ମୁଖ୍ୟ ଖବର
ମୁମ୍ବାଇ: ଭାରତର ପୂର୍ବତନ ୱିକେଟ ରକ୍ଷକ ବ୍ୟାଟସମ୍ୟାନ ଫାରୁକ ଇଞ୍ଜିନିୟର ନିଜ ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତି । ବିଶ୍ୱ କପ୍ ସମୟରେ ଅନୁଷ୍କା ଶର୍ମାଙ୍କୁ ଚୟନକର୍ତ୍ତାଙ୍କ ଦ୍ୱାରା ଚା’ପିଆଇବା କଥା ଫାରୁକ କହିଥିଲେ । ପ୍ରକୃତରେ ଅନୁଷ୍କାଙ୍କୁ ନୁହେଁ, ସେ ଭାରତୀୟ ଚୟନକର୍ତ୍ତାଙ୍କ ବିଷୟରେ କହିବାକୁ ଚାହୁଁଥିଲେ ବୋଲି ଫାରୁକ କହିଛନ୍ତି । ଚୟନକର୍ତ୍ତାଙ୍କୁ ପରିହାସ କରିବା ପାଇଁ ସେ ଏଭଳି କହିଥିଲେ ବୋଲି କହିବା ସହିତ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । ଅନୁଷ୍କା ବହୁତ ଭଲ ଝିଅ, ତାଙ୍କୁ ମିଛରେ ଏଥିରେ ପୂରାଯାଉଛି । ଏଥିରେ ଭାରତୀୟ ଦଳର ବ୍ଲେଜର ପିନ୍ଧିଥିବା ଚୟନକର୍ତ୍ତାଙ୍କ ସମାଲୋଚନା ହେବା କଥା । ଯଦି ମୋ ପାଇଁ ଅନୁଷ୍କାଙ୍କ ସମ୍ମାନ କ୍ଷୁଣ୍ଣ ହୋଇଛି, ତେବେ ତାଙ୍କୁ ମୁଁ କ୍ଷମା ପ୍ରାର୍ଥନା କରୁଛି । ତାଙ୍କୁ ଯଦି ଖରାପ ଲାଗୁଛି ମୁଁ ଦୁଃଖିତ । ମୁଁ କେବଳ ସେହି ଚୟନକର୍ତ୍ତାଙ୍କ କଥା କହିବା ପାଇଁ ଚାହୁଁଥିଲି, ଯିିଏ ନିଜର ଦାୟିତ୍ୱ ଠିକ ଭାବେ ନିର୍ବାହ କରୁନଥିଲେ । ଅନୁଷ୍କା କିମ୍ବା ବିରାଟଙ୍କ ବିପକ୍ଷରେ ନୁହେଁ ବୋଲି ଫାରୁକ କହିଥିଲେ । ସୂଚନା ଯୋଗ୍ୟ ଫାରୁକ ଇଞ୍ଜିନିୟରଙ୍କ ବିବାଦୀୟ ବୟାନପରେ ଅନୁଷ୍କା ଓ ଭାରତୀୟ ଦଳ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କଠୋର ଭାଷାରେ ଇଞ୍ଜିନିୟରଙ୍କୁ ଜବାବ ଦେଇଥିଲେ ।
Comments ସମସ୍ତ ମତାମତ