Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିରଞ୍ଜନ ପଟ୍ଟନାୟକଙ୍କୁ ଜୋରିମାନା

    Share on :
    ajab-Image
    Date: Jun 26, 2020    Views: 4759

    ଭୁବନେଶ୍ୱର:  ମହଙ୍ଗା ପଡ଼ିଲା ବିକ୍ଷୋଭ ପ୍ରଦର୍ଶନ ।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫ଶହ ଟଙ୍କା ଜୋରିମାନା କରାଯାଇଛି ।  ଆଜି ମାଷ୍ଟରକ୍ୟାଣ୍ଟିନ ଛକ ଠାରେ କରାଯାଉଥିବା ବିକ୍ଷୋଭ ସମୟରେ ସାମାଜିକ ଦୂରତା କଟକଣାକୁ ଉଲ୍ଲଂଘନ ପାଇଁ ତାଙ୍କୁ ଜୋରିମାନା କରାଯାଇଛି । କରୋନା ପରିଚାଳନାରେ ବିଭ୍ରାଟ ଅଭିଯୋଗରେ ଆଜି  ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ହେଉଥିଲା ।  କଂଗ୍ରେସ ସମେତ ୧୩ଟି ରାଜନୈତିକ ଦଳ ଏଥିରେ ସାମିଲ ହୋଇ ବିକ୍ଷୋଭ କରୁଥିଲେ । ତେବେ ଏହି ସମୟରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ପୁଲିସ ପିସିସି ସଭାପତିଙ୍କୁ ୫୦୦ ଟଙ୍କ ଜୋରିମାନା କରିଛି । ଏହାଛଡ଼ା ଏହି ବିକ୍ଷୋଭରେ ସାମିଲ ଅନ୍ୟ ଦଳର କିଛି ନେତାଙ୍କୁ ମଧ୍ୟ ୫୦୦ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି ।  ନିରଞ୍ଜନ ପଟ୍ଟନାୟକଙ୍କ ସମେତ  ସପ୍ତଗିରି ଉଲାକା, ଅଳି ପଟ୍ଟନାୟକ ଓ ନିଶିକାନ୍ତ ମହାପାତ୍ରଙ୍କ ଭଳି  ମୋଟ ୭ ଜଣ ରାଜନେତାଙ୍କୁ ପୁଲିସ ଜୋରିମାନା କରିଛି । 

    ପ୍ରକାଶ ଯେ,  କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୁରଦୃଷ୍ଟିହୀନତା ଯୋଗୁଁ କରୋନା ସଂକ୍ରମଣ  ଦେଶରେ ବଢ଼ି ବଢ଼ି ଚାଲିଛି । ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ‘ନମସ୍ତେ ଟ୍ରମ୍ପ’, ମଧ୍ୟପ୍ରଦେଶ ସରକାର ଗଠନରେ ବ୍ୟସ୍ତ ନରେନ୍ଦ୍ର ମୋଦି ସରକାର କରେନା ମୁକାବିଲାକୁ ଅଣଦେଖା କଲେ । ସଂକ୍ରମଣକୁ ରୋକିବା କ୍ଷେତ୍ରରେ କୋଭିଡ ଟେଷ୍ଟିଂକୁ ଗୁରୁତ୍ୱ ନଦେଇ ଲକ୍‌ଡାଉନ / ସଟ୍‌ଡାଉନ ଇତ୍ୟାଦିକୁ ଗୁରୁତ୍ୱ ଦେଲେ । ଦେଶରେ କୋଭିଡ ଟେଷ୍ଟିଂ ହାର ଯଥେଷ୍ଟ କମ୍ । ହଜାରେ ଲୋକ ସଂଖ୍ୟାରେ ମାତ୍ର ୩.୮ ଜଣଙ୍କର କୋଭିଡ ଟେଷ୍ଟିଂ ବର୍ତମାନ ହେଉଛି । ଯାହାର ଫଳସ୍ୱରୂପ ବ୍ୟାପକ ସଂକ୍ରମଣ ଦେଖାଦେଇଛି ଏବଂ ପୃଥିବୀରେ କୋଭିଡ ସଂକ୍ରମିତ ଦେଶମାନଙ୍କ ଭିତରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଛି ।

    ମୋଦି ସରକାର ପ୍ରାକ୍ ପ୍ରସ୍ତୁତି ବିନା ଅଚାନକ ଲକ୍‌ଡାଉନ ଘୋଷଣା କଲେ ।  ଯାହାର ପରିଣାମ ସ୍ୱରୂପ ଦେଶର କୋଟି କୋଟି ଲୋକ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଗଲେ । ବିଶେଷକରି ପ୍ରବାସୀ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକ ଅକଥନୀୟ ଦୁଃଖ ଏବଂ ନିର୍ୟ୍ୟାତନାର ଶୀକାର ହେଲେ । ହଜାର ହଜାର କିଲୋମିଟର ଭୋକ ଉପାସରେ ରାସ୍ତାରେ ଚାଲି ଚାଲି ଗଲାବେଳେ ଅନେକ ଟ୍ରେନ୍‌, ବସ ଚକତଳେ ଚାପି ହୋଇ ମୃତ୍ୟୁବରଣ କରିବାକୁ ବାଧ୍ୟ ହେଲେ । ମୋଦି ସରକାରଙ୍କର ଅକ୍ଷମଣୀୟ ଦୁରଦୃଷ୍ଣିହୀନତା ଏଥିପାଇଁ ଦାୟୀ ।

    ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ରାଜନୈତିକ ସହଯୋଗୀ ଭାବେ କରୋନା ମହାମାରୀର ପରିଚାଳନା କ୍ଷେତ୍ରରେ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି । କୋଭିଡ କବଳରୁ ଜୀବନକୁ ରକ୍ଷାକରିବାର ଆହ୍ୱାନ ଦେଇଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ଏ ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ପ୍ରଚାର ତୁଳନାରେ ଆବଶ୍ୟକୀୟ ଆନ୍ତରିକତା ଦେଖାଉ ନାହାନ୍ତି । ସ୍ୱୟଂ ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୮ ତାରିଖରେ ପ୍ରତିଦିନ ୧୫ହଜାର ଟେଷ୍ଟିଂ କରିବାର ଘୋଷଣା କରିଥିଲେ ମଧ୍ୟ ଏବେ ଦିନକୁ ୩ ହଜାର କୋଭିଡ ଟେଷ୍ଟିଂ ହେଉ ନାହିଁ । ଅନ୍ୟରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କର କୋଭିଡ ଟେଷ୍ଟିଂକୁ ଅଣଦେଖା କରାଯାଉଛି । ସେମାନେ ଟେଷ୍ଠିଂ ପାଇଁ ଅନୁରୋଧ କଲାପରେ ମଧ୍ୟ ତାହା ନକରି ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି । ଫଳରେ ଗୋଷ୍ଠି ସଂକ୍ରମଣ ରାଜ୍ୟରେ ଆରମ୍ଭ ହେବାର ଆଶଂକା ସୃଷ୍ଟି ହୋଇଛି ।

    କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ତୃଟିପୂର୍ଣ୍ଣ ଓ ଅପରିଣାମଦର୍ଶୀ କାର୍ୟ୍ୟକ୍ରମର ପ୍ରତିବାଦରେ ପୂର୍ବ ଘୋଷଣା ଅନୁଯାୟୀ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ଏଥିରେ କଂଗ୍ରେସ ସମେତ ୧୩ଟି ରାଜନୈତିକ ଦଳ  ସାମିଲ ହୋଇଥିଲେ ।   ଏଥିରେ   ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦିମ ପାର୍ଟି, ଅଲ୍ ଇଣ୍ଡିଆ ଫରୁୱାର୍ଡ ବ୍ଲକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, କଳିଙ୍ଗ ସେନା ଏନ୍‌ସିପି, ବହୁଜନ ସମାଜ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଦଳ ସାମିଲ ହୋଇଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook