ମୁଖ୍ୟ ଖବର
ଦୁବାଇ : ଚଳିତ ଥର ଆଇପିଏଲ କଡ଼ା ନିୟମ ଏବଂ କଠୋର ଜୈବ ବଳୟ ମଧ୍ୟରେ ଖେଳାଯାଉଛି । ସେଥିପାଇଁ ବିନ୍ଦାସ ଓ ବେପରୁଆ ଜୀବନଶୈଳୀ ପାଇଁ ପରିଚିତ ମୁମ୍ବାଇ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନିଶ୍ଚିତ ପାର୍ଟି ଓ ଯିବା ମିସ୍ କରୁଥିବେ । ଏଭଳି ଭାବନା ନେଇ ଭାଷ୍ୟକାର ପଚାରିଥିବା ପ୍ରଶ୍ନର ପାଣ୍ଡ୍ୟା ଯେଉଁ ଉତ୍ତର ରଖିଥିଲେ ତାହା କେବଳ ତାଙ୍କ ସାଥୀ ଖେଳାଳି ନୁହେଁ ପ୍ରଶଂସକଙ୍କୁ ମଧ୍ୟ ଚକିତ କରିଦେଇଛି ।
କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ପାଣ୍ଡ୍ୟା ସୁପର ଷ୍ଟ୍ରାଇକର ପୁରସ୍କାର ଗ୍ରହଣ କଲା ବେଳେ ଭାଷ୍ୟକାର ଡାନି ମୋରିସନ ତାଙ୍କୁ କୌତୁକିଆ ପ୍ରଶ୍ନ ପଚାରିଥିଲେ । ତୁମେ ନିଶ୍ଚିତ ପାର୍ଟିକୁ ଯିବାକୁ ମିସ୍ କରୁଥିବ ବୋଲି ମୋରସିନ ମଜାରେ କହିଥିଲେ । ପାଣ୍ଡ୍ୟା ତତକ୍ଷଣାତ ଏହାର ଉତ୍ତର ରଖିକହିଥିଲେ, ନା ମୁଁ ଏବେ ବାପା ହୋଇଗଲିଣି । ଏଣୁ ସେସବୁ ପରିବର୍ତ୍ତେ ଡାଇପର ବଦଳାଇବା ମିସ କରିବା ଉଚିତ ବୋଲି କହିଥିଲେ । ଏହା ଶୁଣି ମୋରିସନ ହସି ପକାଇଥିଲେ । ପାଣ୍ଡ୍ୟା ନିକଟରେ ପିତା ହୋଇଥିଲା ବେଳେ ସାଥୀ ତଥା ବଲିଉଡ ଅଭିନେତ୍ରୀ ନତାଶା ଷ୍ଟଙ୍କୋଭିକ ଓ ପୁଅ ଅଗସ୍ତ୍ୟକୁ ଛାଡ଼ି ସଂପ୍ରତି ଏକାକୀ ୟୁଏଇରେ ଆଇପିଏଲ ଖେଳୁଛନ୍ତି । ପୁଅ ଓ ନତାଶାଙ୍କୁ ବହୁତ ମିସ୍ କରୁଥିବା ଅନେକ ଥର ଟ୍ୱିଟ କରି ସେ ଜଣାଇ ସାରିଛନ୍ତି । ନତାଶା ମଧ୍ୟ ତାଙ୍କୁ ମିସ କରୁଥିବା ନିୟମିତ ଟ୍ୱିଟ କରି କହୁଛନ୍ତି ।
Comments ସମସ୍ତ ମତାମତ