Share on :
0
Date: Oct 8, 2020 Views: 3103
ଆସିକାର ଐତିହ୍ୟ ଓ ଗୌରବ କେଉଁ ଆବହମାନ କାଳରୁ ସାରା ରାଜ୍ୟକୁ ଦିଗଦର୍ଶନ ଦେବାରେ ସହାୟକ ହୋଇଛି । ଓଡ଼ିଶାର ସଂସ୍କୃତି କହିଲେ ଯେଭଳି ଭାବେ ଜଗନ୍ନାଥ ସଂସ୍କୃତିକୁ ବୁଝାଏ, ଠିକ ସେହିପରି ଗଞ୍ଜାମର ସଂସ୍କୃତି କହିଲେ ଋଷିକୂଲ୍ୟା ସଂସ୍କୃତିକୁ ବୁଝାଏ । ଏଣୁ ଏହି ମାଟି ପବିତ୍ର ଓ ଧନ୍ୟ । ଆସିକା ସହର ଏକ ମନ୍ଦିରମୟୀ ସହର ଥିବାବେଳେ ଏଠାକାର ଋଷିକୂଲ୍ୟରା ତଟରେ ଶ୍ରୀ ଶ୍ରୀ ପୁଡୁଗେଶ୍ୱର, ଶ୍ରୀ ଶ୍ରୀ ରାମେଶ୍ୱର, ଶ୍ରୀ ଶ୍ରୀ ସୁବର୍ଣ୍ଣେଶ୍ୱର ମହାଦେବ ମନ୍ଦିର, ସୁନାମ୍ବ ଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ମନ୍ଦିର, ଖମ୍ବେଶ୍ୱରୀ ପାଟଣାସ୍ଥିତ ଜଗନ୍ନାଥ ମନ୍ଦିର, ଦଣ୍ଡକାଳୀ, ମହାଲକ୍ଷ୍ମୀ, ପଞ୍ଚମୁଖୀ ହନୁମାନ, ମୁନିସାହି ଜଗନ୍ନାଥ ମନ୍ଦିର ଏବଂ ସର୍ବୋପରି ମା’ ଫୁଲକେଶିନୀଙ୍କ ବିରାଜମାନ ।
ମା ଫୁଲକେଶନୀ ସମ୍ଭବତଃ ଲାଲାଶାସନ ବ୍ରାହ୍ମଣ ଶାସନ ଈଷ୍ଟଦେବୀ ଅଟନ୍ତି । କିନ୍ତୁ ମୋଗଲ ସାମ୍ରାଜ୍ୟର ପତନ ଏବଂ ଇଂରେଜ ସରକାରଙ୍କର ଆଗମନ ସମୟରେ ଆସିକା ଇଷ୍ଟେଟର ବିଶୃଙ୍ଖଳା ଭାବ ସୃଷ୍ଟି ହେବାରୁ ଲାଲାଶାସନ ବ୍ରାହ୍ମଣ ଶାସନର ଜନସାଧାରଣ ବିଶେଷତଃ ରକ୍ଷଣଶୀଳ ସ୍ତ୍ରୀ ଲୋକମାନେ ବିଶୃଙ୍ଖଳାକୁ ଏଡାଇବା ନିମନ୍ତେ ଫୁଲକେଶନୀ ଠାକୁରାଣୀଙ୍କ ନିକଟକୁ ନ ଆସି ମାଙ୍କ ଆଜ୍ଞାମାଳ ନେଇ ନିଜ ନିଜ ଗ୍ରାମର ଲାଲାଶାସନଠାରେ ମା’ ବିମଳା ମନ୍ଦିର ପ୍ରତିଷ୍ଠା କଲେ । ସେଦିନଠାରୁ ଲାଲାଶାସନ ବ୍ରାହ୍ମଣ ଶାସନର ଗ୍ରାମଦେବତୀ ରୂପେ ବିମଳା ଠାକୁରାଣୀ ପୂଜା ପାଉଥିବା ବେଳେ ଫୁଲକେଶିନୀ ଠାକୁରାଣୀଙ୍କୁ ଓଡ଼ିଆ ସାହି, ସୁନାମ୍ବ ସାହି ଏବଂ ବାଜର ସାହିର ଭକ୍ତଗଣଙ୍କ ସମେତ ସାଧାରଣ ଜନତା ପୂଜାର୍ଚ୍ଚନା କରିବାକୁ ଲାଗିଲେ । ମା’ଙ୍କ ଆବିର୍ଭାବ ଓଡ଼ିଆ ସାହିର ସେହି ନାଲି କଞ୍ଚନ ଗଛମୂଳେ ହୋଇଥିଲା । ମା’ଙ୍କର କୌଣସି ସମ୍ପତ୍ତି ନଥିବାବେଳେ ସହରର ଭକ୍ତପ୍ରାଣ ଜନସାଧାରଣ ଏକ ପରିଚାଳନା କମିଟି ଗଠନ କରି ମା’ଙ୍କ ନିକଟରେ ଭୋଗରାଗ ଏବଂ ଯାନିଯାତ୍ରା କରିବା ପାଇଁ ପାଣ୍ଠି ଯୋଗାଡ କଲେ । ଏହାପରେ ସରକାରୀ ଅନୁଦାନ ମିଳିବାରୁ ଏହାର କଳେବର ଏବଂ ପରିସର ବୃଦ୍ଧି ପାଇଛି । ବିଶେଷତଃ ଆଶ୍ୱିନ ମାସ ଦୁର୍ଗାପୂଜା ସମୟରେ ମା’ଙ୍କୁ ଷୋଡ଼ଶ ଉପଚାରରେ ପୂଜା କରାଯାଏ । ବିଶ୍ୱାସ ରହିଛି ଯେ, ଭକ୍ତ ମନ୍ଦିର ପରିସରରେ ଥିବା ନାଲି କଞ୍ଚନ ବୃକ୍ଷମୂଳେ ସଂଧ୍ୟା ଆଳତୀ କଲେ ମା’ ତାର ଡାକ ଶୁଣନ୍ତି । ମା’ଙ୍କ ମହିମା ଓ ପ୍ରତିଷ୍ଠା ସର୍ବଜନ ବିଖ୍ୟାତ । ଆସିକାର ଓଡ଼ିଆ ସାହି ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ ତାଙ୍କର ଯେକୌଣସି ମାଙ୍ଗଳିକ ଉତ୍ସବ ଆରମ୍ଭ କରିବା ସମୟରେ ମା’ଙ୍କଠାରେ ପୂଜାର୍ଚ୍ଚନା କରି ବିଧି ମୁତାବକ ଆଜ୍ଞାମାଳ ନେଇ ନିଜର ସସସ୍ତ ଶୁଭ ତଥା ମାଙ୍ଗଳିକ ଉତ୍ସବ ସମାପନ କରନ୍ତି । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଢ଼ାଞ୍ଚାରେ ଆସିକା ଫୁଲକେଶିନୀଙ୍କ ଯାତ୍ରା ସମାପନ ହୋଇଥାଏ । ବିଶେଷତଃ ସ୍ଥାନୀୟ ପ୍ରଶାସନ ଓ ଯୁବଗୋଷ୍ଠୀ ଯାତ୍ରାକୁ ସଫଳ କରିବା ପାଇଁ ସଦା ଚେଷ୍ଟିତ । ମା’ ଫୁଲକେଶନୀଙ୍କ ମହିଳା ସମସ୍ତଙ୍କ ପାଇଁ ଆଶୀର୍ବାଦ ସ୍ୱରୂପ ।
ଶ୍ରୀକ୍ଷେତ୍ରରେ ଶାରଦୀୟ ଦେବୀ ପୂଜା
Comments ସମସ୍ତ ମତାମତ