ମୁଖ୍ୟ ଖବର
ୱାଶିଂଟନ: ସମ୍ପ୍ରତି ମହାମାରୀ କୋଭିଡ-୧୯ ର ମୁକାବିଲା ପାଇଁ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉଦେ୍ଧଶ୍ୟରେ ଲକଡାଉନ ଭଳି ଅତି କଠୋର କଟକଣା ଜାରି ରଖି ବିପୁଳ ଆର୍ଥିକ କ୍ଷତି ମଧ୍ୟ ସହିଛନ୍ତି । ଏପରିକି ଆମେରିକା ଭଳି ରାଷ୍ଟ୍ର ଏଥିରେ ପ୍ରମାଦ ଗଣି ଶୀଘ୍ର ଦେଶରେ ଆର୍ଥିକ ସ୍ୱାଭାବିକତା ଫେରାଇ ଆଣିବାକୁ ଚିନ୍ତା କରୁଛି । ବିଭିନ୍ନ ଦେଶ ମଧ୍ୟ ଅନୁରୂପ ଭାବେ ନିଜର ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିର ପୁନରୁଦ୍ଧାର ପାଇଁ ଲକଡାଉନ ପ୍ରତ୍ୟାହାର ପାଇଁ ସଜବାଜ ହେଲେଣି । ତେବେ ଏ ଦିଗରେ କୌଣସି ତରବରିଆ ନିଷ୍ପତ୍ତି ନ ନେବାକୁ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସତର୍କ କରାଇ ଦେଇଛି । ଲକଡାଉନ ଯୋଗୁଁ ଦେଶବାସୀ ନାନା କଟକଣାରେ ଆବଦ୍ଧ ହୋଇ ରହିଥିବା ବେଳେ ତାହାକୁ ହଟାଇ ନେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଭାବରେ ବଢ଼ିଯିବ ବୋଲି ମଧ୍ୟ ‘ହୁ’ ଚେତାବନୀ ଦେଇଛି ।
ଏ ସମ୍ପର୍କରେ ଜେନେଭା ଠାରେ ରାଷ୍ଟ୍ରମାନଙ୍କୁ ସମ୍ବୋଧିତ କରି ‘ହୁ’ର ମହାନିଦେ୍ର୍ଧଶକ ଟ୍ରେଡସ ଆଧାନମ ଘେବ୍ରେୟେସସ କହିଛନ୍ତି ଯେ ଏପରି ସ୍ଥିତିକୁ ହଟାଇବା ପାଇଁ ଦେଶଗୁଡ଼ିକ ଯଥେଷ୍ଟ ପ୍ରସ୍ତୁତ ହେବା ଜରୁରୀ । ଏହି ଅତିଶୟ ସଂକ୍ରମଣକ୍ଷମ କରୋନା ଭୂତାଣୁର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ପ୍ରଭୂତ ନିରୀକ୍ଷଣ ପ୍ରଣାଳୀ ସମେତ ସମ୍ଭାବ୍ୟ ଗଣସଂକ୍ରମଣ ରୋକିବା ପାଇଁ ବ୍ୟାପକ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରି ରଖିବା ଆବଶ୍ୟକୀୟ । ଅନ୍ୟଥା ଏହାର ପରବର୍ତ୍ତୀ ଅସମ୍ଭାଳ ପରିସ୍ଥିତିକୁ ସଜାଡ଼ିବା କଷ୍ଟକର ହେବ । ସେହିପରି ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଲକଡାଉନ କଟକଣାଗୁଡ଼ିକୁ ତରବରିଆ ଭାବେ ହଟାଇ ନେଲେ କରୋନା ଭୂତାଣୁ ପୁଣି ମାଡ଼ିବସିବ ବୋଲି ‘ହୁ’ର ଭୂତାଣୁ ବିଶେଷଜ୍ଞ ମାରିଆ ଭାନ କେର୍ଖୋବ ଆଶଙ୍କା ପ୍ରକଟ କରିଛନ୍ତି । ସୂଚନା ଥାଉ କି, ଜର୍ମାନୀ, ସ୍ପେନ ଓ ଇଟାଲୀ ଆଦି ଦେଶରେ ଲକଡାଉନ ସ୍ଥିତିକୁ କୋହଳ କରିବା ଆରମ୍ଭ ହୋଇଥିବା ବେଳେ ଆମେରିକା ମଧ୍ୟ ଅନୁରୂପ ପନ୍ଥା ଆପଣାଇବାକୁ ସଙ୍କେତ କରିଛି । ଏହି ଅବସରରେ ବୁଧବାର ‘ହୁ’ ଅଧିକାରୀ ମାଇକ୍ ସ୍ପଷ୍ଟ କରିଥିଲେ ଯେ ରାଷ୍ଟ୍ରମୁଖ୍ୟମାନେ ଆବଶ୍ୟକତା ଅନୁଯାୟୀ ନିଜ ଦେଶରେ କେବେ ଓ କେମିତି ଲକଡାଉନ ପରିସ୍ଥିତି ହଟାଇବେ, ତାହା ସେମାନେ ଚିନ୍ତା କରିବା ଦରକାର ।
Comments ସମସ୍ତ ମତାମତ