଇବା ପରେ ଏହାକୁ ପରିବାର ସଦସ୍ୟଙ୍କ ମଧ୍ୟରେ ବାଣ୍ଟିଲେ ଆୟୁ ବଢ଼ିଥାଏ ।
କ୍ଷୀରରେ ପ୍ରସ୍ତୁତ ଭୋଗ : ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟା ରୂପ ଧାରଣ କରିଥାନ୍ତି । ଏହି ଦିନ କ୍ଷୀରରେ ପ୍ରସ୍ତୁତ ଖିରି କିମ୍ବା ମିଠା ଭୋଗ ଲଗାଯାଇଥାଏ । ଏହି ଭୋଗ ବ୍ରାହ୍ମଣଙ୍କୁ ଦାନ କଲେ ଶୁଭଫଳ ମିଳେ । ମା’ଙ୍କୁ କ୍ଷୀରରେ ପ୍ରସ୍ତୁତ ମିଠା ଭୋଗ ଲଗାଇଲେ ସମସ୍ତ ଦୁଃଖ ଦୁର ହୋଇଥାଏ ।
ମାଲପୁଆ : ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ଦିନ । ଏହି ଦିନ ମା’ଙ୍କୁ ମାଲପୁଆ ଭୋଗ ଲଗାଯାଇଥାଏ । ମା’ଙ୍କୁ ଏହି ଭୋଗ ଲଗାଇବା ପରେ ଉକ୍ତ ଭୋଗୁ ମନ୍ଦିର ବ୍ରାହ୍ମଣଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଏହା କରିବା ଦ୍ୱାର ବୁଦ୍ଧି ବଢ଼ିଥାଏ ।
କଦଳୀ : ପଞ୍ଚମ ଦିନ ମା’ ସ୍କନ୍ଦମାତାଙ୍କ ଠାରେ କଦଳୀ ଭୋଗ ଲଗାଯାଇଥାଏ । ଏହି ଭୋଗ ଲଗାଇଲେ ପରିବାରରେ କେହି ରୋଗରେ ପଡ଼ନ୍ତି ନାହିଁ । ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରୁହେ ।
ମହୁ ଓ ମିଠା ପାନ : ଷଷ୍ଠୀ ଦିନ ମା’ କାତ୍ୟାୟିନୀଙ୍କୁ ମହୁ ଓ ମିଠା ପାନ ଭୋଗ ଲଗାଯାଇଥାଏ । ଏପରି କଲେ ମାନ ସମ୍ମାନ ମିଳେ ।
ଗୁଡ଼ : ସପ୍ତମୀ ଦିନ ମା’ କାଳରାତ୍ରୀଙ୍କୁ ଗୁଡ଼ ଭୋଗ ଅର୍ପଣ କରାଯାଇଥାଏ । ଏପରି କଲେ ସମସ୍ତ ବିପଦରୁ ମୁକ୍ତି ମିଳେ ।
ନଡ଼ିଆ : ଅଷ୍ଟମୀ ଦିନ ମା’ ମହାଗୌରୀଙ୍କୁ ନଡ଼ିଆ ଭୋଗ ଲଗାଯାଇଥାଏ । ମା’ଙ୍କୁ ନଡ଼ିଆ ବହୁତ ପ୍ରିୟ ହୋଇଥାଏ । ନଡ଼ିଆ ଭୋଗ ଲଗାଇଲେ ଓ ନଡ଼ିଆ ଦାନ କଲେ ମା’ଙ୍କ କୃପା ସବୁବେଳେ ମିଳିଥାଏ ।
ରାଶି ଲଡ଼ୁ : ନବରାତ୍ରୀର ଅନ୍ତିମ ଦିନ ଅର୍ଥାତ ନବମୀ ଦିନ ମା’ ସିଦ୍ଧଦାତ୍ରୀଙ୍କୁ ରାଶିରେ ପ୍ରସ୍ତୁତ ଲଡ଼ୁ ଭୋଗ ଲଗାଯାଇଥାଏ । ଏପରି କଲେ ସମସ୍ତ ବିପଦକୁ ମା’ ହରଣ କରି ନେଇଥାନ୍ତି ।
Comments ସମସ୍ତ ମତାମତ