ମୁଖ୍ୟ ଖବର
ନୂଆଦିଲ୍ଲୀ: ଜାତିସଂଘ ମହିଳା କମିଶନର ସଦସ୍ୟ ନିର୍ବାଚନରେ ଚୀନକୁ ମାତ ଦେଇଛି ଭାରତ ଓ ଆଫଗାନିସ୍ତନ । ଆଫଗାନିସ୍ତାନ ୫୪ଟି ଭୋଟରୁ ୩୯ଟି ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ଭାରତକୁ ୩୮ଟି ଭୋଟ ମିଳିଛି ।
ଜାତିସଂଘର ଇକୋନୋମିକ ଏଣ୍ଡ ସୋସିଆଲ କାଉନସିଲ (ଇସିଓଏସଓସି) ଅଧୀନରେ ମହିଳାମାନଙ୍କ ପାଇଁ ଗଠିତ ଏକ କମିଶନ କାର୍ଯ୍ୟ କରିଥାଏ । ଏହାକୁ କମିଶନ ଅନ ଷ୍ଟାଟସ ଅଫ ୱିମେନ (ସିଏସଡବ୍ଲୁ୍ୟ) ବୋଲି କୁହାଯାଏ । ସମଗ୍ର ବିଶ୍ୱରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ପାଇଁ ଏହି କମିଶନ ଉଦ୍ୟମ କରିଥାଏ । ଇସଓଏସଓସିରେ ୫୪ଟି ଦେଶ ସଦସ୍ୟ ଥିବା ବେଳେ ସୋମବାର ଜାତିସଂଘ ସାଧାରଣ ପରିଷଦ କାର୍ଯ୍ରାଳୟରେ ଏହାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଏସଡବ୍ଲୁ୍ୟ ପାଇଁ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଦୁଇଟି ଦେଶକୁ ଏହାର ସଦସ୍ୟ ଭାବେ ନିର୍ବାଚନ କରାଯିବାର ଥିଲା । ଏଥିପାଇଁ ଭାରତ, ଆଫଗାନିସ୍ତାନ ଓ ଚୀନ ଦୌଡ଼ରେ ଥିଲେ । କିନ୍ତୁ ଚୀନ ଏଥିପାଇଁ ହୋଇଥିବା ଭୋଟରେ ଶୋଚନୀୟ ପରାଜୟ ବରଣ କରିଛି । ଏମିତିକି ଆଫଗାନିସ୍ତାନ ଭଳି ଦେଶ ୫୪ଟି ଭୋଟରୁ ୩୯ଟି ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ଚୀନ ଭଳି ବିଶାଳ ଓ ଶକ୍ତିଶାଳୀ ଦେଶ ହାରି ଯାଇଛି । ତେଣୁ ଏବେ ଚୀନ ବିରୋଧରେ କିଭଳି ଆନ୍ତର୍ଜାତିକ ସ୍ତରରେ ଅସନ୍ତୋଷ ବୃଦ୍ଧି ପାଉଛି, ତାହା ଏଥିରୁ ପ୍ରତିଫଳିତ ହେଉଛି । ଭାରତକୁ ଏଥିରେ ୩୮ଟି ଭୋଟ ମିଳିଛି ।
Comments ସମସ୍ତ ମତାମତ