ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଲୋକସଭାରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ମୋଦି ନିଜ ବକ୍ତବ୍ୟ ରଖିବା ସହ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ।
ସେ କହିଛନ୍ତି ଯେ, ଯଦି ଆପଣଙ୍କ ହିସାବରେ ଯାଇଥାନ୍ତୁ ତେବେ ଆଜି ବି ତିନି ତଲାକ ଡରାଉଥାନ୍ତା । ଆପଣଙ୍କ ହିସାବରେ ଯାଇଥିଲେ ଦୁଷ୍କର୍ମୀଙ୍କୁ ଫାଶି ଓ ରାମ ମନ୍ଦିର ସ୍ୱପ୍ନ ହୋଇଥାନ୍ତା । କଂଗ୍ରେସ ଭଳି କାମ କରିଥିଲେ କାଶ୍ମୀରରୁ କେବେ ବି ୩୭୦ ହଟି ନଥାନ୍ତା । ଆମେ ହିମ୍ମତ ଦେଖାଇନଥିଲେ, ଦେଶକୁ ଅନେକ ସମସ୍ୟା ଯୁଝିବାକୁ ପଡ଼ିଥାନ୍ତା । କଂଗ୍ରେସ ଭଳି ଶାସନ କରିଥିଲେ, ଦେଶ ସେମିତି ପଛରେ ପଡ଼ି ରହିଥାନ୍ତା । ସରକାରଙ୍କ ଗତି ବଢିନଥିଲେ ୩୬କୋଟି ଲୋକଙ୍କ ବ୍ୟାଙ୍କ ଖାତା ଖୋଲିନଥାନ୍ତା । ଗତି ବଢିନଥିଲେ ୧୩ କୋଟି ଗରିବଙ୍କ ଘରେ ଗ୍ୟାସ ଚୁଲା ପହଞ୍ଚିନଥାନ୍ତା ।
ସେହିପରି ଗାନ୍ଧିଜୀଙ୍କ ପ୍ରସଙ୍ଗରେ ମୋଦି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ଗାନ୍ଧିଜୀ ଆପଣଙ୍କ ପାଇଁ ଟ୍ରେଲର ହୋଇପାରନ୍ତି, କିନ୍ତୁ ଆମ ପାଇଁ ଜୀବନ ବୋଲି ମୋଦି କହିଛନ୍ତି ।
ସେହିପରି କୃଷି ଓ କୃଷଙ୍କ ଉନ୍ନତି ପାଇଁ ଆମେ ସଦାସର୍ବଦା ଚେଷ୍ଟା କରିଆସିଛୁ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି ଯେ, ଆମ ପୂର୍ବରୁ କୃଷି ପାଇଁ ବଜେଟ ବ୍ୟୟବରାଦ ୨୭ ହଜାର କୋଟି ଥିଲା । ଏବେ କୃଷି ବ୍ୟୟବରାଦ ୫ ଗୁଣ ବଢି ଦେଢ ଲକ୍ଷ କୋଟିରେ ପହଞ୍ଚିଛି । ପିଏମ କିଷାନ ଯୋଜନାରେ ଚାଷୀଙ୍କୁ ଖାତାକୁ ୪୫ ହଜାର କୋଟି ଦିଆଯାଇଛି । କିଛି ରାଜ୍ୟ ଏଯାଏଁ ପିଏମ କିଷାନ ପାଇଁ ଚାଷୀଙ୍କ ତାଲିକା ଦେଇନାହାନ୍ତି । ତେବେ ସେମାନେ କାହିଁକି ଦେଉନାହାନ୍ତି ଓ ଚାଷୀଙ୍କୁ ହକ ପାଇବାରୁ ସେମାନେ କାହିଁକି ବଞ୍ଚିତ କରୁଛନ୍ତି ବୋଲି ମୋଦି ପ୍ରଶ୍ନ କରିଛନ୍ତି ।
ଆମର ଲକ୍ଷ୍ୟ ଅଧିକ ନିବେଶ, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ମୁଦ୍ରା, ଷ୍ଟାର୍ଟଅପ, ଷ୍ଟାଣ୍ଡଅପ ଯୋଜନା ଅନେକଙ୍କୁ ସ୍ୱାବଲମ୍ବୀ କରିଛି ବୋଲି ମୋଦି କହିଛନ୍ତି ।
Comments ସମସ୍ତ ମତାମତ