ମୁଖ୍ୟ ଖବର
ନୂଆଦିଲ୍ଲୀ: ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ହାର୍ଦ୍ଧିକ ସତୀଶ ଚନ୍ଦ୍ର ଶାହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଏବେ ପିଏମଓରେ ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଛନ୍ତି । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଶାହଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛି । ୨୦୧୦ ମସିହା ବ୍ୟାଚର ଆଇଏଏସ ଅଧିକାରୀ ଶାହଙ୍କୁ ୨୦୧୭ରେ ତକ୍ରାଳୀନ କେନ୍ଦ୍ର ପରିବେଶ ମନ୍ତ୍ରୀ ଅନୀଲ ମାଧବ ଡାଭେଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୯ରେ ତାଙ୍କୁ ପିଏମଓକୁ ବଦଳି କରାଯାଇଥିଲା । ସେ ଏବେ ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିବା ରାଜୀବ ଟପ୍ନୋଙ୍କ ସ୍ଥାନ ନେବେ । ଟପ୍ନୋଙ୍କୁ ଗତ ଜୁନ ମାସରେ ବିଶ୍ୱ ବ୍ୟାଙ୍କ କାର୍ଯ୍ୟକାରୀ ନିଦେ୍ର୍ଧଶକଙ୍କ ବିରଷ୍ଠ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ଏହି ଦାୟିତ୍ୱ ଗ୍ରହଣ କରିବା ସକାଶେ ଅଗଷ୍ଟ ୧୫ ପରେ ସେ ୱାଶିଂଟନ ଯିବେ । ଟପ୍ନୋ ପିଏମଓରେ ୧୧ ବର୍ଷ ହେଲା କାମ କରୁଛନ୍ତି । ୨୦୦୯ରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ ପିଏମଓରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବି ତାଙ୍କୁ ପିଏମଓରୁ ହଟାଇନଥିଲେ ।
Comments ସମସ୍ତ ମତାମତ