ମୁଖ୍ୟ ଖବର
ମୁମ୍ବାଇ: ଆଗାମୀ ଇଣ୍ଡିଆନ ପି୍ରମିୟମ ଲିଗ୍ (ଆଇପିଏଲ) ର ୧୩ତମ ସଂସ୍କରଣରେ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି । ଯାହାର ନାମ ରଖାଯାଇଛି ‘ପାୱାର ପ୍ଲେୟାର’ନିୟମ । ୧୧ ଜଣ ଖେଳାଳିଙ୍କ ବ୍ୟତୀତ ମ୍ୟାଚ୍ ମଝିରେ ଆଉ ଜଣେ ଖେଳାଳିଙ୍କୁ ଖେଳାଇ ପାରିବେ । ଆଇପିଏଲକୁ ଅଧିକ ରୋମାଞ୍ଚକର କରିବା ପାଇଁ ଆଇପିଏଲ ଆୟୋଜକ ଏଭଳି ନିୟମକୁ ଲାଗୁ କରିବାକୁ ଯାଉଛନ୍ତି । ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ । ଆସନ୍ତା କାଲି ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକ ରହିଛି । ବୈଠକ ଅବସରରେ ନୂଆ ନିୟମ ଉପରେ ମୋହର ଲାଗିପାରେ ।
ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ ବିସିସିଆଇ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଇପିଏଲ୍ ଅଧ୍ୟକ୍ଷ ବି୍ରଜେଶ ପଟେଲଙ୍କ ସମେତ ଖାଇରୁଲ ଜମାଲ ମଜୁମଦାର, ସୁରିନ୍ଦର ଖାନ୍ନା ଓ ବିସିସିଆଇର ସିଇଓ ରାହୁଲ ଜୋହରି ଏହି ବୈଠକରେ ଯୋଗ ଦେବେ । ସଭାପତି ସୌରଭ ଗାଙ୍ଗୁଲି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ନାହିଁ ।
ଆଗାମୀ ଆଇପିଏଲ୍ରେ ‘ପାୱାର ପ୍ଲେୟାର’ ନିୟମକୁ ଲାଗୁ କରିବା ପାଇଁ ବୈଠକ ଅବସରରେ ନିଷ୍ପତ୍ତି ନିଆଯିବ । ପୂର୍ବରୁ ଏହି ନିୟମକୁ ନେଇ ବିସିସିଆଇର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇସାରିଥିବା ଶୁଣାଯାଉଛି । ନୂଆ ନିୟମକୁ ଆସନ୍ତା କାଲି ବୈଠକରେ ସବୁଜ ସଙ୍କେତ ମିଳିବା ଏକ ପ୍ରକାର ନିଶ୍ଚିତ ଥିବା ବିସିସିଆଇ ସୂତ୍ରରୁ ପ୍ରକାଶ । ପାୱାର ପ୍ଲେୟାର ନିୟମ ଅନୁଯାୟୀ ମ୍ୟାଚ୍ ସମୟରେ ପ୍ରତ୍ୟେକ ଦଳ ଅତିରିକ୍ତ ଖେଳାଳିଙ୍କୁ ଏକାଦଶରେ ସାମିଲ କରିପାରିବେ । ଅର୍ଥାତ ଟସ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା ହେବ । ଖେଳ ଚାଲିଥିବା ବେଳେ ଆବଶ୍ୟକ ସ୍ଥଳେ ଜଣେ ଖେଳାଳୀଙ୍କୁ ଏକାଦଶରୁ ବାଦ୍ ଦିଆଯାଇ ସେହି ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ସାମିଲ କରାଯାଇ ପାରିବ । କୌଣସି ୱିକେଟର ପତନ ପରେ କିମ୍ବା ଓଭର ଶେଷ ହେବା ପରେ ଖେଳାଳି ଅଦଳ ବଦଳ ହୋଇ ପାରିବେ । ଏହି ଖେଳାଳି ଜଣକ ପୂର୍ବରୁ ଏକାଦଶରେ ସ୍ଥାନ ପାଇନଥିବେ ।
ଉଦାହରଣ ସ୍ୱରୂପ, ମୁମ୍ବାଇ ଇଣ୍ଡିଆନ୍ସ ଦଳର ଏକ ମ୍ୟାଚ୍ରେ ଜଶପ୍ରାତ ବୁମାରାଙ୍କୁ ଏକାଦଶରେ ସ୍ଥାନ ମିଳିନଥିବ । ହେଲେ ଶେଷ ଓଭରରେ ପ୍ରତିପକ୍ଷ ଦଳ ବିଜୟ ପାଇଁ ଅଳ୍ପ ରନ୍ ଆବଶ୍ୟକ କରୁଥିବ । ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କୌଣସି ଜଣେ ଖେଳାଳିଙ୍କୁ ଏକାଦଶରୁ ବାଦ ଦେଇ ଶେଷ ଓଭର ବୋଲିଂ କରିବା ପାଇଁ ବୁମରାଙ୍କୁ ଡକାଇ ପାରିବେ । ସେହିଭଳି କୌଣସି ଦଳ ବ୍ୟାଟିଂ ବେଳେ କମ ବଲରେ ଅଧିକ ରନ୍ ଆବଶ୍ୟକ କରୁଥିବ ।
ଏହି ସମୟରେ କୌଣସି ୱିକେଟର ପତନ ହେବା ମାତ୍ରେ ଉକ୍ତ ଦଳ ପୂର୍ବରୁ ଏକାଦଶରେ ସ୍ଥାନ ପାଇନଥିବା ଜଣେ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟିଂ ପାଇଁ ଡକାଇପାରିବ ।
ପାୱାର ପ୍ଲେୟାର ନିୟମ ଲାଗୁ ହେଲେ ଟସ ପୂର୍ବରୁ ପ୍ରତ୍ୟେକ ଦଳ ୧୧ ଜଣ ପରିବର୍ତ୍ତେ ୧୫ ଜଣିଆ ଦଳର ତାଲିକା ପ୍ରଦାନ କରିବେ । ୧୧ ଜଣ ଗ୍ରାଉଣ୍ଡକୁ ଓହ୍ଲାଇବେ । ଅନ୍ୟ ୪ ଜଣଙ୍କୁ ପାୱାର ପ୍ଲେୟାର ଭାବେ ରଖାଯିବ । ମ୍ୟାଚ୍ ସମୟରେ ଏମାନଙ୍କ ମଧ୍ୟରୁ କେବଳ ଜଣେ ଖେଳାଳିଙ୍କୁ ଏକାଦଶରେ ସାମିଲ କରାଯାଇପାରିବ ।
Comments ସମସ୍ତ ମତାମତ