ମୁଖ୍ୟ ଖବର
ଚଣ୍ଡିଖୋଲ: ବାଲିଚନ୍ଦ୍ରପୁର ମାର୍କେଟ ସରସ୍ୱତୀ ବଜାରରେ ଥିବା ଓଳାଶୁଣୀ ଜୁଏଲର୍ସକୁ ଗ୍ରାହକ ସାଜି ଆସି ଦୁଇ ଜଣ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର ମାର୍କେଟ ସରସ୍ୱତୀ ବଜାରରେ ଥିବା ଓଳାଶୁଣୀ ଜୁଏଲର୍ସକୁ ଦୁଇ ଜଣ ଅଚିହ୍ନା ଯୁବକ ଆସି ମାଲିକ ସୁକାନ୍ତ କୁମାର ସାହୁଙ୍କୁ ଏକ ସୁନା ଲକେଟ ଦେଖାଇବାକୁ କହିଥିଲେ । ସେମାନଙ୍କୁ ଶ୍ରୀ ସାହୁ ଲକେଟ ଦେଖାଇଥିଲେ । ତାହା ପସନ୍ଦ ହେବା ପରେ ଆବଶ୍ୟକ ଅର୍ଥ ନେଇ ଯୁବକ ଲକେଟକୁ କିଣିଥିଲେ । ପରେ ଜଣେ ଯୁବକ ଏକ ସୁନା କାନଫୁଲ ମାଗିଥିଲେ । ମାଲିକ ଶ୍ରୀ ସାହୁ ୭୨ ଗ୍ରାମ ଓଜନର ସୁନା ତିଆରି କାନଫୁଲ ଏକ ପ୍ୟାକେଟ ବାହାର କରୁଥିବା ବେଳେ ଦୁଇ ଲୁଟେରା ପ୍ୟାକେଟଟିକୁ ଶ୍ରୀ ସାହୁଙ୍କ ହାତରୁ ଝାମ୍ପିନେଇ ଛୁ ମାରିଥିଲେ । ଏହା ଦେଖି ଶ୍ରୀ ସାହୁ ଚୋର ଚୋର ବୋଲି ଚିିକ୍ରାର କରି ଦୋକାନ ଭିତରୁ ପଦାକୁ ଆସି ସେମାନଙ୍କ ପିଛା କରିଥିଲେ । ଅନୁରୂପ ଭାବେ ଦୁଇ ଯୁବକ ମଧ୍ୟ ଚୋର ଚୋର କରି ଦୋକାନ ପାଖରୁ ୧୦୦ ଫୁଟ ଦୂରତାରେ ମଟର ସାଇକେଲ ଚାଲୁ କରି ଅପେକ୍ଷା କରିଥିବା ଅନ୍ୟ ଜଣେ ଯୁବକଙ୍କ ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏ ସମସ୍ତ ଲୁଟ ଘଟଣା ଦୋକାନରେ ଲଗାଯାଇଥିବା ସିସିଟିଭ କ୍ୟାମେରାରେ କଏଦ ହୋଇଛି । ଏ ନେଇ ମାଲିକ ଶ୍ରୀ ସାହୁ ଥାନାରେ ଅଭିଯୋଗ କରିବା ପରେ ଥାନା ଏସଆଇ ସୁରେନ୍ଦ୍ର ରଥ ଓଳାଶୁଣୀ ଜୁଏଲର୍ସରେ ପହଞ୍ଚି ସିସିଟିଭ ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଲୁଟେରାମାନଙ୍କୁ ଧରାଯିବ ବୋଲି ସେ କହିଛନ୍ତି ।
Comments ସମସ୍ତ ମତାମତ