ମୁଖ୍ୟ ଖବର
ପୂର୍ବତନ ବିଧାୟକ ସ୍ୱର୍ଗତ ସାହୁରା ମଲ୍ଲିକ, ସ୍ୱର୍ଗତ ଉଦିତ ପ୍ରତାପ ଦେଓ, ସ୍ୱର୍ଗତ ବୃନ୍ଦାବନ ପାତ୍ର, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି, ସ୍ୱର୍ଗତ ଜଗନ୍ନାଥ ରାଉତ, ସ୍ୱର୍ଗତ ନାକା ଲଚ୍ଛମାୟା, ସ୍ୱର୍ଗତ ଦୈତାରୀ ବେହେରା, ସ୍ୱର୍ଗତ ସଚ୍ଚିଦାନନ୍ଦ ଦେଓ, ସ୍ୱର୍ଗତ ଗୌରହରି ନାୟକ, ସ୍ୱର୍ଗତ ଭାଗିରଥି ଦାସ, ସ୍ୱର୍ଗତ ରାଧାଗୋବିନ୍ଦ ସାହୁ, ଓଡ଼ିଶା ପୁଲିସର ପୂର୍ବତନ ଓପିଏଫ ସ୍ୱର୍ଗତ ଜୟରାମ କବାସିଙ୍କ ଉଦେ୍ଧଶ୍ୟରେ ଶୋକପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ବ୍ୟବସ୍ଥାଗତ ପ୍ରାମାଣିକତା ନୁହେଁ ସାଧାରଣ ଲୋକଙ୍କ ଭଲପଣିଆ ଉପରେ ଆସ୍ଥାଭାଜନ କରିବା , ବିନା ଅସୁବିଧାରେ ସ୍ୱଚ୍ଛ ଉପାୟରେ ଜନସାଧାରଣଙ୍କୁ ତାଙ୍କ ପାଇଁ ଉଦ୍ଧିଷ୍ଟ ସେବା ଯୋଗାଇବା ନିମନ୍ତେ ସରକାର ପ୍ରତିବଦ୍ଧ ।
ପରାମର୍ଶଭିତିକ ପ୍ରଶାସନ ବିକାଶ ଯାତ୍ରାର ମୂଳମନ୍ତ୍ର । ନାଗରିକ କୈନ୍ଦ୍ରିକ ପ୍ରଶାସନ ‘ମୋ ସରକାର’ର ଲକ୍ଷ୍ୟ ହୋଇଥିବାବେଳେ ୫ ଟି’ (ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି, ଟିମୱାର୍କ, ଟାଇମ ଓ ଟ୍ରାନ୍ସଫର୍ମେସନ) ହେଉଛି ପ୍ରଶାସନର ମୂଳମନ୍ତ୍ର ।
ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଆଧାରିତ ‘ଅନ୍ତ୍ୟୋଦୟ’ ନୀତି ପ୍ରତି ପ୍ରାଥମିକତା ଦେବା ସହ ଜନକୈନ୍ଦି୍ରକ ଯୋଜନା ପ୍ରଣୟନ ଓ ରୂପାୟନ ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ ।
ଓଡ଼ିଶାର ସମୃଦ୍ଧ ପରମ୍ପରାର ନିଦର୍ଶନ ସମୂହକୁ ବଜାୟ ରଖିବାକୁ ହେଲେ ଐତିହ୍ୟ କ୍ଷେତ୍ରଗୁଡ଼ିକର ସଂରକ୍ଷଣ ଓ ବିକାଶ ଆବଶ୍ୟକ । ଓଡ଼ିଶାର ପ୍ରାଣକେନ୍ଦ୍ର ପୁରୀ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ର ବିକାଶ ସହ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ବିକାଶ ମଧ୍ୟ କରାଯାଉଛି ।
କୃଷକମାନଙ୍କର ଆୟ ଦୁଇଗୁଣିତ ହୋଇଛି । ଜାତୀୟ ଏଜେଣ୍ଡା ଆଧାରରେ ଆଗୁଆ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଆଗାମୀ ବର୍ଷରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ସହ ୨୫ ଲକ୍ଷ ଭୂମିହୀନ କୃଷକ ପରିବାରକୁ ‘କାଳିଆ’ ଯୋଜନାରେ ସହାୟତା ଯୋଗାଇବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
କୃଷି ବିଭାଗର ସମସ୍ତ ସେବା ୫ ‘ଟି’ ଓ ‘ମୋ ସରକାର’ ଅଧିନରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ପ୍ରତି ଜିଲ୍ଲାରେ ‘ମୋ ସରକାର ଡେସ୍କ’ ସ୍ଥାପନ କରାଯାଇଛି ।
୧୧ଟି ଜିଲ୍ଲାର ୫୫ ବ୍ଲକରେ ‘ଓଡ଼ିଶା ମିଲେଟ ମିଶନ’ର ଶୁଭାରମ୍ଭ ହୋଇଥିବାବେଳେ ୭୨ ବ୍ଲକକୁ ସମ୍ପ୍ରସାରିତ କରାଯିବ ।
ସରକାର ସୌର ଜଳନିଧି ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ କାର୍ଯ୍ୟକାରୀ ହେଉଛି ।
ମାଇକ୍ରୋ ଏଟିଏମ ସୁବିଧା ସହ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ‘ଏକକ ସମାଧାନ କେନ୍ଦ୍ର’ ରୂପେ ପରିବର୍ତିତ କରିବାକୁ ନିଷ୍ପତି ନିଆଯାଇଛି ।
୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ୧.୮୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରହିଛି ।
୫ ବର୍ଷ ମଧ୍ୟରେ ସରିବ ଦେଓ, ଆନନ୍ଦପୁର ବ୍ୟାରେଜ, ସୁବର୍ଣ୍ଣରେଖା, ରେଙ୍ଗାଲି ବାମ ଓ ଦକ୍ଷିଣ ପାଶ୍ୱର୍ କେନାଲ ନିର୍ମାଣ କାର୍ଯ୍ୟ ।
ନୂତନ ଭାବେ ଭୂତଳ ପାଇପ ଲାଇନ ବ୍ୟବସ୍ଥା ଥିବା ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ନିଷ୍ପତି କରିଛନ୍ତି ସରକାର
ଆଗାମୀ ଆର୍ଥିକ ବର୍ଷରେ ଓଡ଼ିଶା ସମନ୍ୱିତ ଜଳଚେସନ ପ୍ରକଳ୍ପ ଜରିଆରେ ୨୦୦ କ୍ଷୁଦ୍ର ଜଳସେଚନ ଭଣ୍ଡାରର ଉନ୍ନତିକରଣ କାର୍ଯ୍ୟ କରାଯିବ ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୮ ଲକ୍ଷ ୫୦୮୧୬ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟର ମୋଟ ଜନସାଧାରଣଙ୍କର ୭୮.୩% ଲୋକ ଏହାଦ୍ୱାରା ଉପକୃତ ହେଉଛନ୍ତି ।
୨୦୧୪-୧୫ରୁ ଏଯାବତ ଗ୍ରାମାଂଚଳରେ ଗରିବଙ୍କ ପାଇଁ ୨୩ ଲକ୍ଷରୁ ଉଦ୍ଧ୍ୱର୍ ପକ୍କା ଗୃହ ନିର୍ମାଣ କରି ସରକାର ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛନ୍ତି ।
ମନରେଗା ଯୋଜନାରେ ୫ ଲକ୍ଷ ୨୯୮୭୭ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସରକାର ୧୯ ଲକ୍ଷ ପରିବାରକୁ କର୍ମନିଯୁକ୍ତି ସୁଯୋଗ ଦେଇଛନ୍ତି । ଘର ପ୍ରତି ହାରାହାରି ୩୬ ଦିନର କର୍ମଦିବସ ସୃଷ୍ଟି କରାଯାଇପାରିଛି ।
ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୨୮୩୬୪ ଗ୍ରାମୀଣ ଯୁବକଙ୍କୁ ପ୍ରଶିକ୍ଷିତ କରାଯିବା ସହ ଘରୋଇ କ୍ଷେତ୍ରରେ ୨୪୨୪୭ ତାଲିମପ୍ରାପ୍ତ ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ମିଳିପାରିଛି ।
୨୦୨୪ ସୁଦ୍ଧା ପ୍ରତି ଗାମୀଣ ପରିବାରକୁ ଘରୋଇ ଟ୍ୟାପ ଜରିଆରେ ପାନୀୟ ଜଳଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।
ଦୁର୍ଗମ ଉପାନ୍ତ ଅଂଚଳରେ ୧୨ ହଜାର ସୌରଶକ୍ତି ଚାଳିତ ବିଦୁ୍ୟତ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି ।
ସମ୍ପ୍ରତି ୪୦ରୁ ଉଦ୍ଧ୍ୱର୍ ବିନାମୂଲ୍ୟ ଓ ସୁନିଶ୍ଚିତ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏସସିବି ମେଡ଼ିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାର ଲକ୍ଷ୍ୟ ରହିଛି । ଖୁବଶୀଘ୍ର ୧୪୦୩ ଡାକ୍ତର କାର୍ଯ୍ୟକ୍ଷେତ୍ରରେ ଯୋଗଦେବେବୋଲି ନିଜ ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂଚନା ଦେଇଛନ୍ତି ।
ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା ୭୦ ଲକ୍ଷ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯିବ । ମହିଳାମାନଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ମମତା ଯୋଜନାରେ ୪୦ ଲକ୍ଷରୁ ଉଦ୍ଧ୍ୱର୍ ଗର୍ଭବତୀ ମହିଳାଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।
ଅନ୍ତର୍ଜାତୀୟ ଫୁଡ଼ ପଲିସ ରିସର୍ଚ୍ଚ ପ୍ରତିଷ୍ଠାନର ରିପୋର୍ଟ ଅନୁସାରେ ଓଡ଼ିଶା ‘ନୁ୍ୟଟି୍ରସନ ଚମ୍ପିଆନର’ ମାନ୍ୟତା ଲାଭ କରିଛି ।
ରାଜ୍ୟରେ ୪୮ ଲକ୍ଷ ୩୮ ହଜାର ୫୪୮ ଜଣଙ୍କୁ ସାମାଜିକ ସୁରକ୍ଷା ପେନସନ ଯୋଗାଇ ଦିଆଯାଉଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ନିର୍ମାଣ କରାଯାଇଛି ।
ହସ୍ତତନ୍ତର ବିକାଶ ଓ ମାର୍କେଟିଂ ପାଇଁ ‘ବାଣିଜ୍ୟ ବିପଣୀ ସହାୟତା ଯୋଜନା’ ଆରମ୍ଭ କରାଯାଇଛି । କେନ୍ଦୁଝରର ଅଟ୍ଟାଠାରେ ଏକ ମହିଳା ବୁଣାକାର କେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ମୟୂରଭଞ୍ଜର ‘ବିଶୋଇ’ ଠାରେ ଏକ ସିଲକ ପାର୍କ ପ୍ରତିଷ୍ଠା କରାଯିବ ।
ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ।
ସମ୍ପ୍ରତି ରାଜ୍ୟର ୨୯ ଜିଲ୍ଲାରେ ୨୧୪ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିବାବେଳେ ଆଗାମୀ ଆର୍ଥିକ ବର୍ଷରେ ଆଉ ୩୬ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରୀ ହେବ ।
ନବମ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ପ୍ରଚଳ କରାଯାଇଥିବାବେଳେ ଚଳିତ ବର୍ଷ ୪୧ ଲକ୍ଷ ୮୪ ହଜାର ୬୯୭ ଜଣଙ୍କୁ ସ୍କୁଲ ୟୂନିଫର୍ମ ଓ ୫ ଲକ୍ଷ ୨୫ ହଜାର ୧୪୪ ଜଣଙ୍କୁ ସାଇକେଲ ବଂଟନ କରାଯାଇଛି ।
ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା’ ନାମରେ ନୂତନ ଯୋଜନା ପ୍ରଚଳନ କରିଛନ୍ତି ।
ରାଜ୍ୟର ଆର୍ଥିକ ସ୍ଥିତି ଉପରେ ମଧ୍ୟ ରାଜ୍ୟପାଳ ଆଲୋକପାତ କରିଛନ୍ତି । ୨୦୦୨-୦୩ରେ ରାଜ୍ୟର ଋଣ ଜିଏସଡ଼ିପିର ୫୦.୭% ଥିବାବେଳେ ୨୦୧୮-୧୯ରେ ତାହା ୧୬.୮%କୁ ହ୍ରାସ ପାଇଛି । ସେହିପରି ରାଜସ୍ୱ ପ୍ରାପ୍ତି ଓ ଦେୟ ସୁଧ ଅନୁପାତ ୨୦୦୧-୦୨ରେ ୪୦.୨% ଥିବାବେଳେ ୨୦୧୮-୧୯ରେ ତାହା ୫.୮%କୁ କମିଛି ।
ଡିଜଟାଲ ପ୍ରକ୍ରିୟାରେ ବଜେଟ ପୁସ୍ତିକା ମୁଦ୍ରଣ ହ୍ରାସ କରାଯାଇଛି । ଫଳରେ ୫୭ ଲକ୍ଷ କାଗଜର ମୁଦ୍ରଣ ବନ୍ଦ ହୋଇଛି ।
ବଜେଟର ବିଶ୍ୱସନୀୟତାରେ ସୁଧାର ଆଣିବାକୁ ଏବଂ ବର୍ଷ ଶେଷରେ ପାଣ୍ଠି ଫେରସ୍ତ ହ୍ରାସ କରିବା ପାଇଁ ୨୦୨୦-୨୧ରେ ଷ୍ଟ୍ରାଟେଜିକ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ପ୍ରଚଳନ କରିଛୁ ।
ନିର୍ମାଣ ଶ୍ରମିକମାନଙ୍କ ସ୍ୱାଭାବିକ ଓ ଦୁର୍ଘଟଣା ମୃତୁ୍ୟ ନିମନ୍ତେ ସହାୟତା ରାଶି ବୃଦ୍ଧି କରାଯାଇଛି । ଏଯାଏଁ ୨୯.୧୯ ଲକ୍ଷ ନିର୍ମାଣ ଶ୍ରମିକ ପଂଜୀକୃତ ହୋଇଥିବାବେଳେ ଟିକସ ବାବଦରେ ୨୦୪୯ କୋଟି ଟଙ୍କା ଆଦାୟ ହୋଇଛି । ଇ-ଶ୍ରମିକ ପୋର୍ଟାଲ ଦ୍ୱାରା ଶ୍ରମିକଙ୍କ ସମସ୍ୟାକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରାଯାଉଛି ।
ପୁରୀ ସହରକୁ ବିଶ୍ୱସ୍ତରୀୟ ଏତିହ୍ୟନଗରୀରେ ପରିଣତ କରିବା ପାଇଁ ୨୦୧୯ ଆର୍ଥିକ ବର୍ଷରେ ସରକାର ୨୩୦୮ କୋଟି ଟଙ୍କା ମୂଲ୍ୟର ୧୫ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏତଦବ୍ୟତୀତ ୯୦୦ କୋଟି ଟଙ୍କା ମୂଲ୍ୟର ଆଉ ୬ ପ୍ରକଳ୍ପ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି । ଆସନ୍ତା ବର୍ଷ ସୁଦ୍ଧା ୨୫୦ ସେତୁ ଓ ୨୫୪୨ କିମି ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।
୨୪ ଘଂଟିଆ ପାନୀୟ ଜଳଯୋଗାଣ ନିମନ୍ତେ ‘ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ’ର ଶୁଭାରମ୍ଭ କରାଯାଇଛି । ଏବେ ଭୁବନେଶ୍ୱର ଓ ପୁରୀରେ ଏହା ପାଇଲଟ ଭିତିରେ କାର୍ଯ୍ୟକାରୀ ହେଉଥିବାବେଳେ ଆସନ୍ତାବର୍ଷ ୧୪ ସହରରେ ଏହା ଲାଗୁ କରିବାକୁ ନିଷ୍ପତି ନିଆଯାଇଛି ।
ଶକ୍ତି ଭିତିଭୂମିର ବିକାଶ ସହ ୫ ‘ଟି’ ଆଧାରରେ ନାଗରିକ କୈନ୍ଦ୍ରିକ ସେବା ଯୋଗାଇଦେବାକୁ ୪୮ ଘଂଟା ମଧ୍ୟରେ ୫ କିଲୋୱାଟ ପର୍ଯ୍ୟନ୍ତ ନୂତନ ସର୍ଭିସ କନେକ୍ସନ ଯୋଗାଇ ଦିଆଯାଉଛି । ଉଜାଳା ଯୋଜନା ମାଧ୍ୟମରେ ୫.୨୨ କୋଟି ଏଲଇଡ଼ି ବଲବ ଯୋଗାଇଦେବା ସହ ବାର୍ଷିକ ୬୭୮୨.୭୬ ମେଗାୟୂନିଟ ବିଜୁଳି ସଂଚୟ କରାଯାଇପାରୁଛି ।
୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ରାଜ୍ୟରେ ୪.୨ ଲକ୍ଷ ଏମଏସଏମଇ ଉଦ୍ୟୋଗ ଜରିଆରେ ୨୦ ଲକ୍ଷ କୋଟିରୁ ଉଦ୍ଧ୍ୱର୍ ପୁଂଜିନିବେଶ କରାଯିବା ସହ ୧୬ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ହୋଇପାରିଛି ।
ସଡ଼କ ଦୁର୍ଘଟଣାରେ ମୃତାହତ ସଂଖ୍ୟା କମାଇବା ପାଇଁ ସରକାର ଏକ ‘ସଡ଼କ ସୁରକ୍ଷା ଆକ୍ସନ ପ୍ଲାନ’ ପ୍ରସ୍ତୁତ କରିଛନ୍ତି ।
ପର୍ଯ୍ୟଟନର ବିକାଶ ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । କୋଣାର୍କ ରିଟ୍ରିଟ ସଫଳ ହୋଇଥିବାବେଳେ ୨୦୨୦ରେ ‘ଶାମୁକା ବେଳାଭୂମି ପ୍ରକଳ୍ପ’ କାର୍ଯ୍ୟକାରୀ କରାଯିବ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗୋପାଳପୁର, ତାଳସାରୀ-ଉଦୟପୁର ସମୁଦ୍ର ତଟ ‘ବେଳାଭୂମି ଶାକ’ ଏବଂ ବିଳାସପୂର୍ଣ୍ଣ କଟେଜ ସହିତ ପାଇଲଟ ପ୍ରକଳ୍ପ ଭାବେ ବିକଶିତ ହେବ ।
କ୍ରୀଡ଼ା ଉପରେ ସରକାର ଫୋକସ କରୁଥିବାବେଳେ ୨୦୨୦ରେ ଭୁବନେଶ୍ୱରରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆୟୋଜନ କରାଯିବ । ସେହିପରି ୨୦୨୩ରେ ପୁରୁଷ ବିଶ୍ୱକପ ହକି ମଧ୍ୟ ଆୟୋଜିତ ହେବ । ସେହିପରି ଭୁବନେଶ୍ୱରରେ ଆକ୍ୱାଟିକ ସ୍ପୋର୍ଟସ କମ୍ପ୍ଲେକ୍ସ, ବ୍ରହ୍ମପୁର, ସମ୍ବଲପୁର, କଟକ ଓ ରାଉରକେଲାରେ ସାଟେଲାଇଟ ଷ୍ଟାଡ଼ିୟମ, ଜିଲ୍ଲା ମୁଖ୍ୟାଳୟରେ ଇଂଟିଗ୍ରେଟେଡ଼ ଷ୍ଟାଡ଼ିୟମ ନିର୍ମାଣ କରାଯିବ ।
ଗ୍ରାମ୍ୟ ଗୃହ ନିର୍ମାଣ, ଏସସିଏସଟି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା, ମିଶନ ଶକ୍ତି, ନିଜସ୍ୱ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଜନା, ବନାଂଚଳବାସୀଙ୍କୁ ଭୁମି ଅଧିକାର, ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଭୂମି ପଟ୍ଟା ପ୍ରଦାନ ଆଦି କ୍ଷେତ୍ରରେ ରାଜ୍ୟ ସରକାର ଐତିହାସିକ ସଫଳତା ପାଇଛନ୍ତି ।
ଅଧିକ ଅପଡେ଼ଟ ପାଇଁ ଲିଙ୍କକୁ ଆଉ ଥରେ ଖୋଲନ୍ତୁ କିମ୍ବା କିଛି ସମୟ ପରେ ରିଫ୍ରେସ ମାରନ୍ତୁ
Comments ସମସ୍ତ ମତାମତ