ମୁଖ୍ୟ ଖବର
ଖାତାରେ ସିକୁ୍ୟରିଟି କୋଡ, ପ୍ରଶ୍ନପତ୍ରରେ ଡିଜିଟାଲ ଲକ
କଟକ:ଗତଥର ମାଟି୍ରକ ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା । ଚଳିତ ବର୍ଷ ସେଭଳି ଆଶଙ୍କାକୁ ଏଡାଇବା ପାଇଁ ବୋର୍ଡ ପକ୍ଷରୁ ନିଆଯାଉଛି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ । ସେହିକ୍ରମରେ ଏଥରୀ ମାଟି୍ରକ ପରୀକ୍ଷା ଖାତାରେ ସିକୁ୍ୟରିଟି କୋଡ ରହିବ । କେବଳ ଖାତାରେ ନୁହେଁ ବରଂ ପ୍ରଶ୍ନପତ୍ରରେ ମଧ୍ୟ ଡିଜିଟାଲ ଲକର ବ୍ୟବସ୍ଥା କରାଯିବ । ଏହି ସିକୁ୍ୟରିଟି କୋଡ ବା ଡିଜିଟାଲ ଲକ ସହଜରେ ଖାଲି ଆଖିକୁ ଦେଖାଯିବ ନାହିଁ । ଯାହା ଫଳରେ ଆଉ ପ୍ରଶ୍ନପତ୍ର ଭାଇରାଲ ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ମିଳିଛି । ଯଦି କେହି ପ୍ରଶ୍ନ ପତ୍ରର ଫଟୋ ଉଠାଇ ମୋବାଇଲରେ ଭାଇରାଲ କରିବାକୁ ଉଦ୍ୟମ କରିବ ତାହାକୁ କୋଡ ଆଡମିନ ସହଜରେ ଜାଣିପାରିବ । କେଉଁଠୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ସହଜରେ ଜଣାପଡ଼ିବା ସହ ଅଭିଯୁକ୍ତକୁ ସହଜରେ ଚିହ୍ନଟ କରାଯାଇପାରିବ । ତୁରନ୍ତ ଚିହ୍ନଟର ଭୟ ଥିବାରୁ ଆଉ କେହି ପ୍ରଶ୍ନପତ୍ର ଲିକ ଓ ଭାଇରାଲ କରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଓ ମାଟି୍ରକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ହୋଇଥିଲା । ଏମିତିକି ଓଟିଇଟି ପରୀକ୍ଷା ବାତିଲ ବି କରିବାକୁ ପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଚଳିତ ବର୍ଷ ସମସ୍ତ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ ନୂଆ ନିୟମ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଏମବିଐ ପରୀକ୍ଷାରେ ଯେମିତି ପରୀକ୍ଷା ଓ ପ୍ରଶ୍ନପତ୍ରରେ ସିକୁ୍ୟରିଟି କୋଡ ଓ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା ଠିକ୍ ସେମିତି ଚଳିତ ବର୍ଷ ଏହି କୌଶଳକୁ ଆପଣେଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ହୋଇଥିଲା । ବୋର୍ଡ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାରେ ଲାଗୁ କରିବାକୁ ନେଇ ସ୍ଥିର ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଟିଇଟି) ପରୀକ୍ଷାରେ ଏଭଳି ନୂଆ ନିୟମ ଲାଗୁ କରାଯାଇଥିବା ବେଳେ ଚଳିତ ମାଟି୍ରକ ପରୀକ୍ଷାରେ ଏହି ନିୟମ ଲାଗୁ କରିବାକୁ ନେଇ ବୋର୍ଡ ନିଷ୍ପତ୍ତି ହୋଇଛି । ଯାହା ଫଳରେ ପ୍ରଶ୍ନପତ୍ର ଭାଇରାଲ ଓ ସମୂହ କପି ଭଳି ତ୍ରୁଟିକୁ ରୋକାଯାଇପାରିବ ।
Comments ସମସ୍ତ ମତାମତ