ମୁଖ୍ୟ ଖବର
ଭୁବନେଶ୍ୱର: ଆଜିର ଦିନ ବିଧାନସଭା ଇତିହାସର ଅମାବାସ୍ୟାର ଦିନ ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାସ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ମିଶ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ, ଆଜିର ଦିନ ଏକ କଳା ଦିନ । ଏହି ଆଇନ ଏକ କଳା ଆଇନ ହେବ । ନୂଆ ବିଲ ଦ୍ୱାରା ବିଶ୍ୱବିଦ୍ୟାଳୟର ଅଟୋନୋମି ନଷ୍ଟ ହେବ ବୋଲି ନରସିଂହ ମିଶ୍ର କହିଛନ୍ତି ।
ପ୍ରକାଶ ଯେ, ମଙ୍ଗଳବାର ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ -୨୦୨୦ ପାରିତ ହୋଇଛି । ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଲ ପାରିତ ହୋଇଯାଇଛି । ୪ ଦିନର ଆଲୋଚନା ପରେ ଆଜି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ -୨୦୨୦ ଗୃହରେ ପାରିତ ହୋଇଯାଇଛି । ତେବେ ଉକ୍ତ ବିଲକୁ କଳା ଆଇନ କହି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିରୋଧ କରିଛନ୍ତି । ଅନ୍ୟପକ୍ଷରେ ଆଜିର ଆଲୋଚନାରେ ବିଜେପି ଭାଗ ନେଇନଥିଲେ ।
ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ନିଜର ବିବୃତି ରଖିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ, ଅନ୍ୟ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ । ନିଯୁକ୍ତି ରାଜ୍ୟପାଳ କରନ୍ତି, ସ୍ୱାୟତ୍ତତା ନଷ୍ଟ ହେଉନାହିଁ । ଅଧ୍ୟାପକ ନିଯୁକ୍ତି ଓପିଏସସି ଦ୍ୱାରା କରିବାକୁ ରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ । ସଂଶୋଧିତ ବିଲରେ ସିନେଟର ଉଚ୍ଛେଦ ଓ ସିଣ୍ଡିକେଟକୁ ମଜଭୂତ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା ପାଇଁ କମିଟି ଗଠନ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ।
Comments ସମସ୍ତ ମତାମତ