ମୁଖ୍ୟ ଖବର
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଲୋକମାନଙ୍କର ମନରେ ଜରୁରୀ ସାମଗ୍ରୀ ଘରକୁ ଆଣିବା ସମୟରେ କରୋନା ଭୂତାଣୁର ଶିକାର ହେବାର ଭୟ ସୃଷ୍ଟି ହୋଇଛି । କିଛି ଲୋକ ଭୟରେ ପନିପରିବା ଓ ଫଳକୁ ସାନିଟାଇଜର ସହାୟତାରେ ସଫା କରୁଥିବା ଦେଖିବାକୁ ମିଳୁଛି । ତେବେ ପନିପରିବା ଓ ଫଳକୁ ସାନିଟାଇଜରରେ ସଫା କରିବା ଉଚିତ ନୁହେଁ ବୋଲି କହିଛନ୍ତି ପିଜିଆଇ ଚଣ୍ଡୀଗଡ଼ର କମୁ୍ୟନିଟି ମେଡିସିନ ଡାକ୍ତର ସୋନୁ ଗୋୟଲ ।
ଡା.ଗୋୟଲଙ୍କ ମତରେ ପନିପରିବା ଓ ଫଳରେ ଭୂତାଣୁ ୬-୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଯଦି ଏହା କୌଣସି ଉତ୍ତାପର ସମ୍ମୁଖୀନ ହୁଏ ତାହା ହେଲେ ୪ ଘଣ୍ଟାରୁ ବି କମ୍ ସମୟ ଜୀବିତ ରହିଥାଏ । ତେବେ ବାହାରୁ ପନିପରିବା କିମ୍ବା ଫଳକୁ ଆଣିଲେ ତାହାକୁ ସେହିଭଳି ପ୍ୟାକେଟରେ ୪ ଘଣ୍ଟା ପାଇଁ ଛାଡ଼ି ଦେବା ଜରୁରୀ । ପରେ ଏହାକୁ ଗରମ ପାଣି କିମ୍ବା ଖାଇବା ସୋଡ଼ାରେ ସଫା କରିବା ଉଚିତ । ଫଳରେ ସେଥିରେ ଭୂତାଣୁ ଭୟ ରହିନଥାଏ । ମାତ୍ର ପନିପରିବା ଓ ଫଳରେ ସାନିଟାଇଜର ବ୍ୟବହାର କରିବା ଉଚିତ ନୁହେଁ । ସାନିଟାଇଜରରେ ରହିଥିବା ରାସାୟନିକ ପଦାର୍ଥର ଉପସ୍ଥିତି କାରଣରୁ ଏହା କ୍ଷତିକାରକ ହୋଇଥାଏ । ଏହା ସହ ପନିପରିବା ଓ ଫଳରେ ସାନିଟାଇଜର ଲଗାଇଲେ ଏହା କାମ ଦେଉଥିବାର କୌଣସି ପ୍ରମାଣ ନାହିଁ । ସାନିଟାଇଜର ହାଜ, ଦେହ, ଧାତବ ପଦାର୍ଥ କିମ୍ବା ଷ୍ଟିଲରେ କାମ ଦେଇଥାଏ । କଦଳୀ ଓ ପିଆଜକୁ ୩-୪ ଘଣ୍ଟା ବାହାରେ ରଖିବା ପରେ ହିଁ ଖାଇବା ଜରୁରୀ । ସେହିପରି ଔଷଧ ଷ୍ଟି୍ରପକୁ କିଣିବା ପରେ ସଙ୍ଗେ ସଙ୍ଗେ ଏହାକୁ ବ୍ୟବହାର ନ କରି କିଛି ଘଣ୍ଟା ପାଇଁ ଏକ ବାକ୍ସ ଭିତରେ ରଖିଦେବା ଭଲ । ମାତ୍ର ଏହାକୁ ସିଧାସଳଖ ଖରାରେ ରଖିବା ଉଚିତ ନୁହେଁ । ଛେନା ଓ କ୍ଷୀର ପ୍ୟାକେଟ ଘରକୁ ଆଣିବା ପରେ ଏହାକୁ ସାବୁନ ପାଣିରେ ଧୋଇବା ସହିତ ପ୍ୟାକେଟକୁ ନଷ୍ଟ କରିବା ଜରୁରୀ । ମାତ୍ର ଏହି ସମୟରେ ମାସ୍କ ପିନ୍ଧିବାକୁ ଭୁଲିଯିବା ଉଚିତ ନୁହେଁ । ପ୍ଲାଷ୍ଟିକ, ଧାତବ ପଦାର୍ଥ ଓ ଥଣ୍ଡାପାନୀୟ କ୍ୟାନରେ ୨୪-୪୮ ଘଣ୍ଟା ପର୍ଯ୍ୟନ୍ତ ଭୂତାଣୁ ବଞ୍ଚିପାରେ । ତେଣୁ ଏହାକୁ ଫି୍ରଜରେ ନ ରଖି ଘରେ ଚଳାଚଳ କରୁନଥିବା ସ୍ଥାନରେ ସାଧାରଣ ତାପମାତ୍ରାରେ ରଖିବା ଉଚିତ ।
Comments ସମସ୍ତ ମତାମତ