ମୁଖ୍ୟ ଖବର
ନୁ୍ୟୟର୍କ: ଆମେରିକାରେ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପାର୍ଥୀ ଜୋ ବାଇଡେନ ତାଙ୍କର ଭାରତ ବିରୋଧର ଆଭିମୁଖ୍ୟ ଦେଖାଇଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ବାଇଡେନ ଭାରତ ବିରୋଧରେ ବୟାନ ଦେଇଛନ୍ତି । ଏହା କାଶ୍ମୀର ବାସୀଙ୍କ ଅଧିକାରକୁ କ୍ଷୁଣ୍ଣ କରିଛି ବୋଲି ସେ କହିଛନ୍ତି । ଏହା ସହିତ ଭାରତର ଏନଆରସି ଏବଂ ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ମଧ୍ୟ ବିରୋଧ କରି ବାଇଡେନ ବୟାନ ଦେବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଭାରତର ପଦକ୍ଷେପ ଗଣତନ୍ତ୍ର ବିରୋଧୀ ବୋଲି କହିବାକୁ ମଧ୍ୟ ସେ ପଛାଇ ନାହାନ୍ତି । ଆମେରିକାରେ ମୁସଲିମ ସମ୍ପ୍ରଦାୟର ଭୋଟ ହାସଲ ପାଇଁ ବାଇଡେନ ଏଭଳି ନୀତି ଧରିଛନ୍ତି । ବୋଲି କୁହାଯାଉଥିବା ବେଳେ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଅନେକ ମତ ଦେଇଛନ୍ତି । ଆମେରିକାରେ ଅନେକ ଭାରତୀୟ ସଂଗଠନ ବାଇଡେନଙ୍କ ଭାରତ ବିରୋଧୀ ଆଭିମୁଖ୍ୟ କଡ଼ା ସମାଲୋଚନା କରିଛନ୍ତି ଏବଂ ଭାରତକୁ ନେଇ ତାଙ୍କର ଚିନ୍ତାଧାରା ବଦଳିବା ଆବଶ୍ୟକ ବୋଲି ମତ ରଖିଛନ୍ତି । ବାଇଡେନ ଆମେରିକୀୟ ମୁସଲିମଙ୍କ ଉଦେ୍ଧଶ୍ୟରେ ଜାରି କରିଥିବା ଏଜେଣ୍ଡା ରିପୋର୍ଟରେ ଭାରତ ବିରୋଧରେ ବିଷୋଦଗାର କରିଥିବାରୁ ଡେମୋକ୍ରାଟିକ ପାର୍ଟି ଏଥିରେ ତୁରନ୍ତ ସଂଶୋଧନ କରିବାକୁ ଭାରତୀୟ ଆମେରିକୀୟ ହିନ୍ଦୁମାନେ ଦାବି କରିଛନ୍ତି ।
Comments ସମସ୍ତ ମତାମତ