ମୁଖ୍ୟ ଖବର
ନୂଆଦିଲ୍ଲୀ : ଗାଡ଼ିରେ ଏ ପର୍ଯ୍ୟନ୍ତ ଫାଷ୍ଟ୍ୟାଗ ଲଗାଇ ନଥିବା ଚାଳକଙ୍କ ପାଇଁ ଖୁସି ଖବର । ସରକାର ସେମାନଙ୍କୁ ମାଗଣାରେ ଏହାକୁ ଯୋଗାଇ ଦେବେ । ଏନଏଚଏଆଇ ଟୋଲ ପ୍ଲାଜାରେ ଆସନ୍ତା ୧୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ମାଗଣାରେ ଫାଷ୍ଟ୍ୟାଗ ଉପଲବ୍ଧ ହେବ । ଏହା ପୂର୍ବରୁ ଗତ ବର୍ଷ ନଭେମ୍ବର ୨୨ ରୁ ଡିସେମ୍ବର ୧୫ ଯାଏଁ ମାଗଣାରେ ଫାଷ୍ଟ୍ୟାଗ ଦିଆଯାଇଥିଲା ।
ସଡକ ବ୍ୟବହାର କରୁଥିବା ଲୋକମାନେ ନିଜ ଗାଡ଼ି ପାଇଁ ଯେ କୌଣସି ସ୍ୱୀକୃତି ପ୍ରାପ୍ତ ପଏଣ୍ଟ ଅଫ ସେଲ (ପିଓଏସ) ରେ ବୈଧ ପଞ୍ଜିକରଣ ପ୍ରମାଣ ପତ୍ର (ଆରସି) ଦେଖାଇ ଏନଏଚଏଆଇ ଫାଷ୍ଟ୍ୟାଗ ମାଗଣାରେ ହାସଲ କରିପାରିବେ । ସମସ୍ତ ଜାତୀୟ ରାଜପଥ ଟୋଲ ପ୍ଲାଜା, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର, ପରିବହନ ପେଣ୍ଠସ୍ଥଳୀ ଏବଂ ପେଟ୍ରୋଲ ପମ୍ପରେ ଏନଏଚଏଆଇ ଫାଷ୍ଟ୍ୟାଗ ମିଳିପାରିବ ।
ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜା ଗୁଡ଼ିକ ଦେଇ ଯାତାୟତ କରୁଥିବା ୪ ଚକିଆରୁ ଊଦ୍ଧ୍ୱର୍ ଗାଡ଼ିରେ ଫାଷ୍ଟ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ଟୋଲ ପ୍ଲାଜା ଅତିକ୍ରମ କରି ଯାଉଥିବା ଗାଡ଼ି ଗୁଡ଼ିକ ଅନଲାଇନରେ ଟୋଲ ଦେୟ ପ୍ରଦାନ କରିପାରିବେ । ସେମାନଙ୍କୁ ଅଟକାଇବାକୁ ପଡ଼ିବ ନାହିଁ । ଏହା ଦ୍ୱାରା ଟୋଲ ପ୍ଲାଜା ନିକଟସ୍ଥ ରାସ୍ତାରେ ଭିଡ ଜମିବ ନାହିଁ । ପ୍ରଦୂଷଣ ମଧ୍ୟ ହ୍ରାସ ହେବ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ର ନିକଟସ୍ଥ ଫାଷ୍ଟ୍ୟାଗ ବିକି୍ର କେନ୍ଦ୍ର ସମ୍ପର୍କରେ ଜାଣିବା ପାଇଁ ‘ମାଇଁ ଫାଷ୍ଟ୍ୟାଗ ଆପ୍’ ଅଥବା ଏନଏଚ ହେଲ୍ପଲାଇନ ନମ୍ବର ୧୦୩୩ ସମ୍ପର୍କ କରାଯାଇପାରିବ ।
ସୂଚନା ଯୋଗ୍ୟ, ସରକାର ଏ ପର୍ଯ୍ୟନ୍ତ ୫୨୭ ରୁ ଅଧିକ ଜାତୀୟ ରାଜପଥରେ ଫାଷ୍ଟ୍ୟାଗ ଭିତ୍ତିକ ଟୋଲ ଆଦାୟ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଅନଲାଇନରେ ଟୋଲ ଆଦାୟ ସମ୍ଭବ ହୋଇପାରୁଛି ଏବଂ ଭିଡ ସମସ୍ୟା ହ୍ରାସ ପାଉଛି । ଏକ ବିବୃତିରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ କହିଛି ଯେ ଯୋଲ ପ୍ଲାଜାଗୁଡ଼ିକରେ ଡିଜିଟାଲ ଦେୟ ଆଦାୟକୁ ପ୍ରୋତ୍ସାହିତ କରିବା ପାଇଁ ଫାଷ୍ଟ୍ୟାଗ ଦେୟ (୧୦୦ ଟଙ୍କା) ଛାଡ଼ କରାଯାଇଛି ।
Comments ସମସ୍ତ ମତାମତ