Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଶ୍ରୀକ୍ଷେତ୍ରରେ ଶାରଦୀୟ ଦେବୀ ପୂଜା

    Share on :
    ajab-Image
    Date: Oct 8, 2020    Views: 3587

    ସର୍ବତ୍ର ସାଧାରଣତଃ ଦୁର୍ଗାଙ୍କ ସହ ଶିବଙ୍କର ପୂଜା କରାଯାଇଥାଏ  । କିନ୍ତୁ ଶ୍ରୀମନ୍ଦିରରେ ଶାରଦୀୟ ଦେବୀ ପୂଜା ସମୟରେ ଦୁର୍ଗାଙ୍କ ସହ ମାଧବଙ୍କ ପୂଜା ହୁଏ  । ଏହା ମୁଖ୍ୟତଃ ‘ଦୁର୍ଗାମାଧବ ଉପାସନା’ ଭାବରେ ଶ୍ରୀମନ୍ଦିରରେ ପାଳିତ ହୁଏ  । ଆନନ୍ଦମୟୀ ଦୁର୍ଗା ଏବଂ ସଚ୍ଚିଦାନନ୍ଦ ମାଧବଙ୍କର ଯୁଗଳ ଉପାସନା ହେଉଛି ଦୁର୍ଗାମାଧବ ଉପାସନା  । ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ମାଧବ   । ଦୁର୍ଗା ଭଗବତୀ, ମାଧବ ଭଗବାନ  । ଏହିଭଳି ଦୁର୍ଗାମାଧବ ଉପାସନା ନୀତି ଅନ୍ୟତ୍ର ବିରଳ  । 
    ଶାରଦୀୟ ଦେବୀ ପୂଜାରେ ସର୍ବତ୍ର ଦେବୀଙ୍କର ମୃଣ୍ମୟୀ ଦୁର୍ଗା ମୂର୍ତ୍ତି ପୂଜା ପାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ମୃଣ୍ମୟୀ ‘ଗୋସାଣୀ’ ମୂର୍ତ୍ତିଙ୍କର ପୂଜା ହୁଏ  । ଦେବୀଙ୍କର ଉଗ୍ର କ୍ରୋଧ ଶକ୍ତିର ପ୍ରତୀକକୁ ‘ଗୋସାଣୀ’ ରୂପରେ ପୁରୀରେ ପୂଜାର୍ଚ୍ଚନା କରାଯାଏ । ମହିଷାସୁର ସହ ଯୁଦ୍ଧର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେବୀଙ୍କର କରାଳ ମୂର୍ତ୍ତିକୁ ‘ଗୋସାଣୀ’ ରୂପରେ ପୁରୀରେ ପୂଜା କରାଯାଏ  ।
    ଶ୍ରୀମନ୍ଦିରରେ ଦୁର୍ଗାମାଧମ ଉପାସନା ଆଶ୍ୱିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ)ଠାରୁ ଆରମ୍ଭ ହୋଇ ଷୋଳଦିନ ବ୍ୟାପୀ ହୁଏ  । ଏହାକୁ ଷୋଳପୂଜା ଶାରଦୀୟ ଦେବୀ ପୂଜା, ଶାକ୍ତ ଗୁଣ୍ଡିଚା, ଭିତର ଗୁଣ୍ଡିଚା, ଶାରଦୀୟ ରଥଯାତ୍ରା ବା ଦଶହରା ମହୋତ୍ସବ କୁହାଯାଏ  । ଏହି ପୂଜାର ପ୍ରଧମଦିନ ଶାରଦୀୟ ଦେବୀ ପୂଜା ସକାଶେ ମା’ ସୁଭଦ୍ରାଙ୍କୁ ପ୍ରାର୍ଥନା କରାଯାଏ  । ସକାଳ ଧୂପ ବଢ଼ିବା ପରେ ମା’ ଦୁର୍ଗାଙ୍କ ପ୍ରତିିମାଙ୍କୁ ଭଣ୍ଡାର ଘରୁ ଆଣି ରତ୍ନସିଂହାସନରେ ବିଜେ କରାଯାଏ  । ମା’ ସୁଭଦ୍ରାଙ୍କଠାରୁ ଆଜ୍ଞାମାଳ ପାଇ ମା’ ଦୁର୍ଗା ମାଜଣା ମଣ୍ଡପକୁ ବିଜେ କରନ୍ତି  । ସେଠାରେ ମା’ ଦୁର୍ଗାଙ୍କର କୁମ୍ଭାଭିଷେକ ହୁଏ  । ପଞ୍ଚୋପଚାର ଭୋଗ ଓ ବନ୍ଦାପନା ପରେ ମା’ ଦୁର୍ଗା ଭଣ୍ଡାର ଘର ଦ୍ୱାରରେ ବିଜେ କରନ୍ତି  । ମାଧବ-ରତ୍ନସିଂହାସନରୁ ବିଜେ କରି ମା’ ଦୁର୍ଗାଙ୍କ ସହ ରୁନ୍ଧା ହୁଅନ୍ତି ବା ଭଦ୍ରାସନରେ ଏକତ୍ର ଦୁର୍ଗାଙ୍କ ସହ ବିଜେ କରନ୍ତି  । ଏହି ଦୁର୍ଗାମାଧବ ରତ୍ନସିଂହାସନରେ ବିଜେ କରି ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପଠାରେ ଥିବା ସୁସଜ୍ଜିତ ରଥ (ବିମାନ)ରେ ବିମଳା ମନ୍ଦିରକୁ ଯାତ୍ରା କରନ୍ତି । ଏହା ପୂର୍ବରୁ ମା’ ବିମଳାଙ୍କ ନିକଟରେ ସ୍ୱତନ୍ତ୍ର ରୋଷରେ ପ୍ରସ୍ତୁତ ବିମଳେଇ ପିଠା, ଗଜାମଣ୍ଡା, ମୁଆଁ ଆଦି ଭୋଗ କରାଯାଇ ଆଳତି, ବନ୍ଦାପନା ନୀତି ସମାପନ ହୋଇଥାଏ  । ‘ଦୁର୍ଗାମାଧବ’ ବିମଳା ମନ୍ଦିର ନାଟମଣ୍ଡପରେ ପଲଙ୍କ ଉପରେ ବିଜେ କରନ୍ତି ।  ସେଠାରେ ଶୀତଳ ଭୋଗ ଲାଗି ହୋଇ ବନ୍ଦାପନା ହୁଏ  । ଶ୍ରୀ ଜଗନ୍ନାଥଙ୍କ ରାତି୍ର ଚନ୍ଦନ ଲାଗି ନୀତି ପରେ ଦୁର୍ଗାମାଧବ ବିମଳା ମନ୍ଦିରରୁ ବାହୁଡା ବିଜେ କରି ଭଣ୍ଡାର ଘରକୁ ଆସନ୍ତି  । ଏହିପରି ଷୋଳପୂଜାର ପ୍ରଥମ ଆଠଦିନ ଦୁର୍ଗାମାଧବ ବିମଳା ମନ୍ଦିରକୁ ବିଜେ କରନ୍ତି ଓ ସେଠାରେ ପ୍ରତିଦିନ ଉପରୋକ୍ତ ନୀତି ପାଳନ କରାଯାଇଥାଏ  ।
    ଷୋଳପୂଜା ନବମ ଦିନ ଦୁର୍ଗାମାଧବ ଶ୍ରୀମନ୍ଦିରରୁ ରଥରୂପୀ ବିମାନରେ ଦୋଳମଣ୍ଡପ ସାହିସ୍ଥ ନାରାୟଣୀ ମନ୍ଦିରକୁ ଯାତ୍ରା କରନ୍ତି  । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅଳ୍ପ ଦୂରରେ ଦୋଳମଣ୍ଡପ ସାହିରେ ନାରାୟଣୀ ମନ୍ଦିରରେ ପଲଙ୍କ ଉପରେ ଦୁର୍ଗାମାଧବ ବିଜେ କରନ୍ତି  । ଭୋଗ ଲାଗି ହୋଇ ବନ୍ଦାପନା ପରେ ଦୁର୍ଗାମାଧବ ନାରାୟଣୀ ମନ୍ଦିରରେ ପଲଙ୍କ ଉପରେ ଦୁର୍ଗାମାଧବ ବିଜେ କରନ୍ତି  । ଭୋଗ ଲାଗି ହୋଇ ବନ୍ଦାପନା ପରେ ଦୁର୍ଗାମାଧବ ନାରାୟଣୀ ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡା ଯାତ୍ରା କରି ଭଣ୍ଡାର ଘରେ ବିଜେ ହୁଅନ୍ତି  । ଏହିପରି ନୀତି ନାରାୟଣୀ ମନ୍ଦିରରେ ଆଠଦିନ ପାଳିତ ହୁଏ  । ଦୁର୍ଗାମାଧବ ରୁକ୍ଷା ହୋଇ ଏହିପରି ଦଶହରା ପର୍ଯ୍ୟନ୍ତ ଭଣ୍ଡାର ଘରେ ରହନ୍ତି  । ଏହାକୁ ‘ଦୁର୍ଗାମାଧବ ଉପାସନା’ ବା ‘ଶାକ୍ତ ଗୁଣ୍ଡିଚା’ କୁହାଯାଏ  ।
    ଦୁର୍ଗାମାଧବ ନାରାୟଣୀ ମନ୍ଦିରକୁ ବିଜେ କରୁଥିବା ଦିନମାନଙ୍କରେ ବିମଳା ମନ୍ଦିରରେ କେତେକ ବିଶେଷ ନୀତି ପାଳିତ ହୋଇଥାଏ  । ଏହିସବୁ ନୀତି ପାଳନ ହେବା ପୂର୍ବରୁ ବିମଳା ମନ୍ଦିରକୁ ନଡିଆ ଛାଞ୍ଚରେ ଘେରାଇ ଦିଆଯାଇଥାଏ  । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ମା’ ବିମଳାଙ୍କର ତ୍ରିଦିନାତ୍ମକ ମହାପୂଜାବିଧି ପାଳନ କରାଯାଏ  । ଏହି ସମୟରେ ମା’ ବିମଳା ଶ୍ରୀନଅରରୁ ଆସିଥିବା କାଣ୍ଡହେଙ୍ଗୁଳ ଶାଢ଼ୀ ପରିଧାନ କରି ଶୁକ୍ଳ ପୁଷ୍ପରେ ବିଭୂଷିତା ହୋଇଥାନ୍ତି  । ଶ୍ରୀଜଗନ୍ନାଥଙ୍କ ରାତ୍ର ପହୁଡ ହୋଇ ମନ୍ଦିର ଶୋଧ ହେବା ପରେ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀର ନିଶାର୍ଦ୍ଧରେ ବିମଳା ମନ୍ଦିର ନିକଟରେ ଅସ୍ଥାୟୀ ପରିସରରେ ମାଛବେସର ଓ ଖେଚୁଡି ରାନ୍ଧି ବିମଳାଙ୍କ ସେବକ ବିମଳା ମନ୍ଦିର ଜଗମୋହନରେ ଭୋଗଲାଗି କରିଥାନ୍ତି  ।
     
    ଷୋଳପୂଜା ଅବସରରେ ବିମଳାଦେବୀଙ୍କୁ ବିଭିନ୍ନ ଦିବସରେ ଭିନ୍ନ ଭିନ୍ନ ବେଶରେ ବିଭୂଷିତ କରାଯାଇଥାଏ  । ବିମଳା ଦେବୀଙ୍କର ଷୋଳପୂଜା ଏବଂ ଦୁର୍ଗାମାଧବ ଉପାସନା ଦଶହରା ଦିନ ସମାପ୍ତ ହୁଏ  । 
    ଶାରଦୀୟ ଦେବୀପୂଜା ଉତ୍ସବରେ ଶ୍ରୀକ୍ଷେତ୍ର ପୁରୀରେ ବିଭିନ୍ନ ସାହି ଓ ଜାଗା ଆଖଡାରେ ମୃଣ୍ମୟୀ ଦେବୀ ‘ଗୋସାଣୀ’ ପୂଜାର୍ଚ୍ଚନା ହୁଏ  । ଦେବୀ ପ୍ରଥମେ ଦୁର୍ଗା, ପରେ ଉଗ୍ରଚଣ୍ଡୀ ଓ ଶେଷରେ ଭଦ୍ରକାଳୀ ରୂପରେ ମହିଷାସୁରକୁ ବଧ କରି ଥିବାରୁ ଦେବୀଙ୍କର ସେହି ଉଗ୍ରଶକ୍ତିମାନଙ୍କ ବିଭିନ୍ନ ପ୍ରତୀକଙ୍କୁ ଗୋସାଣୀ ରୂପରେ ପୂଜା କରାଯାଇଥାଏ  । ବିରାଟ ଆକାରର ଦେବୀଙ୍କର ଉଗ୍ରମୂର୍ତ୍ତିଙ୍କ ପ୍ରତୀକ ମୃଣ୍ମୟୀ ‘ଗୋସାଣୀ’ ମୂର୍ତ୍ତି ଶୋଳ, ଜରି, ଜମ୍ବୁରାରେ ନିର୍ମିତ କମନୀୟ ଅଳଙ୍କାର ଓ ମୁକୁଟ ବିଭୂଷିତ ହୋଇ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ପୂଜା ପାଆନ୍ତି  ।
     
    ବିଭିନ୍ନ ଆକାର ଓ ଭଙ୍ଗୀର ବିଶାଳ ଚତୁର୍ଭୁଜା, ଅଷ୍ଟଭୁଜା, ଦଶଭୁଜା ‘ଗୋସାଣୀ’ ମୂର୍ତ୍ତିଙ୍କୁ ବିଭିନ୍ନ ପୂଜାମଣ୍ଡପରେ କେଉଁଠାରେ ନିଶଙ୍ଖୁଡି, ଅନ୍ୟ କେଉଁଠାରେ ଶଙ୍ଖୁଡି ଓ ଆମିଷ ଭୋଗ ଲାଗି ହୁଏ  । ଭିନ୍ନ ଭିନ୍ନ ନାମରେ ‘ଗୋସାଣୀ’ମାନେ ବିଭିନ୍ନ ପୂଜାମଣ୍ଡପରେ ବିରାଜମାନ ହୋଇଥାନ୍ତି  । 

    Maximum 500 characters

    ସଂସ୍କୃତି View all

    Find Us on Facebook