ମୁଖ୍ୟ ଖବର
ମୁମ୍ବାଇ : ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଗଲା । ସେଠାରେ ବିଜେପି ସରକାର ଗଢ଼ିଲା । ଏବେ ରାଜସ୍ଥାନରେ ବି ସମାନ ଅବସ୍ଥା । ସରକାର ଦୋହଲୁଥିବାବେଳେ କ୍ଷମତାକୁ ଆସିବା ପାଇଁ ଗୋଟି ଚଳାଉଛି ବିଜେପି । ଏଭଳି ସ୍ଥିତିରେ କେତେକ ବିଜେପି ନେତା ମହାରାଷ୍ଟ୍ର ସରକାର ବି ଖୁବଶୀଘ୍ର ଭାଙ୍ଗିବ ବୋଲି ମତବ୍ୟକ୍ତ କରୁଛନ୍ତି । ତେବେ ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ । ଯଦି ଦମ ଅଛି, ତାଙ୍କ ସରକାର ଭାଙ୍ଗି ଦେଖାନ୍ତୁ ବୋଲି ସେ କହିଛନ୍ତି । ସେ ବିଜେପି ନାଁ ନନେଇଥିଲେବି ପରୋକ୍ଷରେ ନିଶାନା ସାଧିଛନ୍ତି ।
ଶିବସେନାର ମୁଖପତ୍ର ସାମ୍ନାକୁ ଏକ ସାକ୍ଷାତକାରରେ ଉଦ୍ଧବ କହିଛନ୍ତିଯେ, ମହାରାଷ୍ଟ୍ରରେ କଂଗ୍ରେସ, ଏନସିପି ଓ ଶିବସେନାର ମେଂଟ ସରକାର ଚାଲିଛି । କେତେକ କଂଗ୍ରେସ ବିଧାୟକଙ୍କ ଅସନ୍ତୋଷ ନେଇ ଖବର ପ୍ରକାଶ ପାଇଥିବାବେଳେ ଆଉ କେତେକ ମହାବିକାଶ ଅଘାଡ଼ିର ଭବିଷ୍ୟତ ନେଇ ପ୍ରଶ୍ନ ଉଠାଇଛନ୍ତି । କିଛି ଲୋକ କହୁଛନ୍ତି ଅଗଷ୍ଟ ସେପ୍ଟେମ୍ବରରେ ସରକାର ଭାଙ୍ଗିଦେବେ । ଯଦି ସେମାନଙ୍କର ଦମ ଅଛି ତେବେ ଡେରି କାହିଁକି କରୁଛନ୍ତି । ଏବେ ଭାଙ୍ଗିକି ଦେଖାନ୍ତୁ ବୋଲି ଠାକରେ ଆହ୍ୱାନ ଦେଇଛନ୍ତି ।
ବିଜେପିକୁ କଟାକ୍ଷ କରି ସେ କହିଛନ୍ତିଯେ, କିଛି ଲୋକଙ୍କୁ ଭାଙ୍ଗିବାରେ ଆନନ୍ଦ ମିଳୁଛି । ଯଦି କେହି ଭାଙ୍ଗିବାକୁ ଚାହୁଁଛି ଭାଙ୍ଗୁ । ମୋର ପରବାୟ ନାହିଁ । ସରକାର ଭାଙ୍ଗିଦିଅନ୍ତୁ । ସେମାନେ ଆହ୍ୱାନ ଦେଉନାହାନ୍ତି ବରଂ ଭାଙ୍ଗିବାଟା ସେମାନଙ୍କର ସ୍ୱଭାବ ବୋଲି ଠାକରେ କହିଛନ୍ତି । ସେହିପରି ମହାରାଷ୍ଟ୍ର ସରକାରକୁ ବିଜେପି ତିନି ଚକିଆ ରିକ୍ସା ବୋଲି କହିଥିବାବେଳେ ଏହାର ଜବାବ ଦେଇଛନ୍ତି ଠାକରେ । ସେ କହିଛନ୍ତିଯେ, ରିକ୍ସା ଓ ବୁଲେଟ ଟ୍ରେନ ଭିତରୁ ସେ ରିକ୍ସାକୁ ହିଁ ବାଛିବେ । ମୁଁ ଗରିବଙ୍କ ସହ ଅଛି ବୋଲି ଠାକରେ ପ୍ରକାଶ କରିଛନ୍ତି ।
Comments ସମସ୍ତ ମତାମତ