Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କ’ଣ କହିଲେ ପ୍ରଧାନମନ୍ତ୍ରୀ, ସମ୍ପୂର୍ଣ୍ଣ ଉଦବୋଧନ ପଢ଼ନ୍ତୁ

    Share on :
    ajab-Image
    Date: May 12, 2020    Views: 3924

    ଭୁବନେଶ୍ୱର : ଆତ୍ମନିର୍ଭର ଭାରତ ପାଇଁ ୧୩୦ କୋଟି ଦେଶବାସୀ ସଂକଳ୍ପ ନେବା ଦରକାର  । ବିଶ୍ୱର ଛବି ବଦଳାଇବାର  ଶକ୍ତି ଭାରତର ରହିଛି  । ସବୁ ବର୍ଗର ଉଦ୍ୟୋଗକୁ ଆର୍ଥିକ ପ୍ୟାକେଜ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  । ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଲକଡାଉନ ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି  । ତେବେ ଏକ୍ଷେତ୍ରରେ କିଛି କୋହଳ ହେବ ବୋଲି ବି ସଂକେତ ଦେଇଛନ୍ତି  । ଅପରପକ୍ଷରେ କରୋନା ପାଇଁ ପୂର୍ବର ପ୍ୟାକେଜ ଓ ବର୍ତମାନର ପ୍ୟାକେଜକୁ ମିଶାଇଲେ ତାହାର ପରିମାଣ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା ହେବ  । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ବିସ୍ତୃତ ଭାବେ ସୂଚନାଦେବେ  । ସେହିପରି ୧୮ ମେ’ ପୂର୍ବରୁ ଲକଡାଉନ ୪.୦ ନେଇ ବିସ୍ତୃତ ଗାଇଡ଼ଲାଇନ ଜାରି ହେବବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେଯେ, ବିଶ୍ୱ ୪ ମାସରୁ ଉଦ୍ଧ୍ୱର୍ ସମୟ ଧରି କରୋନାର ମୁକାବିଲା କରିଆସୁଛି  । ଏହି ସମୟ ମଧ୍ୟରେ ବିଶ୍ୱରେ ୪୨ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି  । ୩ ଲକ୍ଷ ୨୫ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ମୃତୁ୍ୟ ହୋଇଛି  । ଭାରତରେ ବି ଅନେକ ପରିବାର ନିଜର ଆତ୍ମୀୟସ୍ୱଜନ ହରାଇଛନ୍ତି  । ସମସ୍ତଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି  । ଗୋଟିଏ ଭାଇରସ ଦୁନିଆକୁ ବିପର୍ଯ୍ୟସ୍ତ କରିଦେଇଛି । ବିଶ୍ୱରେ କୋଟିକୋଟି ଲୋକ ସଂକଟର ସାମ୍ନା କରୁଛନ୍ତି  । ସାରା ବିଶ୍ୱ ଜୀବନ ବଂଚାଇବା ପାଇଁ ଏକପ୍ରକାର ଯୁଦ୍ଧରେ ଲାଗିପଡ଼ିଛି । ଏଭଳି ସଂକଟ ସେ କେବେ ଦେଖିନଥିଲେ କି ଶୁଣିନଥିଲେ  । ଏହି ବିପଦ ମାନବଜାତି ପାଇଁ ଅକଳ୍ପନୀୟ ହୋଇଥିଲେ ବି ହାରିବା, ଥକି ପଡ଼ିବା, ଭାଙ୍ଗିପଡ଼ିବାକୁ ମଣିଷ ଗ୍ରହଣ କରିପାରିବ ନାହିଁ  । ସତର୍କ ରହି ସବୁ ନିୟମ ପାଳନ କରି ଆମକୁ ବଂଚିବାକୁ ହେବ ଓ ଆଗକୁ ବଢ଼ିବାକୁ ହେବ । ଆଜି ଯେତେବେଳେ ଦୁନିଆ ସଂକଟରେ ଅଛି ସେତେବେଳେ ଆମେ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ  । 

    ଗତ ଶତାବ୍ଦୀରୁ ଆମେ ଶୁଣି ଆସୁଛେ ଏକବିଂଶ ଶତାବ୍ଦୀ ହେଉଛି ଭାରତର  । କରୋନା ପୂର୍ବରୁ ଆମେ ବିଶ୍ୱକୁ ବିସ୍ତୃତ ଭାବେ ଦେଖିବାର ସୁଯୋଗ ପାଇଥିଲେ  । ଏକବିଂଶ ଶତାବ୍ଦୀ ଭାରତ ହେଉ, ଏହା କେବଳ ଆମର ସ୍ୱପ୍ନ ନୁହେଁ ବରଂ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର  । ବିଶ୍ୱର ସ୍ଥିତି ଆମକୁ ଶିଖାଇଛିଯେ, ଆତ୍ମନିର୍ଭର ଭାରତ  । ଶାସ୍ତ୍ରରେ କୁହାଯାଇଛି ଏହା ହିଁ ରାସ୍ତା  । ଏକ ଦେଶ ଭାବେ ଆମେ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ଅଛୁ  । ଏଭଳି ବିପଦ ଆମ ପାଇଁ ଏକ ବାର୍ତା ଆଣି ଆସିଛି  । ଯେତେବେଳେ କରୋନା ସଂକଟ ଆରମ୍ଭ ହୋଇଥିଲା ସେତେବେଳେ ଭାରତରେ ଗୋଟିଏ ବି ପିପିଇ କିଟ ନଥିଲା  । ଏନ୯୫ ମାସ୍କ ନାମକୁ ମାତ୍ର ଉପôାଦନ ହେଉଥିଲା  । କିନ୍ତୁ ଆଜି ପ୍ରତିଦିନ ୨ ଲକ୍ଷ ପିପିଇ ଓ ୨ ଲକ୍ଷ ଏନ୯୫ ମାସ୍କ ତିଆରି ହେଉଛି  । ଭାରତ ବିପଦକୁ ସୁଯୋଗରେ ପରିଣତ କରିଛି । ଭାରତର ଏଭଳି ଦୃଷ୍ଟି ଆତ୍ମନିର୍ଭର ଭାରତ ବନାଇବାରେ ସହାୟକ ହେବ  । ଆଜି ବିଶ୍ୱରେ ଆତ୍ମନିର୍ଭରଶୀଳତାର ସଂଜ୍ଞା ବଦଳି ଯାଇଛି  । ଅର୍ଥନୈତିକ ଜଗତୀକରଣ ବନାମ ମାନବକୈନ୍ଦି୍ରକ ଜଗତୀକରଣ ଉପରେ ଜୋରଦାର ଚର୍ଚ୍ଚା ହେଉଛି ବୋଲି ମୋଦି କହିଛନ୍ତି  ।

    ଭାରତର ମୂଳଭୂତ ଚିନ୍ତନ ହେଉଛି ବସୁଧୈବ କୁଟୁମ୍ବକମ  । ଭାରତର ଆତ୍ମନିର୍ଭରତାରେ ସଂସାରର ସୁଖ, ସହଯୋଗ ଓ ଶାନ୍ତିର ଚିନ୍ତା ରହିଥାଏ  । ଭାରତର କାର୍ଯ୍ୟର ପ୍ରଭାବ ବିଶ୍ୱ କଲ୍ୟାଣ ଉପରେ ପଡ଼ୁଛି । ଜୀବନ ମୃତୁ୍ୟ ସହ ଲଢେ଼ଇ କରୁଥିବା ବିଶ୍ୱରେ ଭାରତର ଔଷଧ ଏକ ନୂଆ ଆଶା ସଂଚାର କରିଛି  । ସାରା ଦୁନିଆରେ ଭାରତର ଭୂୟସୀ ପ୍ରଶଂସା କରାଯାଉଛି  । ୧୩୦ କୋଟି ଭାରତବାସୀ ଆତ୍ମନିର୍ଭର ଭାରତର ସଂକଳ୍ପ ନେବା ଉଚିତ  । ଆତ୍ମନିର୍ଭର ଭାରତର ଇମାରତ ୫ଟି ସ୍ତମ୍ଭ ଉପରେ ଠିଆହୋଇଛି । ଅର୍ଥନୀତି, ଭିତିଭୂମି, ବ୍ୟବସ୍ଥା, ଭାରତର ଭୌଗୋଳିକ ଓ ଜନସଂଖ୍ୟା ସ୍ଥିତି ଓ ଚାହିଦା ହେଉଛି ୫ଟି ସ୍ତମ୍ଭ  । ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ  । କରୋନା ପ୍ୟାକେଜ ପାଇଁ ପୂର୍ବରୁ ସରକାରଙ୍କ ଘୋଷଣା, ରିଜର୍ଭ ବ୍ୟାଙ୍କର ପ୍ୟାକେଜ ଓ ନୂଆ ଆର୍ଥିକ ପ୍ୟାକେଜକୁ ମିଶାଇଲେ ତାହା ୨୦ ଲକ୍ଷ କୋଟି ଟଙ୍କା ହେବ  । ଯାହାକି ଆମ ଜିଡ଼ିପିର ୧୦% । ଦେଶର ବିଭିନ୍ନ ବର୍ଗର ଆର୍ଥିକ ବ୍ୟବସ୍ଥା ଶୃଙ୍ଖଳକୁ ଏହି ୨୦ ଲକ୍ଷ କୋଟିର ପ୍ୟାକେଜ ନୂଆ ଗତି ଦେବ  । ଜମି, ଶ୍ରମିକ, ଲିକୁ୍ୟଡ଼ିଟି ଆଦି ସବୁ ଉପରେ ଗୁରୁତ୍ୱାରୋପ କରାଯାଇଛି  । ଏମଏସଏମଇ, କୁଟୀର ଶିଳ୍ପ ଆଦି ଉପରେ ଧ୍ୟାନ ଦିଆଯାଇଛି  । ଶ୍ରମିକ, କୃଷକ, ମଧ୍ୟବିତଙ୍କ ବିକାଶ ପାଇଁ ଏହା ଉଦ୍ଧିଷ୍ଟ  । ଏନେଇ ଅର୍ଥମନ୍ତ୍ରୀ ବିସ୍ତୃତ ସୂଚନା ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  । ଗତ ୬ ବର୍ଷର ସଂସ୍କାର ଯୋଗୁଁ ଭାରତର ବ୍ୟବସ୍ଥା ଅଧିକ ସକ୍ଷମ ହୋଇପାରିଛି  । ଜନଧନ, ଆଧାର ଓ ମୋବାଇଲ ଦ୍ୱାରା ଲୋକଙ୍କ ପାଖରେ ସିଧାସଳଖ ଯୋଜନାର ସୁଫଳ ପହଁଚିପାରିଛି  । ଏଭଳି ସମୟରେ ସମସ୍ତେ କଷ୍ଟ ସ୍ୱୀକାର କରିଛନ୍ତି  । ଠେଲାବାଲାଙ୍କ ଠାରୁ ଆରମ୍ଭ କରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତଙ୍କ ଅଭାବ ଆମେ ଅନୁଭବ କରିଛେ  । ସ୍ଥାନୀୟ ବଜାର, ଯୋଗାଣ ଶୃଙ୍ଖଳ ହିଁ ଆମର ଚାହିଦା ମେଂଟାଇଛି  । କରୋନା ବହୁ ସମୟ ଧରି ଆମ ଜୀବନର ଅଂଶ ହେବବୋଲି ବୈଜ୍ଞାନିକମାନେ ମତପୋଷଣ କରୁଛନ୍ତି  । କିନ୍ତୁ ଆମ ଜୀବନ କରୋନା ଭିତରେ ରହିବା ଉଚିତ ନୁହେଁ  । ଆମେ ମାସ୍କ ପିନ୍ଧିବା, ଦୁଇ ଗଜ ଦୂରତ୍ୱ ପାଳନ କରିବା ହେଲେ ଆମ ଲକ୍ଷ୍ୟଠାରୁ ଦୂରେଇ ଯିବାନାହିଁ  । ତେଣୁ ଲକଡାଉନ ୪.୦ ନୂଆ ରଙ୍ଗରୂପରେ ହେବ  । ରାଜ୍ୟଗୁଡ଼ିକ ଦେଇଥିବା ପରାମର୍ଶ ଆଧାରରେ ୧୮ ମେ’ ପୂର୍ବରୁ ଲକଡାଉନ ୪.୦ ନେଇ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି  । ଏକବିଂଶ ଶତାବ୍ଦୀ ଭାରତର  । ଆତ୍ମନିର୍ଭର ଭାରତର ଏହି ଯୁଗ ଭାରତବାସୀଙ୍କ ପାଇଁ ନୂଆ ସଂକଳ୍ପ ଓ ନୂଆ ପର୍ବ ହେବ  ।

    Maximum 500 characters

    ରାଜନୀତି View all

    Find Us on Facebook