ମୁଖ୍ୟ ଖବର
ମନାଲି : ଅଭିନେତ୍ରୀ କଙ୍ଗନା ରନାୱତ ଓ ତାଙ୍କ ପରିବାର ବର୍ଗ ବିଜେପିରେ ଯୋଗଦେବେ । ହିମାଚଳ ପ୍ରଦେଶରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ନିକଟରେ କଙ୍ଗନାଙ୍କ ମା’ ଆଶା ଏକ ଭିଡିଓ ବାର୍ତା ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇବା ପରେ ଏଭଳି ଚର୍ଚ୍ଚା ହେଉଛି । ଆମେ କଂଗ୍ରେସକୁ ସମର୍ଥନ କରୁଥିବା କଥା ଜାଣିଥିଲେ ବି ଆମ ପରିବାର ପଛରେ ଠିଆ ହୋଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି । କଙ୍ଗନାଙ୍କ ଜେଜେ ସରଜୁ ରାମ ଗୋପାଳପୁର ଆସନରୁ କଂଗ୍ରେସ ବିଧାୟକ ଥିଲେ ।
ହିମାଚଳ ପ୍ରଦେଶରେ ବିଜେପିର ଏକ ପ୍ରତିନିଧି ଦଳ କଙ୍ଗନାଙ୍କ ମଣ୍ଡିସ୍ଥିତ ବାସଭବନକୁ ଯାଇ ତାଙ୍କ ମା’ଙ୍କୁ ଭେଟିଛନ୍ତି । ତାଙ୍କ ମା’ ମୋଦି, ଶାହାଙ୍କ ସମେତ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟଯେ, ଶିବସେନା ସହ କଙ୍ଗନାଙ୍କର ବାକଯୁଦ୍ଧ ଚାଲିଥିବାବେଳେ ମୁମ୍ବାଇ ସ୍ଥିତ ତାଙ୍କ ଅଫିସରେ ବିଏମସି ପକ୍ଷରୁ ଭଙ୍ଗାରୁଜା କରାଯାଇଛି । ସେହିପରି ଶିବସେନା ଏବେ ସୋନିଆ ସେନା ପାଲଟି ଯାଇଥିବାବେଳେ ସୋନିଆ ଗାନ୍ଧୀ ଚୁପ କାହିଁକି ବୋଲି କଙ୍ଗନା ପ୍ରଶ୍ନ ମଧ୍ୟ କରିଛନ୍ତି । ଏଭଳି ସ୍ଥିତିରେ କଙ୍ଗନାଙ୍କ ପରିବାରକୁ ବିଜେପିରେ ଯୋଗଦେବା ପାଇଁ ହିମାଚଳ ପ୍ରଦେଶ ବିଜେପି ଆମନ୍ତ୍ରଣ କରିଛି । ତେବେ ଏନେଇ କଙ୍ଗନା କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।
Comments ସମସ୍ତ ମତାମତ