ମୁଖ୍ୟ ଖବର
ଭୁବନେଶ୍ୱର: ବାତ୍ୟା ଅମ୍ପନ ଓଡ଼ଶାରୁ ଚାଲିଯାଇଥିଲେ ହେଁ ତାର ଛାପ କିନ୍ତୁ ଛାଡ଼ି ଦେଇଛି । ଅମ୍ପନ ପ୍ରଭାବରେ କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ତ କେଉଁଠି ବିଦୁ୍ୟତ ଖୁଣ୍ଟ ଭାଙ୍ଗି ଯାଇଛି । ଅଧିକାଂଶ ସ୍ଥାନରେ ଗଛ ପଡ଼ି ବିଦୁ୍ୟତ ତାର ଛିଣ୍ଡି ପଡ଼ିଛି । ତେବେ ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ପାଇଁ ଅମ୍ପନକୁ ସଫଳ ମୁକାବିଲା କରାଯାଇ ପାରିଛି । ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ଠିକଣା ସମୟରେ ଉଚିତ ପଦକ୍ଷେପ ଯୋଗୁଁ ଧନଜୀବନ ହାନୀକୁ ବହୁ ମାତ୍ରାରେ ରୋକାଯାଇପାରିଛି ।
ତେବେ ବାତ୍ୟା ଅମ୍ପନର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏନେଇ ମୋଦୀ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ସାହସିକତାର ସହ ବାତ୍ୟା ଅମ୍ପନକୁ ମୁକାବିଲା କଲେ । ରାଜ୍ୟବାସୀଙ୍କ ସହ ମୋର ସମବେଦନା ଅଛି । ପୀଡ଼ିତଙ୍କୁ ସମସ୍ତ ସହଯୋଗ ଦେବାକୁ ଅଧିକାରୀମାନେ କାର୍ଯ୍ୟରତ ଅଛନ୍ତି । ତୁରନ୍ତ ଅବସ୍ଥା ସ୍ୱାଭାବିକ ହୋଇଯିବ ବୋଲି ମୁଁ ପ୍ରାର୍ଥନା କରୁଛି ବୋଲି ମୋଦୀ ଟ୍ୱିଟ କରିଛନ୍ତି ।
ତେବେ ଏହା ପ୍ରଥମ ଥର ନୁହେଁ ଯେ, ଓଡ଼ିଶା ସରକାର ବାତ୍ୟାର ସଫଳ ମୁକାବିଲା କରିଛନ୍ତି । ସେହିପରି ଏହା ପ୍ରଥମ ଥର ନୁହେଁ ଯେ, ବାତ୍ୟାର ସଫଳ ମୁକାବିଲା ପାଇଁ ମୋଦୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ।
ପୂର୍ବରୁ ଫାଇଲିନ, ଫୋନି, ହୁଡହୁଡ ଭଳି ବାତ୍ୟାକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । ଯେଉଁଥିପାଇଁ ମୋଦୀ ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ବାତ୍ୟା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ରୋଲମୋଡେଲ ସାଜିଛନ୍ତି ।
ପ୍ରକାଶ ଯେ, ଗତକାଲି ଅମ୍ପନ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଖାପାଖି ୧୨ ଘଣ୍ଟା ଧରି ବିପôାତ ରଚିଥିଲା । ଉପକୂଳବର୍ତ୍ତୀ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୁରଭଞ୍ଜ ଅଞ୍ଚଳରେ ମଧ୍ୟ ଅଳ୍ପବହୁତେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିଥିଲା । ହେଲେ ବାତ୍ୟା କ୍ରମଶଃ ଦୁର୍ବଳ ହୋଇଥିବା କାରଣରୁ ତାର ପ୍ରକୋପ ହ୍ରାସ ପାଇଥିଲା ଓ ଉତ୍ତର ଓଡ଼ିଶା ଏକ ବଡ଼ ଧରଣର ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିଲା ।
Comments ସମସ୍ତ ମତାମତ