ମୁଖ୍ୟ ଖବର
ନବରାତ୍ରୀ ଉତ୍ସବ ପ୍ରତି ବର୍ଷ ଦୁଇଥର ପାଳନ କରାଯାଇଥାଏ । ହିନ୍ଦୁ ପଞ୍ଜିକା ଅନୁଯାୟୀ ପ୍ରଥମ ନବରାତ୍ରୀ ପୂଜା ଚୈତ୍ର ମାସରେ ପାଳନ କରାଯାଉଥିବା ବେଳେ ଦ୍ୱିତୀୟ ନବରାତ୍ରୀ ପୂଜା ଆଶ୍ୱିନ ମାସରେ ପାଳନ କରାଯାଇଥାଏ । ନବରାତ୍ରୀର ୯ ଦିନ ପୂଜା ପରେ ୧୦ମ ଦିନକୁ ଦଶହରା ରୂପେ ପାଳନ କରାଯାଇଥାଏ । ନବରାତ୍ରୀ ପୂଜା ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ସମୟରେ ମା’ ଦୁର୍ଗାଙ୍କ ୯ ଭିନ୍ନ ଭିନ୍ନ ସ୍ୱରୂପକୁ ପୂଜା କରାଯାଇଥାଏ । ତେଣୁ ଏହି ଉତ୍ସବର ନାମ ନବରାତ୍ରୀ କୁହାଯାଏ । ମା’ ଦୁର୍ଗାଙ୍କ ୯ ସ୍ୱରୂପ ବିଷୟରେ ଜାଣିବା ଓ କେଉଁ ଦିନ କେଉଁ ସ୍ୱରୂପକୁ ପୂଜା କରାଯାଏ ତାହା ଜାଣିବା ।
ଶୈଳପୁତ୍ରୀ : ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କ ଶୈଳପୁତ୍ରୀ ରୂପକୁ ପୂଜା କରାଯାଇଥାଏ । ମା’ ଶୈଳପୁତ୍ରୀଙ୍କୁ ପାହାଡ଼ର ପୁତ୍ରୀ ବି କୁହାଯାଏ । ମା’ ଶୈଳପୁତ୍ରୀଙ୍କ ପୂଜାରେ ଆମକୁ ଏକ ପ୍ରକାର ଉର୍ଜା ପ୍ରାପ୍ତ ହୋଇଥାଏ ।
ବ୍ରହ୍ମଚାରିଣୀ : ନବରାତ୍ରୀର ଦ୍ୱିତୀୟ ଦିନରେ ମା’ଙ୍କୁ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଇଥାଏ । ଏହି ରୂପରେ ମା’ଙ୍କୁ ପୂଜା କରି ମା’ଙ୍କ ଅନନ୍ତ ସ୍ୱରୂପକୁ ଜାଣିବାକୁ ଚେଷ୍ଟା କରିଥାଉ ।
ଚନ୍ଦ୍ରଘଣ୍ଟା : ତୃତୀୟ ଦିନରେ ମା’ଙ୍କୁ ଚନ୍ଦ୍ରଘଣ୍ଟା ସ୍ୱରୂପରେ ପୂଜା କରାଯାଇଥାଏ । ଏହି ସ୍ୱରୂପରେ ମା’ ଚନ୍ଦ୍ରମା ପରି ଚମକି ଥାନ୍ତି । ମା’ଙ୍କ ଏହି ସ୍ୱରୂପରେ ପୂଜା ଅର୍ଚ୍ଚନା କଲେ ମନର ଦ୍ୱେଷ, ଘୃଣା ଓ ନକାରାତ୍ମକ ଶକ୍ତି ଦୂର ହୁଏ ।
କୁଷ୍ମାଣ୍ଡା : ଚତୁର୍ଥ ଦିନରେ ମା’ଙ୍କ କୁଷ୍ମାଣ୍ଡା ରୂପକୁ ପୂଜା କରାଯାଇଥାଏ । ମା’ଙ୍କ ଏପରି ସ୍ୱରୂପକୁ ପୂଜା କରିବା ଦ୍ୱାରା ମସ୍ତିଷ୍କର ଚିନ୍ତା କରିବାର ଶକ୍ତି ବଢେ଼ । ଜୀବନରେ ଉନ୍ନତି ମିଳେ ।
ସ୍କନ୍ଦମାତା : ପଞ୍ଚମ ଦିନରେ ମା’ଙ୍କ ସ୍କନ୍ଦମାତା ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ । ସ୍କନ୍ଦମାତାଙ୍କୁ ଭଗବାନ କାର୍ତ୍ତିକେୟଙ୍କ ମାତା ମଧ୍ୟ କୁହାଯାଏ । ଏହି ପୂଜା କରିବା ଦ୍ୱାରା ଆମର ବ୍ୟବହାରିକ ଜ୍ଞାନ ବଢେ଼ ।
କାତ୍ୟାୟନି : ଷଷ୍ଠୀ ଦିନ ମା’ଙ୍କ କାତ୍ୟାୟନି ସ୍ୱରୂପକୁ ପୂଜା କରାଯାଇଥାଏ । ମା’ଙ୍କ ଏହି ସ୍ୱରୂପକୁ ପୂଜା କଲେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ମା’ଙ୍କ ଆର୍ଶୀବାଦରେ ସକରାତ୍ମକ ମାର୍ଗରେ ଆମେ ଚାଲିବାକୁ ଲାଗୁ ।
କାଳରାତ୍ରୀ : ସପ୍ତମୀ ଦିନ ମା’ଙ୍କ କାଳରାତ୍ରୀ ରୂପକୁ ପୂଜା କରାଯାଇଥାଏ । କାଳରାତ୍ରୀ ରୂପରେ ମା’ଙ୍କୁ କାଳକୁ ବଧ କରିବା ଦେବୀ ରୂପରେ ପୂଜା କରାଯାଇଥାଏ । ଏହି ପୂଜା କରିବା ଦ୍ୱାରା ଯଶ ଓ ବୈଭବ ମିଳେ ।
ମହାଗୌରୀ : ଅଷ୍ଟମୀ ଦିନ ମା’ଙ୍କୁ ମହାଗୌରୀ ରୂପରେ ପୂଜା କରାଯାଇଥାଏ । ମା’ ମହାଗୌରୀଙ୍କୁ ଧଳା ରଙ୍ଗର ଦେବୀ ରୂପେ ପୂଜା କରାଯାଇଥାଏ । ଏହି ପୂଜା କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ ।
ସିଦ୍ଧିଦାତ୍ରୀ : ନବରାତ୍ରୀ ତଥା ନବମୀ ଦିନ ମା’ଙ୍କ ସିଦ୍ଧିଦାତ୍ରୀ ରୂପକୁ ପୂଜା କରାଯାଇଥାଏ । ଏହି ପୂଜା କରିବା ଦ୍ୱାରା ଆମ ଭିତରେ ଏପରି କ୍ଷମତା ଉପôନ୍ନ ହୋଇଥାଏ ଯାହା ଫଳରେ ଆମେ ସମସ୍ତ କାର୍ଯ୍ୟ ସହଜରେ ପୂର୍ଣ୍ଣ କରିଦେଇଥାନ୍ତି ।
Comments ସମସ୍ତ ମତାମତ