ମୁଖ୍ୟ ଖବର
ଭୁବନେଶ୍ୱର: ଧାନ କିଣା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା ପ୍ରସଙ୍ଗରେ ସୋମବାର ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ବର୍ଷିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ, ଡିସେମ୍ବର ୧ରୁ ମଣ୍ଡି ଖୋଲିବେ କହି କେବେ ଖୋଲିଲେ ଓ କେବେ ବନ୍ଦ କଲେ ତାହା ଜଣାପଡ଼ିଲା ନାହିଁ । କେନ୍ଦ୍ର ମଣ୍ଡିର ଭିତ୍ତିଭୂମି ବିକାଶ ପାଇଁ ହଜାର ହଜାର କୋଟି ଦେଉଛନ୍ତି । ଟଙ୍କା ଆସୁଛି, ପଡ଼ି ରହୁଛି । ଏହା ଚାଷୀଙ୍କ ପାଖକୁ ଯାଉନାହିଁ । ଟୋକନ ଅବ୍ୟବସ୍ଥା ଓ କଟନୀ ଛଟନୀରେ ଚାଷୀଙ୍କୁ ହତାଶ କରାଯାଉଛି । ଭଲ ଫସଲ ହୋଇଛି । ବଳକା ଧାନ ଅନ୍ୟ ରାଜ୍ୟ ନିଜସ୍ୱ ଯୋଜନାରେ କିଣୁଛନ୍ତି । ତେବେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ କେତେ ଧାନ କିଣିଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଏଥିସହ ସରକାର ମଣ୍ଡି ଖୋଲି ଚାଷୀଙ୍କ ଧାନ ଉଠାଇବାକୁ ସେ ଦାବି କରିଛନ୍ତି ।
ପ୍ରକାଶ ଯେ, କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନେଉନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ ଅଭିଯୋଗ କରିଥିଲେ ।
ସେମାନଙ୍କ କହିବା ଅନୁଯାୟୀ ଓଡ଼ିଶାରୁ ଉପôାଦିତ ଉଷୁନା ଚାଉଳର ୫୦ ପ୍ରତିଶତ କେନ୍ଦ୍ର ନେବ କହୁଛି । ଏଯାଏ ରାଜ୍ୟରେ ୩୫ ଲକ୍ଷ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ବର୍ଷ ମୋଟ ୮୨ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବା ଲକ୍ଷ୍ୟ ରହିଛି । ଧାନ କିଣା ନେଇ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ରାଜ୍ୟ ସରକାର ଦେଇଛନ୍ତି । ତେବେ ସେନେଇ କେନ୍ଦ୍ର ଏଯାବତ ରାଜ୍ୟ ସରକାରଙ୍କୁ ଟଙ୍କା ଦେଇନି । କେନ୍ଦ୍ର ଉଷୁନା ଚାଉଳ ନନେଲେ ଓଡ଼ିଶା ଉପରେ ୧୦ ହଜାର କୋଟି ବୋଝ ପଡ଼ିବ । ରାଜ୍ୟ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି କେନ୍ଦ୍ରକୁ ବୁଝାଉ ବୋଲି ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ।
Comments ସମସ୍ତ ମତାମତ